Naveen Patnaik : ନୂଆଦିଲ୍ଲୀ: ୱାକଫ ବିଧେୟକକୁ ନେଇ ବିଭିନ୍ନ ରାଜନୀତିକ ଦଳ ଏବେ ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ହେବ। ହେଲେ ଆମ ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳରେ କନ୍ଦଳ ଥମିବାର ନାଁ ଧରୁନି। ଦଳ ଭିତରେ ଥିବା ଜଣେ ନେତା ଅନ୍ୟ ଜଣଙ୍କ ବିରୁଦ୍ଧରେ ମିଡିଆରେ କହିବା ତଥା ଚର୍ଚ୍ଚା କରିବା ଛାଡ଼ୁ ନାହାନ୍ତି। ରାତି ଦିନ ମିଡିଆ ଚର୍ଚ୍ଚା ଚାଲୁଛି, କର୍ମୀ ଓ ସାଧାରଣ ଲୋକେ ଏଥିରେ ବିଭ୍ରାନ୍ତ ବି ହେଉଛନ୍ତି। ଏ ଭିତରେ ଦଳର ସଭାପତି ଏ ବିବାଦକୁ ପ୍ରଶମିତ କରିବା ଯେଉଁ ବୟାନ ରଖିଛନ୍ତି ତାହା ବିବାଦକୁ ଆହୁରି ଗୋଳିଆ କରିଛି।
ନବୀନ ତିନୋଟି ବିଷୟକୁ ତାଙ୍କ ମନ୍ତବ୍ୟରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ହେଉଛି, କାର୍ତ୍ତିକେୟ ପାଣ୍ଡିଆନ ଦଳ ଛାଡ଼ିଛନ୍ତି। ନବୀନ କହିଛନ୍ତି ଶ୍ରୀ ପାଣ୍ଡିଆନ୍ ଗତ ଦଶ ମାସରୁ ଅଧିକ ସମୟ ହେଲାଣି ଦଳ ଛାଡିଲେଣି ଏବଂ ଏଵେ ସେ ଦଳର କୌଣସି କାମରେ ସମ୍ପୃକ୍ତ ନାହାନ୍ତି। ତେଣୁ ଦଳର, କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ।"
ଏଠି ପ୍ରଶ୍ନ ଉଠୁଛି ଶ୍ରୀ ପାଣ୍ଡିଆନ୍ କେବେ ଦଳ ଛାଡ଼ିଲେ। ନିର୍ବାଚନରେ ବିଜେଡିକୁ ଲୋକେ ପ୍ରତ୍ୟାଖ୍ୟାନ କରିବା ପରେ ଯେତେବେଳେ କର୍ମୀ ତାତିଲେ, ସେତେବେଳେ ସୋଶାଲ୍ ମିଡିଆରେ ଶ୍ରୀ ପାଣ୍ଡିଆନ୍ କହିଥିଲେ, ସେ ସକ୍ରିୟ ରାଜନୀତିରୁ ଅବସର ନେଉଛନ୍ତି। ସେ କୌଣସି ପଦପଦବୀ ନୁହେଁ ତାଙ୍କର ଗୁରୁ ନବୀନ ପଟ୍ଟନାୟକଙ୍କୁ ସହାୟତା କରିବା ତଥା ତାଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ସେ ରାଜନୀତିକୁ ଆସିଥିଲେ।
ଅର୍ଥାତ୍ ସେ ସକ୍ରିୟ ରାଜନୀତିରୁ ଅବସର ନେଇଛନ୍ତି ବୋଲି କହିଥିଲେ ବି ଦଳରୁ ଇସ୍ତଫା ଦେଇ ନାହାନ୍ତି। ଯଦି ଇସ୍ତଫା ଦେଇଛନ୍ତି ତେବେ ଦଳ ତାଙ୍କ ଇସ୍ତଫା ବିଜ୍ଞପ୍ତି କେଉଁଠି ପ୍ରକାଶ କରିଛି କି? ପୁଣି ଏବେବି ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳୁଛି ବୋଲି ବିଜେଡିର ନେତାମାନେ କହିଛନ୍ତି। ପୁଣି ନବୀନଙ୍କ ସହିତ ସେ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି। ଏଣୁ ସେ ଦଳ ଛାଡ଼ିଛନ୍ତି ବୋଲି କହିବା ଠିକ ହେବ ନାହିଁ।
ପୁଣି ଯେତେବଳେ ଯିଏ ପାଣ୍ଡିଆନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ତାଙ୍କ ଉପରେ ନିର୍ଘାତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିକଟରେ ପ୍ରଭାତ ତ୍ରିପାଠୀ ଏ ବିଷୟକୁ ସାମ୍ନାକୁ ଆଣି ଦଳରୁ ବହିଷ୍କାର ହୋଇଥିବା ସଭାପତି ସୂଚନା ଦେଇଛନ୍ତି।
ପୁଣି ଯେତେ ବଡ଼ ନେତା ହେଲେବି ଏ ବିଷୟକୁ କେବେ ପସନ୍ଦ କରିନାହାନ୍ତି ନବୀନ। ଗତକାଲି ବଡ଼ ବଡ଼ ହୋଟେଲରେ ବିଜେଡ଼ି ନେତାମାନଙ୍କ ବୈଠକକୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ "ଦଳର ମୁଖ୍ୟାଳୟ ଶଙ୍ଖ ଭବନ ବହୁତ ବଡ଼ ଓ ଅନେକ ସୁବିଧା ମଧ୍ୟ ରହିଛି। ତେଣୁ ସେଠାରେ ବୈଠକ ନ କରି ହୋଟେଲରେ ବୈଠକ କରିବା ଘଟଣାକୁ ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଶଙ୍ଖ ଭବନରେ ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ।
ଦ୍ୱିତୀୟ ପ୍ରଶ୍ନ ହେଉଛି ୱାକଫ ଆଇନ ସଂଶୋଧନ ବିଧେୟକରେ ଦଳର ନେତାମାନଙ୍କୁ ‘ବିବେକାନୁମୋଦିତ’ ମତ ଦେବାକୁ କିଏ କହିଥିଲେ? ଏ ପ୍ରଶ୍ନର ଉତ୍ତର ଏଯାଏ ନବୀନ ଦେଇ ନାହାନ୍ତି। ଅର୍ଥାତ୍ ନବୀନ ମୂଳ ପ୍ରସଙ୍ଗକୁ ଏଡ଼ାଇ ଆଉ ଏକ ପ୍ରସଙ୍ଗ ସୃଷ୍ଟି କରିବାକୁ ଚାହୁଁଛନ୍ତି। କଥାରେ ଅଛି ଗୋଳିଆ ପାଣିରେ ହିଁ ରାଜନୀତି କରାଯାଏ। ଆଉ ନବୀନଙ୍କ ମତ ପରିସ୍ଥିତିକୁ ଆହୁରି ଗୋଳିଆ କରି ତା ଦ୍ୱାରା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ଦିଷ୍ଟ ହୋଇପାରେ। ହେଲେ ପ୍ରଶ୍ନ ଉଠୁଛି ଏହା କ’ଣ ଦଳକୁ ଫାଇଦା ଦେବ?