Chitalagi Amavasya 2025: ଆସନ୍ତାକାଲି ୨୪ତାରିଖ ଗୁରୁବାର ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ର ଚିତାଲାଗି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏହି ଗୁପ୍ତନୀତି ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅନୁଷ୍ଠିତ ହେବ। ଏଣୁ ଆପାତତଃ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ପ୍ରାୟ ଚାରି ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଅଛି।
ସ୍ନାନ ପୂର୍ଣ୍ଣିମାରେ ଠାକୁରେ ଅଣସରକୁ ବିଜେ ସମୟରେ ଏହି ରତ୍ନଚିତା କଢାଯାଇଥିଲା। ଚିତାଲାଗି ରେ ଅସଲ ଚିତାଲାଗି ହେବେ ଠାକୁର। ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ। ସୁଦ୍ଧସୁଆରମାନେ ରତ୍ନ ସିଂହାସନ ତଳେ ସ୍ବର୍ଣ୍ଣ ଓଷ ପ୍ରସ୍ତୁତ କରିବେ। ବାଡ଼ଗ୍ରାହୀମାନେ ସୁଦ୍ଧ ସୁଆର ଦେଇଥିବା ଓଷ ଚିତା ଲାଗି କରାଇବେ। ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକ ଚିତା ଲାଗି ହେବ।
ଚିତାଲାଗି ଅମାବାସ୍ୟା ଦିନ ଘରେ ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଇଥାଏ । ଏହି ପିଠାକୁ ଧାନ କ୍ଷେତ, ବାଡ଼ିବଗିଚା, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାଙ୍କୁ ପାଇଁ ସମର୍ପଣ ଉଦ୍ଦେଶ୍ୟରେ ପୋତାଯାଇଥାଏ । ଏହା ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ ଲଗାଯାଇଥାଏ । ଏହି ସମୟରେ ବର୍ଷା ଯୋଗୁଁ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି । ଗେଣ୍ଡା ମାନେ ଚାରା ସବୁ କାଟିବା ସହ ବଛା ଖେଳା ବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାମୁଡ଼ି ଦେଇଥାଆନ୍ତି । ଏଥିରୁ ରକ୍ଷା ପାଇବା ଲାଗି ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗା ଯାଇଥାଏ । ଫଳରେ ବିଲରେ ଥିବା ଗେଣ୍ଡା ମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରା ଗଛ ଓ ମଣିଷଠାରୁ ଦୂରରେ ରହିଥାଆନ୍ତି । ପରମ୍ପରା ଅନୁଯାୟୀ,ଏହି ଦିନ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅ ପିଲା ମାନେ ପିଠା ନିକ୍ଷେପ କରି ବାପା, ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କୁହନ୍ତି।‘ଗେଣ୍ତେଇଶୁଣିଲୋ ଗେଣ୍ତେଇଶୁଣି ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ, ମୋତ ବୋଡ଼ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ । ଆମ ଫସଲ ଗୋଡ଼ କାଟିବୁ ନାହିଁ’। ଏହି କାରଣ ଯୋଗୁଁ ଏହି ଓଷାରେ ଗେଣ୍ତାମାନଙ୍କୁ ଗେଣ୍ତେଇଷୁଣୀ ନାମରେ ମଧ୍ଯ ପୂଜା କରାଯାଇଥାଏ ।
ଜଗନ୍ନାଥ ମନ୍ଦିର ଏମିତି ପାଳନ ହୁଏ ଚିତାଲାଗି ଅମାବାସ୍ୟା:
ସ୍ନାନ ପୂର୍ଣ୍ଣମା ଦିନ ଶ୍ରୀଜିଉଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହାକୁ ଶ୍ରାବଣ ମାସ ଅମାବାସ୍ୟା ତିଥିରେ ପୁର୍ନବାର ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ବଳଭଦ୍ରଙ୍କ ମସ୍ତକରେ ନୀଳା ଖଚିତ ନିଳ ଚିତା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ । ପରମ୍ପରା ମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩ ଶହ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି କୁହାଯାଇଥାଏ ।