Odisha Political News: ଭୁବନେଶ୍ୱର: ପ୍ରାୟ ତିନି ଦଶନ୍ଧି ହେଲା କଂଗ୍ରେସ ରାଜ୍ୟର କ୍ଷମତାରୁ ଦୂରରେ ରହିଛି। ଦିନକୁ ଦିନ ଏହାର ଶକ୍ତି ବି ହ୍ରାସ ପାଉଛି। ତଥାପି ପରସ୍ପର ବିରୋଧୀ ନାରାବାଜୀ, କେନ୍ଦ୍ରୀୟ ନେତାଙ୍କ ଆଗରେ ଫେରାଦି ଆଦି କମୁ ନାହିଁ। ସଂଗଠନ ଦୁର୍ବଳ ହେଉଛି। ଲୋକେ ଆଉ କଂଗ୍ରେସ ଉପରେ ବିଶ୍ୱାସ କରୁ ନଥିବାରୁ ଆଞ୍ଚଳିକ ଦଳ ବଦଳରେ କଂଗ୍ରେସକୁ ଛାଡ଼ି ବିଜେପିକୁ ଭୋଟ ଦେଇଛନ୍ତି। ହେଲେ ବିଜେପିକୁ ଏବେ ଗ୍ରାସିଛି କଂଗ୍ରେସ ରୋଗ। ଓଡ଼ିଶା ରାଜନୀତିକ ଇତିହାସ ପୃଷ୍ଠଭୂମିରେ କିପରି ଏ ରୋଗ ବ୍ୟାପିଛି ଆସନ୍ତୁ ଏକ ତର୍ଜମା କରିବା।
ଆପଣଙ୍କୁ ରୋଗ କଥା କହିବା ପୂର୍ବରୁ ରୋଗର ଲକ୍ଷଣ ବାବଦରେ କିଛି ସୂଚନା ଦେବାକୁ ପ୍ରୟାସ କରୁଛୁ। ପ୍ରଥମ କଥା ହେଉଛି ଏ ରୋଗ ବ୍ୟାପିଲେ କ୍ଷମତାସୀନ ମନ୍ତ୍ରୀଙ୍କ ଆସନ ବି ଟଳମଳ ହେଉଥାଏ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଆସନ ବି ସ୍ଥିର ରହେ ନାହିଁ। ତାଙ୍କ ବିରୋଧରେ କିଛି ମେଣ୍ଟ ଯାଇ କେନ୍ଦ୍ରୀୟ ନେତାଙ୍କ ଘରେ, କାର୍ଯ୍ୟାଳୟରେ କଫି ହାଉସରେ ଗପ କରନ୍ତି। ତାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଲବି କରନ୍ତି। ସ୍ୱାଧୀନତା ପରେ ସରକାର ଗଠନ ବେଳରୁ ହିଁ ଏହି ସମସ୍ୟା ଦେଖିବାକୁ ମିଳିଛି। ପ୍ରଥମ ବିଧାନସଭା କଥା ଟିକେ ମନେ ପକାଉଛି। ଏହା ଏକ ବିସ୍ତୃତ ଅଧ୍ୟାୟ କିନ୍ତୁ ସଂକ୍ଷେପରେ ଏହାକୁ ସୂଚିତ କରିବା। ପ୍ରଥମ ବିଧାନସଭା ଗଠନ ୧୯୫୨ରେ ହୋଇଥିଲା। ଏହି ସମୟରେ କଂଗ୍ରେସ ୬୭ ଆସନରେ ଜିତିଥିଲା। ସେତେବେଳେ ସମୁଦାୟ ଆସନ ସଂଖ୍ୟା ଥିଲା ୧୪୦। ଆଉ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବକୃଷ୍ଣ ଚୌଧୁରୀ। ହେଲେ ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରୀ ହେବାର ନିଶା ଜୋର ରହିଥିଲା। ସ୍ୱାଧୀନ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ସେ ଥିଲେ। ଏଣୁ ୧୯୫୨ ନିର୍ବାଚନ ହେବା ପରେ ସେ ହିଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁଥିଲେ। ହେଲେ ବିଧି ଅଲଗା ଚାହୁଁଥିଲା। ଓଡ଼ିଶା ରାଜନୀତିରୁ ଦୂରେଇ ରଖିବା ପାଇଁ କଂଗ୍ରେସ କର୍ତ୍ତୃପକ୍ଷ ତାଙ୍କୁ ବମ୍ବେ ରାଜ୍ୟପାଳ କରି ପଠାଇଥିଲେ। ହେଲେ ଛାଡ଼ିବା ଲୋକ ନଥିଲେ ମହତାବ। ଏମିତି ଅଙ୍କ ତିଆରି କଲେ ଯେ ତାହାର ସମାଧାନ ସୂତ୍ର କେବଳ ମହତାବଙ୍କ ହାତରେ ହିଁ ରହିଥିଲା। ମାତ୍ର ଦୁଇବର୍ଷ ନବକୃଷ୍ଣ ମୁଖ୍ୟମନ୍ତ୍ରୀ ହେବା ପରେ ହରେକୃଷ୍ଣ ମହତାବ ବମ୍ବେ ରାଜ୍ୟପାଳ ପଦବୀ ଛାଡ଼ି ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟ ବିଧାନସଭାରେ ମିଳିତ ମନ୍ତ୍ରିମଣ୍ଡଳ ହୋଇଥିଲା। ତାହା ବି ଦୁଇବର୍ଷ ନ ପୂରୁଣୁ ଭାଙ୍ଗିଲା। କେନ୍ଦ୍ର ସରକାର ଓଡ଼ିଶାରେ ପ୍ରଥମ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ।
ସେହିପରି ୧୯୬୧ ମସିହାରେ ରାଜ୍ୟରେ ୮୨ ଆସନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୟାନନ୍ଦ ପଟ୍ଟନାୟକ ବି ଏମିତି ଷଡଯନ୍ତ୍ରର ଶିକାର ହୋଇଥିଲେ। ଫଳରେ ମାତ୍ର ଦୁଇବର୍ଷ ଶାସନରେ ରହି ଇସ୍ତଫା ଦେଇଥିଲେ। ସେତେବେଳେ କାମରାଜ ପ୍ଲାନ୍କୁ୍ ଲାଗୁ କରିବା ନେଇ ଏପରି ବିରଳ ଘଟଣା ସୃଷ୍ଟି ହୋଇଥିଲା। ବିଜୁଙ୍କ ଇସ୍ତଫା ପରେ ବିରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କୁ ବିଜୁଙ୍କ ଭଲ ବନ୍ଧୁ ଭାବେ ଗ୍ରହଣ କରାଯାଏ। ହେଲେ ସେ ବି ଅଧିକ ଦିନ ତିଷ୍ଠି ପାରିଲେ ନାହିଁ। ଫଳରେ ପାଞ୍ଚ ବର୍ଷର ବିଧାନସଭାରେ ତିନିଜଣ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଶାସନ କରିଥିଲେ। ଏହି ସମୟରେ ତୃତୀୟ ମନ୍ତ୍ରିମଣ୍ଡଳର ପୁରୋଧା ତଥା ମୁଖ୍ୟମନ୍ତ୍ରୀ ହେଲେ ସଦାଶିବ ତ୍ରିପାଠୀ।
କଂଗ୍ରେସର ଏହିପରି ରାଜ୍ୟ ପ୍ରତି ବୈମାତୃକ କ୍ଷମତା ପ୍ରୟୋଗକୁ ରାଜ୍ୟବାସୀ ପସନ୍ଦ କରିଲେ ନାହିଁ। ଫଳରେ ଚତୁର୍ଥ ନିର୍ବାଚନରୁ ରାଜ୍ୟରେ ଆରମ୍ଭ ହେଲା ଅଣ କଂଗ୍ରେସ ରାଜନୀତି। କିନ୍ତୁ ଆଜିର ୟୁପିଏ ମେଣ୍ଟ ଏବଂ ଏହା ପୂର୍ବ ତୃତୀୟ ସାମ୍ମୁଖ୍ୟ ଭଳି ସେତେବେଳେ କଂଗ୍ରେସ ମେଣ୍ଟର ଅବସ୍ଥା ଥିଲା। ପ୍ରତିଟି ଦଳ ଚାହୁଁଥିଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବେ। ଏହିକ୍ରମରେ ରାଜନୀତି ଜଟିଳତା ଦେଇ ଗତି କରିଲା। ପଞ୍ଚମ ବିଧାନସଭାରେ ଦେଖିବାକୁ ମିଳିଲା କେନ୍ଦ୍ରୀୟ କଂଗ୍ରେସ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ। ଏହି ସମୟରେ ବିଶ୍ଵନାଥ ଦାସଙ୍କ ସରକାରକୁ ଉଚ୍ଛେଦ କରି କଂଗ୍ରେସ ରାଜ୍ୟସଭା ସାଂସଦ ନନ୍ଦିନୀ ଶତପଥୀଙ୍କ ନେତୃତ୍ଵରେ ସରକାର ଗଠନ ପାଇଁ ଚାହିଁଲା। ତାହା ମଧ୍ୟ ବାସ୍ତବରେ ପରିଣତ ହେଲା। ନନ୍ଦିନୀ ଏହି ସମୟରେ ଏକ ବର୍ଷରୁ କମ୍ ସମୟ ଶାସନ କରିଲେ। କିନ୍ତୁ ରାଜ୍ୟରେ ଆଇରନ୍ ଲେଡି ଭାବେ ପରିଚୟ ନେଇ ପୁଣି ନିର୍ବାଚନ ଜିତିଲେ। ୧୯୭୪ ମସିହା ଫେବୃୟାରୀରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ସବୁକିଛି ଠିକ୍ ଚାଲିଲା ନାହିଁ। କେନ୍ଦ୍ରର ହସ୍ତକ୍ଷେପ ପରେ ରାଜ୍ୟରେ ରାଜନୀତିକ ଅସ୍ଥିରତା ଲାଗି ରହିଲା। ଆଉ ନନ୍ଦିନୀଙ୍କ ମନ୍ତ୍ରିମଣ୍ଡଳ ୧୯୭୬ ଡିସେମ୍ବର ମାସରେ ଅର୍ଥାତ୍ ପ୍ରାୟ ୨ ବର୍ଷ ଶାସନ ପରେ ଇସ୍ତଫା ଦେଇଥିଲେ। ଏହାପରେ ବିନାୟକ ଆଚାର୍ଯ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ସେ ବି କଂଗ୍ରେସ କନ୍ଦଳକୁ ପ୍ରଶମିତ କରିବାରେ ସକ୍ଷମ ହୋଇପାରି ନଥିଲେ। ଫଳରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।
