BJD Politics: ଭୁବନେଶ୍ୱର: ରାଜ୍ୟସଭାରେ ଭୋଟ୍ ବିଭାଜନରୁ ସୃଷ୍ଟି ହୋଇଥିବା କନ୍ଦଳ ବିଜେଡିର ଧର୍ମ ନିରପେକ୍ଷ ଚେହେରାକୁ ବିବାଦ ଘେରକୁ ଆଣିଛି। ଅପରପକ୍ଷେ ଦଳରେ ପାଣ୍ଡିଆନ୍ଙ୍କ ଭୂମିକାକୁ ନେଇ ପୁଣିଥରେ ବିବାଦ ମୁଣ୍ଡ ଟେକିଛି। ଯେଉଁ ନେତାମାନଙ୍କୁ ଦୁର୍ଦ୍ଦିନରୁ ଉଦ୍ଧାର କରି ପ୍ରତିନିଧି ଭାବେ ବିଧାନସଭା ଓ ସଂସଦକୁ ପଠାଇବାର ସୁଯୋଗ ପାଣ୍ଡିଆନ୍ ଦେଇଥିଲେ ଏବେ ସେମାନେ ତାଙ୍କୁ ଚୋଟ ମାରିବାକୁ ଫଣା ଟେକିଛନ୍ତି। ଏତାଦୃଶ ଦେଖି କିଛି ରାଜନୀତିକ ପଣ୍ଡିତ ସେମାନଙ୍କୁ ‘କୃତଘ୍ନ ନେତା’ ଭାବେ ଡାକିଲେଣି। ଏ ତାଲିକା ପୁଣି ଦିନକୁ ଦିନ ଲମ୍ବା ହେବାରେ ଲାଗିଛି। ପ୍ରଶ୍ନ ଉଠୁଛି ‘ଏହି କୃତଘ୍ନ ନେତା’ ଯେଉଁଭଳି ଭାବେ ନବୀନ ନିବାସ ଭିତରେ ଓ ବାହାରେ ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ନାରାବାଜୀ କରୁଛନ୍ତି ସେମାନେ କେତେ ସଫଳ ହେବେ?
ଅତୀତରେ ଏମିତି ଅନେକ ଘଟଣା ଘଟିଛି ଓ ତାହାର ଉତ୍ତର ସମସ୍ତଙ୍କ ସାମ୍ନାରେ ରହିଛି। ଆଜି ଯେଉଁ ନେତାମାନେ ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ରାଜନୀତି କରରୁଛନ୍ତି ସେମାନେ ବି ସେହି ଇତିହାସରେ ଦିନେ ସାମିଲ ଥିଲେ। ତତ୍କାଳୀନ ରାଜନୀତିରେ ସେମାନେ ପାଣ୍ଡିଆନ୍ଙ୍କୁ ଗୁରୁ ଭାବେ ଗ୍ରହଣ କରି ସାଂସଦ ବା ବିଧାୟକ ହୋଇଥିଲେ।
ପ୍ରଥମେ ପୂର୍ବତନ ସାଂସଦ ଭୂପିନ୍ଦର ସିଂହଙ୍କ କଥା ଆଲୋଚନା କରାଯାଉ। ଏବେ ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଶ୍ରୀ ସିଂହ କଂଗ୍ରେସ ଦଳରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିଲେ। ହେଲେ ୨୦୧୪ ନିର୍ବାଚନ ପୂର୍ବରୁ ସେ ହଠାତ୍ ବିଜେଡିକୁ ଡେଇଁଥିଲେ। ବିଜେଡିକୁ ଆସିବା ପରେ ତାଙ୍କୁ ରାଜ୍ୟସଭାର ସଦସ୍ୟ ଭାବେ ବିଜେଡି ମନୋନୀତ କରିଥିଲା। ଏହାପରେ ସେ ବିଧାନସଭାର ସଦସ୍ୟ ହେଲେ। ଏବେ କିନ୍ତୁ ସେ ନିଜକୁ ଅଲୋଡ଼ା ବୟଲି ଭାବିଛନ୍ତି। ଆଉ ସେଥିଲାଗି ପାଣ୍ଡିଆନ୍ଙ୍କୁ ଦାୟୀ କରିଛନ୍ତି।
