CM Naveen Patnaik Inaugurates Jeypore Sports Complex: ମାର୍ଚ୍ଚ ୧୩ ତାରିଖ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟର ୧୨ ଜିଲ୍ଲାରେ ୨୬ ବହୁମୁଖୀ ଇନଡୋର ଷ୍ଟାଡିୟମ ମଧ୍ୟ ଶୁଭାରମ୍ଭ କରିଛନ୍ତି। ପ୍ରାୟ ୧୧ ଏକର ପରିମିତ ଏହି ଜୟପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ସହ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି। ଯେଉଁଠି ପ୍ରାୟ ୫୦୦ ଦର୍ଶକ ବସିବାର କ୍ଷମତା ରହିଛି। ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ ସେଣ୍ଟର, ଅଲିମ୍ପିକ୍ ଆକାର ସୁଇମିଂ ପୁଲ୍, ଦୁଇଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି।
ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ୧୨ ଜିଲ୍ଲାରେ ୨୬ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ ସହ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡାର ବିକାଶ ପାଇଁ 5T ଉପକ୍ରମ ଅଧିନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।
ଏହି ପ୍ରକଳ୍ପ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୟପୁର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ। ଦକ୍ଷିଣ ଓଡିଶାରେ କ୍ରୀଡାର ବିକାଶ ପାଇଁ ଏହି କମ୍ପ୍ଲେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏକ ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଏହା ଦ୍ୱାରା ଓଡିଶା ଆଜି ସାରା ବିଶ୍ୱରେ କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲ ଅନୁସରଣ କରୁଛନ୍ତି।
ଇନ୍ଡୋର ଷ୍ଟାଡିୟମ ଉଦ୍ଘାଟନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସବୁ ଇନ୍ଡୋର ଷ୍ଟାଡିୟମ ରାଜ୍ୟରେ କ୍ରୀଡା ସଂସ୍କୃତିକୁ ଆହୁରି ଆଗକୁ ନେବ। ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଆମ ପିଲାଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ। ଗାଁ ସହ ଛୋଟ ସହରର ପିଲା ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ରାଜ୍ୟରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଜୟପୁର ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ କ୍ରୀଡାକୁ ସର୍ବୋଚ୍ଚ ସ୍ତରକୁ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ କ୍ରୀଡା ଭିତ୍ତିଭୂମି ନିର୍ମାଣ ଏବଂ ଉନ୍ନତ ତାଲିମ ପ୍ରଦାନ ମାଧ୍ୟମରେ ଓଡିଶା ଏକ କ୍ରୀଡା ପ୍ରୋତ୍ସାହକ ରାଜ୍ୟ ଭାବେ ଆଗ ଧାଡିରେ ରହି ଆସିଛି।
ଏହି କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍ କମ୍ପ୍ଲେକ୍ସ ରାଜ୍ୟବାସୀଙ୍କ ଟଙ୍କାରେ ତିଆରି ହୋଇଛି । ଏହା ରାଜ୍ୟବାସୀଙ୍କ ସମ୍ପତ୍ତି। ଆପଣଙ୍କ ସମ୍ପତ୍ତି। ଏହାକୁ ସଠିକ୍ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ନେଇ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ସ୍ୱାଗତ ଭାଷଣ ଦେଇଥିଲେ। ଏନେଇ ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଯୁଗପୋଯୋଗୀ ମାର୍ଗ ଦର୍ଶନ ପାଇଁ ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜ୍ୟରେ ୫ଟି ଉପକ୍ରମର ସଠିକ୍ ଅନୁପାଳନ କାରଣରୁ ଓଡିଶା କ୍ରୀଡା ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। କ୍ରୀଡା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।