Odisha News: ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସରେ ଗଲେ ପୀଡ଼ିତା। ଦିଲ୍ଲୀ AIIMSରେ ପୀଡ଼ିତାଙ୍କର ଅଧିକ ଚିକିତ୍ସା ହେବ । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ପୂର୍ବରୁ ହୋଇଥିଲା। କଡ଼ା ସୁରକ୍ଷା ଭିତରେ ବିମାନବନ୍ଦର ନେଇଥିଲେ ଡାକ୍ତରୀ ଟିମ୍।ତୁରନ୍ତ ବିମାନବନ୍ଦରରେ ପହଞ୍ଚାଇବାକୁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଥିଲା। ସେଠାରୁ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ସମସ୍ତେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେପଟେ, ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି ଯେ, ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହୋଇଛି ।ସେପଟେ,ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେଡି ପକ୍ଷରୁ ବଳଙ୍ଗା ଥାନା ଘେରାଉ କରାଯାଇଛି। ଥାନା ଘେରାଉ ବେଳେ ବିଜେଡି କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛି। ଥାନା ଭିତରକୁ ଧସେଇ ପଶିବାକୁ ବିଜେଡି ନେତା, କର୍ମୀ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ,ଗତକାଲି ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳିକା ଜଣକ ସାଇକେଲରେ ନିଜ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ରୁ ୪ ଜଣ ଯୁବକ ନାବାଳିକାଙ୍କୁ ଅଟକାଇ କିରୋସିନ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ନାବାଳିକା ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। କିଭଳି ସ୍ଥିତିରେ ଏହି ଘଟଣାଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ବଳଙ୍ଗା ପୋଲିସ୍। ପୀଡି଼ତା ଜଣକ ଯୁକ୍ତ ଦୁଇର ଯାତ୍ରୀ ହୋଇଥିବା ଜଣାପଡିଛି।