Hindi News >>Home >>Odisha State

ସୁରକ୍ଷା କବଚରୁ ନୃଶଂସ ପାଲଟିଲା ପୋଲିସ

Questions on women's safety : ସୁରକ୍ଷା କବଚ କୁହାଯାଉଥିବା ପୋଲିସ ଗୁଣ୍ଡାଗର୍ଦ୍ଦି ର ଚରମ ସୀମାରେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ମହିଳାଙ୍କ ପ୍ରତି ପୁଲିସ୍‌ କରିଛି ଅମାନବୀୟ ଆଚରଣ।

Advertisement
police
police
Zee Odisha Desk|Updated: Jun 27, 2024, 09:41 AM IST
Share

odisha news : " ଗାଁ କୁ କାମ ମା କୁ ସମ୍ମାନ " ର  ନାରା ଦେଇ ସବୁବେଳେ ନାରୀକୁ ସମ୍ମାନ ଦେବାକୁ ସରକାର ପ୍ରାଥମିକତା ଦେଇ ଆସିଛନ୍ତି।କିନ୍ତୁ ତାର ବାସ୍ତବ ଚିତ୍ର କିଛି ଅଲଗା ରହିଛି। ସୁରକ୍ଷା କବଚ କୁହାଯାଉଥିବା ପୋଲିସ ଗୁଣ୍ଡାଗର୍ଦ୍ଦିର ଚରମ ସୀମାରେ ପହଞ୍ଚିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ସାମାନ୍ୟ କଥାକୁ ନେଇ ପୁଲିସ୍‌ ଘଟାଇଛି ଲଜ୍ଜାଜନକ କାଣ୍ଡ।

କୋଳରେ ଦୁଇ ଛୁଆଙ୍କୁ ଧରି ଥାନାକୁ ଯାଇଥିବା ଜଣେ ମହିଳାଙ୍କ ପ୍ରତି ପୁଲିସ କରିଛି ଅମାନବୀୟ ଆଚରଣ। ନିଜ ବର୍ଦ୍ଦିର ତାତି ଦେଖାଇବାକୁ ଯାଇ କିଛି ପୁରୁଷ ପୁଲିସ୍ କର୍ମଚାରୀ ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଭାବେ ଟେକି ଟେକି ନେଇ ଯିବାର ଲଜ୍ଜାଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଫଳରେ ପୁଲିସ ବର୍ଦ୍ଦି ତଳେ ଲୁଚିଥିବା ଅସଲ ଚେହେରା ପଦାରେ ପଡ଼ିଛି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘର ରାଜନଗରରେ। ତାଙ୍କ ସ୍ୱାମୀ ଚାନ୍ଦବାଲିରେ ରହି ଗାଡ଼ି ଚଳାଇଥାନ୍ତି। ମାତ୍ର ଏଠାରେ ତାଙ୍କ ସ୍ୱାମୀଙ୍କୁ କିଏ ମାରପିଟ କରିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଖବର ପାଇ ସେ ନିଜ ଦୁଇ ଛୁଆ ଓ ନଣନ୍ଦ ଥାନାକୁ ଆସିଥିଲେ। ଏଠାରେ ଥିବା ସମୟରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଉଥିଲା। ସେ ଥାନା ସମ୍ମୁଖରୁ ଏକ ନୂଆ ଚପଲ ପିନ୍ଧି ଯାଇଥିବା ବେଳେ ଖୋଳକୁ ସେଠାରେ ଫୋପାଡ଼ି ଦେଇଥିଲେ। ଉକ୍ତ ଖୋଳରେ ତାଙ୍କ ଝିଅ ଖେଳିବାରୁ ତାହାକୁ ସେ ଫୋପାଡ଼ି ଦେଇଥିଲେ।

ମାତ୍ର ଉକ୍ତ ଖୋଳକୁ ଡଷ୍ଟବିନରେ ପକାଇବାକୁ ଜଣେ କନଷ୍ଟେବଳ ତାଗିଦ କରିଥିଲେ। ମାତ୍ର ସେ ମନା କରିବାରୁ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ତାଙ୍କ ଗାଲକୁ ସାତଆଠ ଚାପୁଡ଼ା ମାରିଥିଲେ। ସେ ପାଟି କରିବାରୁ କନଷ୍ଟେବଳ ଜଣକ ତାଙ୍କୁ ଏକ ବାଡ଼ିରେ ନିର୍ଧୂମ ପିଟିଥିଲେ। ଏହାପରେ ୩ ଜଣ ପୁଲିସ୍‌ ପହଞ୍ଚି ତାଙ୍କୁ ଜବରଦସ୍ତି ଟଣା ଓଟରା କରିଥିଲେ।  ଟଣାଓଟରା କରିବାରୁ ତାଙ୍କ ପିନ୍ଧା ଶାଢୀ ଚିରି ଯାଇଥିବା କହିଛନ୍ତି ସଂପୃକ୍ତ ମହିଳା। ସେହି ସମୟରେ ତାଙ୍କ ସ୍ୱାମୀ ପୁଲିସ୍‌ ଥାନା ଆଗରେ ଛିଡ଼ା ହୋଇଥିବାର ଦେଖି ପୁଲିସ ମହିଳାଙ୍କୁ ଛାଡ଼ି ଦେଇଥିଲେ। ନଚେତ ‘ମୋ ଅବସ୍ଥା କ’ଣ ହୋଇଥାନ୍ତା ତାହା ମୁଁ ଭାବି ପାରୁନି’ ବୋଲି ମହିଳା ଜଣକ କହିଛନ୍ତି।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଚାନ୍ଦବାଲି ଏସଡିପିଓ କହିଛନ୍ତି, ଘଟଣାର ତଦନ୍ତ ହେବ। ଯିଏ ଦୋଷୀ ହୋଇଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟଯେ, କିଛି ଦିନ ତଳେ ପୁଲିସ ମୁଖିଆମାନଙ୍କୁ ଡାକି ଥାନାରେ ଲୋକଙ୍କ ପ୍ରତି କିଭଳି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ନିର୍ଦ୍ଦେଶ ଦେଇଥିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ନିର୍ଦ୍ଦେଶକୁ ସପ୍ତାହେ ପୂରି ନ ଥିବା ବେଳେ ଚାନ୍ଦବାଲି ପୁଲିସ ଦେଖାଇ ଦେଇଛି ନିଜ ଅସଲ ଚେହେରା। କ୍ୟାମେରାରେ ଧରାପଡ଼ିଛି ପୁଲିସ୍‌ର ସତ। ଏବେ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର।

Read More
{}{}