Balasore harassment case: ଭୁବନେଶ୍ୱର: ବାଲେଶ୍ୱର ଛାତ୍ରୀ ନିର୍ଯାତନା ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଏହି ଘଟଣାରେ ସେ ଜିଲ୍ଲାପାଳ, ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ଆଶଙ୍କା କରିଛନ୍ତି। ଏଣୁ ଘଟଣାର ସିବିଆଇ ବା ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ। ଏନେଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ଦେବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଥିବା ଶ୍ରୀ ଜେନା କହିଛନ୍ତି।
ଆତ୍ମହୁତି ପୂର୍ବରୁ ପୀଡ଼ିତା ଛାତ୍ରୀ ଯଥାସମ୍ଭବ ଆଇନ ଅନୁସାରେ ସରକାରୀ ବ୍ୟବସ୍ଥାର ବିଭିନ୍ନ ଦ୍ୱାରରେ ପହଞ୍ଚି ନ୍ୟାୟ ଭିକ୍ଷା କରିଥିଲେ। କିନ୍ତୁ ନା ଜିଲ୍ଲା ପ୍ରାସନ ନା ବିଭାଗୀୟ ମନ୍ତ୍ରୀ ବା ବିଧାୟକ ଅଥବା ସାଂସଦ କେହି ତାହାକୁ ଧ୍ୟାନ ଦେଇ ନଥିଲେ। ଏପରିକି କଂଲେଜର ଆଭ୍ୟନ୍ତରୀଣ କମିଟି ଏହାକୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଗୁରୁତ୍ୱ ଦେଇଥିଲା। ଏହା ଛାତ୍ରୀଜଣଙ୍କ ସ୍ୱାଭିମାନକୁ ଆଘାତ ଦେଇଥିଲେ। ଯଦ୍ୱାରା ସେ ଅନ୍ୟୋପାୟ ନପାଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହୁତି କରିଛନ୍ତି।
ନିଜ ଜ୍ଞାତସାରରେ ଥାଇ ମଧ୍ୟ ଏହି ଅଧିକାରୀ ଓ ନେତାମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ସେମାନଙ୍କ ସମ୍ପୃକ୍ତି କେଉଁଠି ନା କେଉଁଠି ରହିଛି ବୋଲି ଆଶଙ୍କା କରିଛନ୍ତି ଶ୍ରୀ ଜେନା। ବିଚାର ବିଭାଗୀୟ ତଦନ୍ତ ହେଲେ ତାହା ନିରପେକ୍ଷ ରହିବ ଏବଂ ଏହି ସମ୍ପୃକ୍ତି ପଦାକୁ ଆସିବ ବୋଲି ସେ କହିଛନ୍ତି।
ଏବେ ସମ୍ପୃକ୍ତ ଛାତ୍ରୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଶରୀରର ୯୪ ପ୍ରତିଶତ ଜଳିଯାଇଥିବା କୁହାଯାଇଛି। ଏବେ ଦିଲ୍ଲୀ ଏମ୍ସର ବିଶେଷଜ୍ଞଙ୍କ ପରାମର୍ଶରେ ଭୁବନେଶ୍ୱର ଏମ୍ସ ଡାକ୍ତରମାନେ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି। ଆସନ୍ତା ୭୨ ଘଣ୍ଟା ପୀଡ଼ିତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି।