Odisha cabinet expansion: ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ନେଇ ଚର୍ଚ୍ଚା ଏବେ ଜୋରଦାର ହୋଇଛି। ସଭାପତିଙ୍କ ଇଙ୍ଗିତ ଏହାକୁ ଖୋରାକି ଦେଇଛି। ଏହି ଚର୍ଚ୍ଚା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିଦ ଉଡ଼ାଇବାକୁ ଯାଉଛି। କାରଣ ଖାଲିଥିବା ମନ୍ତ୍ରୀପଦବୀ ଭର୍ତ୍ତି କରିବା ଯେତିକି ସମ୍ବେଦନଶୀଳ ନୁହେଁ ଅକାମୀ ମନ୍ତ୍ରୀଙ୍କୁ ବାହାର କରିବା ତା’ଠୁ ଅଧିକ ବିପଜ୍ଜନକ। ଏହା ଦଳ ଓ ସରକାରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିପାରେ।
ରାଜ୍ୟରେ ଜୁନ୍ ୧୨, ୨୦୨୪ରେ ବିଜେପି ଏକାକୀ ସରକାର ଗଢ଼ିଥିଲା। ଏହାଥିଲା ପ୍ରଥମ ସରକାର ଯାହା ୨୪ ବର୍ଷର ଏକ ନିରନ୍ତର ସରକାରକୁ ପରିବର୍ତ୍ତନ କରିଥିଲା। ନିର୍ବାଚନ ହେବା ପୂର୍ବରୁ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ପାଇବ ତାହା ଆଶଙ୍କା ଭିତରେ ଥିଲା। ବିରୋଧୀ ଦଳର ନେତା ଓ ପ୍ରାର୍ଥୀଙ୍କ କଥା ଛାଡ଼ନ୍ତୁ ବିଜେପିକୁ ନିଜ ଦଳର ନେତାଙ୍କ ସହ ଲଢ଼ିବାକୁ ପଡ଼ିଥିଲା। ଆଜି ବି ସେଇ ପରିସ୍ଥିତି ରହିଛି; ଯେଉଁଥିପାଇଁ ୧ ବର୍ଷ ବିତିଥିଲେ ମଧ୍ୟପ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁ ନାହିଁ।
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ସରକାରଙ୍କ ପାଖରେ ଯେତିକି ବିଧାୟକ ତାହାର ଏକ ତୃତୀୟାଂଶ ମନ୍ତ୍ରୀ ଆସନ ପାଇପାରିବେ। ଅର୍ଥାତ୍ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରୀ ହେବାକୁ ଯୋଗ୍ୟ। ହେଲେ ଜୁନ୍ ୧୨ ତାରିଖରେ ୧୫ଜଣ ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଲେ। ଅର୍ଥାତ୍ ସେତେବେଳେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୧୬ ରହିଲା। ଅର୍ଥାତ୍ ୬ ପଦବୀ ଖାଲିପଡ଼ିଲା। ଆଜିଯାଏ ସମାନ ଅବସ୍ଥା ଜାରି ରହିଛି।
ବିଧାୟକ ହୋଇଥିବା ସମସ୍ତ ନେତା ମନ୍ତ୍ରୀ ହେବାକୁ ଆଶା କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଯେଉଁମାନେ ପ୍ରବଳ ଆଶାୟୀ ସେମାନଙ୍କ ହାତରୁ ଏକବର୍ଷ ବିତିଗଲାଣି। ସେହିପରିତ ଯେଉଁମାନେ ନିର୍ବାଚନରେ ହାରିଛନ୍ତି କିନ୍ତୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କୁ ସରକାର ବିଭିନ୍ନ ନିଗମର ସଭାପତି ରହିଥାଆନ୍ତି। ଏହା ବି ଏଯାଏ ହୋଇପାରି ନାହିଁ। ଏ ସଂଖ୍ୟା ୧୦ରୁ ଅଧିକ ହେବ।
ଏହି ପଦବୀ ପୂରଣ ନ ହୋଇପାରିବା ପଛରେ ଯେଉଁ କାରଣଟି ରହିଛି ତାହା ହେଲା ବିଜେପି ରାଜ୍ୟ ନେତୃତ୍ୱ ପ୍ରଚ୍ଛଦପଟ୍ଟରେ ଗୋଷ୍ଠୀ ବିବାଦ ବା ପ୍ରଭାବ ବିସ୍ତାର ରାଜନୀତି। ଏହି ଗୋଷ୍ଠୀ ଭିତରୁ ଗୋଟିଏ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଆଉ ଗୋଟିଏ ହେଉଛି ରାଜ୍ୟ ଅଧ୍ୟକ୍ଷ ମନମୋହନ ସାମଲଙ୍କ ଗୋଷ୍ଠୀ। କିଛିଦିନ ହେଲା କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ନିରସ୍ତ୍ର ହେବା ପରି ଅନୁଭବ ହେଉଛି। ଏପରିକି ରାଜ୍ୟ ସଭାପତି ନିର୍ବାଚନରେ ତାଙ୍କ ଗୋଷ୍ଠୀଙ୍କୁ କେନ୍ଦ୍ରୀ ନେତୃତ୍ୱ ସିଧାସଳଖ ନା କରିବା ଧର୍ମେନ୍ଦ୍ରଙ୍କୁ ଅନେକ ଆଘାତ ଦେଇଛି ବୋଲି କୁହାଯାଏ। ସେଥିଲାଗି ଧର୍ମେନ୍ଦ୍ର ସଭାପତିଙ୍କୁ ଫୁଲ ତୋଡ଼ାଟିଏ ଦେଇ ଶୁଭେଚ୍ଛା ଜଣାଇବାକୁ ଆସିଲେ ନାହିଁ ବୋଲି କୁହାଯାଉଛି।
ଏବେ ମନମୋହନଙ୍କୁ ରାଜ୍ୟ ଅଧ୍ୟକ୍ଷ ଭାବେ ସମ୍ପୂର୍ଣ୍ଣ ଦାୟିତ୍ୱ ମିଳିବା ତାଙ୍କୁ ଆଗକୁ ସୁପର ସିଏମ୍ରେ୍ ପରିଣତ କରିପାରେ। କାରଣ ମୁଖ୍ୟମନ୍ତ୍ରୀଙ୍କ ସରଳତାର ସୁଯୋଗ ମନମୋହନଙ୍କ ଭଳି ଅଭିଜ୍ଞ ନେତାମାନେ ଉଠାଇପାରନ୍ତି ଯେମିତି ଆଗରୁ ଧର୍ମେନ୍ଦ୍ର କରୁଥିବା କୁହାଯାଏ। ତାହା ହେଲେ ଧର୍ମେନ୍ଦ୍ରଙ୍କ ପସନ୍ଦିତ ମନ୍ତ୍ରୀମାନଙ୍କ ଅବସ୍ଥା ଛ’ଅଣା ଦି’ପଇସା ହୋଇଯାଇପାରେ। ଅବଶ୍ୟ ଏ ଗୋଷ୍ଠୀରୁ କିଛି ମନ୍ତ୍ରୀ ଏବେ ମୁଖ୍ୟମନ୍ତ୍ରୀଙ୍କ ପାଖ ଆଖରେ ଅଧିକ ବୁଲୁଥିବା ନଜରକୁ ଆସୁଛି କିନ୍ତୁ ସେମାନଙ୍କ ମନ୍ତ୍ରୀପଦ ଯିବାର ଆଶଙ୍କା ବଢ଼ିଛି।
ସାମ୍ବିଧାନକ ବ୍ୟବସ୍ଥାକୁ ଦେଖିଲେ, ମନ୍ତ୍ରିମଣ୍ଡଳର ଅଦଳବଦଳ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଯଦି ଆଉ କୌଣସି ଅଥରିଟି ରହିବେ ତେବେ ଏହି ବ୍ୟାପାର କେବଳ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାରେ ରହିବ। ଏଠାରେ ଦଳକୁ ଗୁରୁତ୍ୱ ଦିଆଯାଉଥିବାରୁ ସଂଗଠନ ଏବଂ ଦଳରେ ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କୁ ଥଇଥାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେ। ଆଉ ଯେଉଁମାନେ ପୂର୍ବରୁ କାର୍ଯ୍ୟ କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି ସେମାନେ ଦାୟିତ୍ୱ ଛାଡ଼ିବାକୁ ବାଧ୍ୟ ହେବେ। ଏହି ତାଲିକାରେ କିଏ ରହିବେ ବା ନ ରହିବେ ତାହା ଭବିଷ୍ୟତ କହିବ।