ଦ୍ୱିତୀୟରେ ପ୍ରଫୁଲ୍ଲ ସାମଲ। ଇଞ୍ଜିନିୟରିଂ କଲେଜ ପରିଚାଳନା ଦୁର୍ନୀତି ମାମଲାରେ ସେ ପକ୍ଷଭୁକ୍ତ ଥିଲେ। ତାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲା ଥିଲା। ତାଙ୍କୁ ସେଥିରୁ ଉଦ୍ଧାର କରିବାରେ ପାଣ୍ଡିଆନ୍ଙ୍କ ଭୂମିକା ରହିଥିବା କୁହାଯାଏ। ଖାଲି ସେତିକି ନୁହେଁ ତାଙ୍କରି ଆଶୀର୍ବାଦରେ ପ୍ରଫୁଲ୍ଲଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହୋଇଥିଲା। ଭଣ୍ଡାରିପୋଖରୀରୁ ଅଣାଯାଇ ତାଙ୍କୁ ଭଦ୍ରକ ପାଇଁ ଟିକଟ ଦିଆଯାଇଥିଲା। ଏଥିରେ ସେ ଉପକୃତ ହୋଇଥିଲେ।
ଅନୂରୂପ ଭାବେ ଉପକୃତ ହୋଇଥିଲେ ପ୍ରତାପ ଜେନା, ପ୍ରଭାତ ତ୍ରିପାଠୀ, ଗଣେଶ୍ୱର ବେହେରା, ଦେବାଶିଷ ସାମନ୍ତରାୟ । ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ଛନ୍ଦି ହୋଇଥିବା ପ୍ରତାପ ଜେନାଙ୍କୁ ସହାୟତା କରିଥିବା ବିଜେଡି ପଛରେ ମାଷ୍ଟର ମାଇଣ୍ଡ ଥିଲେ ତତ୍କାଳୀନ ପ୍ରଶାସନ। ତାଙ୍କ ବଦଳରେ ତାଙ୍କ ପୁଅଙ୍କୁ ବି ୨୦୨୪ ପାଇଁ ଟିକଟ ଦିଆଯାଇଥିଲା। ଚିଟଫଣ୍ତ ମାମଲାରେ ଛନ୍ଦି ହୋଇ ମଧ୍ୟ ତାଙ୍କ ପୁଅଙ୍କୁ ଟିକଟ ଦେଇଥିଲା ବିଜେଡି। ସେ ମଧ୍ୟ ଜିତି ଏବେ ବିଧାୟକ ଅଛନ୍ତି। ପୁଣି ରାଜ୍ୟସଭା ସାଂସଦ ମୁନା ଖାଁ, ଯିଏ ଏ ବିବାଦକୁ ନେଇ ନବୀନ ନିବାସ ପହଞ୍ଚିଛନ୍ତି ସେ ବି ପାଣ୍ଡିଆନ୍ ଶାସନର ଜଣେ ବଡ଼ ହିତାଧିକାରୀ। ଓ୍ୱାର୍ଡ ମେମ୍ବର ଭାବେ ମଧ୍ୟ କେବେ ସେ ନିର୍ବାଚିତ ହୋଇପାରି ନାହାନ୍ତି। ସେହିପରି ଗଣେଶ୍ୱର ବେହେରା ତିନିଥର ନିର୍ବାଚନ ହାରିବା ପରେ ଏବେ ସେ ବିଧାୟକ। ପାଣ୍ଡିଆନ୍ଙ୍କ ସମୟରେ ହିଁ ତାଙ୍କୁ ବିଜେଡିକୁ ଅଣାଯାଇପାରିଥିଲା। ଅର୍ଥାତ୍ ଯେଉଁ ନେତାମାନେ ତତ୍କାଳୀନ ପାଣ୍ଡିଆନ୍ ଶାସନରେ ହିତାଧିକାରୀ ଥିଲେ ସେମାନେ ଆଜି ପାଣ୍ଡିଆନ୍ଙ୍କ ବିରୋଧରେ ସ୍ୱର ଉତ୍ତଳନ କରିଛନ୍ତି।