Modi Guarantee for Odisha: ମାର୍ଚ୍ଚ ୫ ତାରିଖ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯାଜପୁର ଠାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଚଣ୍ଡିଖୋଲ ଠାରେ ଆୟୋଜିତ ହୋଇଥିବା ସରକାର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ ନିଜର ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ହେଉଛି ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ। ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଜୁ ବାବୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ରହିଥିଲେ। ଦେଶ ଏପରିକି ବିଦେଶର ସ୍ବାଧିନତା ସଂଗ୍ରାମରେ ମଧ୍ୟ ନିଜର ଗୁରୁତ୍ବପୁର୍ଣ ଅବଦାନ ରଖିଛନ୍ତି। ଓଡ଼ିଶାର ଉନ୍ନତି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ସାରା ଜୀବନ କାମ କରିଛନ୍ତି।
୧୯୯୦ ମସିହାରେ କଳିଙ୍ଗ ନଗରକୁ ଶିଳ୍ପାଞ୍ଚଳ କରିବା ପାଇଁ ବିଜୁ ବାବୁ ଚିନ୍ତା କରିଥିଲେ। ଏବେ କଳିଙ୍ଗ ନଗର ଦେଶର ଷ୍ଟିଲ ହବ୍ ହୋଇପାରିଛି। କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶ କଳିଙ୍ଗ ନଗର ଠାରେ ଷ୍ଟିଲ ହବ୍ ହେବା ଦ୍ୱାରା ଲାଭବାନ ହେଉଛି। ଖୁସିର କଥା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମ ସହି ଉପସ୍ଥିତ ଅଛନ୍ତି। ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଓଡିଶାକୁ ସ୍ୱାଗତ କରୁଛି। ସେ ଭାରତ ବର୍ଷ ପାଇଁ ଏକ ନୂତନ ଦିଗ ସ୍ଥିର କରିଛନ୍ତି। ଏହାକୁ ଏକ ଅର୍ଥନୈତିକ ଶକ୍ତି କେନ୍ଦ୍ରରେ ପରିଣତ କରିବା ପାଇଁ ସେ ଭାରତ ବର୍ଷକୁ ଆଗେଇ ନେଉଛନ୍ତି। ଭାରତ ବର୍ତ୍ତମାନ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇସାରିଛି। ବିକିଛି ବର୍ଷ ମଧ୍ୟରେ ଭାରତ ବର୍ଷ ବିଶ୍ୱର ତୃତୀୟ ବୃହତ୍ତନ ଅର୍ଥନୀତି ହେବ।
ଖୁସିର କଥା ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ମଙ୍ଗଳବାର ରାଜ୍ୟ ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ରାଜ୍ୟର ବିକାଶ ଉପରେ ଧ୍ୟାନ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି। ଆଜି ଓଡି଼ଶା ପୂର୍ବ ଭାରତରେ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହେବାକୁ ଯାଉଛି। ଭିତ୍ତିଭୂମି ବିକାଶରେ ଉଭୟ ସାମାଜିକ ଏବଂ ଭୌତିକ କ୍ଷେତ୍ରରେ ରାଜ୍ୟରେ ଆଜି ରୂପାନ୍ତର ଆସିଛି। ମିଶନ ଶକ୍ତି ମାଆ ଆଜି ଉଦ୍ୟୋଗୀ ହେବାକୁ ଆଗେଇ ଆସୁଛନ୍ତି। ପୁଞ୍ଜିନିବେଶ କ୍ଷେତ୍ରରେ ଓଡିଶା ଏବେ ଦେଶରେ ଏକ ପ୍ରମୁଖ ରାଜ୍ୟ ହୋଇ ପାରିଛି।
ମହାପ୍ରଭୁଙ୍କ ଆଶୀର୍ବାଦ ତଥା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଶୁଭେଚ୍ଛା ଏବଂ ସହଯୋଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇସାରିଛି। ମାଆ ବିରଜାଙ୍କ ମନ୍ଦିରର ରୂପାନ୍ତର କାମ ଚାଲିଛି। ବିକାଶ ଆଜି ରାଜ୍ୟର ନୂଆ ପରିଚୟ ହୋଇଛି। ଆଗକୁ ଆହୁରି ଅନେକ କାମ କରିବାକୁ ରହିଛି। ରାଜ୍ୟର ବିକାଶ ପାଇଁ ସାଢେ ଚାରି କୋଟି ଓଡିଶାବାସୀଙ୍କ ଉଦ୍ୟମରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି। ବନ୍ଦେ ଉତ୍କଳ ଜନନୀ।