ଏହାପରେ କଂଗ୍ରେସ ଭାଙ୍ଗି ଚୁରମାର ହୋଇଯାଇଥିଲା। ନେତୃତ୍ଵ ନେବା ପାଇଁ ନେତାଙ୍କ ଅଭାବ ରହିଥିଲା। ସମସ୍ତେ କିନ୍ତୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ହେବେ। ଯେମିତି ରାଜ୍ୟରେ ଏବେ ବିଜେପି ଶାସନରେ ଦେଖିବାକୁ ମିଳୁଛି। ଏଠାରେ ନେତାଙ୍କ ଅଭାବ ନାହାନ୍ତି କିନ୍ତୁ ନେତାଙ୍କୁ ନେତା ବୋଲି ମାନିବା ଲାଗି ଲୋକଙ୍କ ଅଭାବ ରହିଛି। ଫଳରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶାସନ କରୁଥିଲେ ବି ଅଫିସର ବି ତାଙ୍କ କଥା ଶୁଣୁ ନାହାନ୍ତି ବୋଲି ଅଭିଯୋଗ ହେଉଛି। ବାରମ୍ବାର ମୁଖ୍ୟମନ୍ତ୍ରୀ ଏ ବିଷୟରେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି। ଜନ ପ୍ରତିନିଧିଙ୍କ କଥା ନଶୁଣୁଥିବାରୁ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ଆଉ ଯେତେବେଳେ ମୁଖ୍ୟମନ୍ତ୍ରୀ କୌଣସି ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ କେନ୍ଦ୍ରକୁ ପଠାଉଛନ୍ତି, କେନ୍ଦ୍ର ସରକାର ତାଙ୍କୁ ପୁଣି ଥରେ ଓଡିଶା ପଠାଇ ଦେଉଛନ୍ତି ଭିନ୍ନ ଦାୟିତ୍ଵରେ। ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ହତାଶ ନୁହେଁ ତ ଆଉ କ’ଣ? ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ ଏବଂ ଭିନୀଲ କ୍ରିଷ୍ଣାଙ୍କୁ କେନ୍ଦ୍ର ସରକାର ପୁଣିଥରେ ଓଡ଼ିଶା ଦାୟିତ୍ୱରେ ଫେରାଇବା ଏହାର ସ୍ପଷ୍ଟ ଉଦାହରଣ ହୋଇପାରେ।
ମୁଁ ଆଉଥରେ ଆପଣଙ୍କୁ ଟିକେ ଇତିହାସ ଆଡ଼କୁ ନେଉଛି। କଂଗ୍ରେସରେ କିପରି ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଉଥିଲା ଓ ପ୍ରତିଦିନ କେହି ନା କେହି କଂଗ୍ରେସର ବଡ଼ ନେତାଙ୍କ ପ୍ରଭାବ ଓଡ଼ିଶା ଶାସନରେ ପଡ଼ୁଥିଲା ସେ ବିଷୟକୁ ଏହା ଅଧିକ ସ୍ପଷ୍ଟ କରିବ।
ଏ ବିଷୟଟି ଜାନକୀ ବାବୁଙ୍କ ଶାସନ କାଳର। ୧୯୮୦ ମସିହାରେ କଂଗ୍ରେସକୁ ପୁଣିଥରେ ରାଜ୍ୟ ଶାସନକ ଫେରାଇ ଆଣିଲେ ଜାନକୀ ବାବୁ। ଦୁଇଥର ଲଗାତାର ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ଗୋଷ୍ଠୀ ବିବାଦକୁ ସାମ୍ନା କରିବାରେ ବିଫଳ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ୧୯୮୯ ମସିହାରେ ତାଙ୍କ ଇସ୍ତଫା କଂଗ୍ରେସକୁ ଆହୁରି ଦୁର୍ବଳ କରିଲେ। ୧୯୯୦ରେ ବିପୁଳ ବିଜୟ ଲାଭ କଲା ଜନତା ପାର୍ଟି। ହେଲେ ୧୯୯୫ ମସିହାରେ ପୁଣି ଦଳକୁ ଫେରାଇ ଆଣିଲେ ଜାନକୀ। ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ପ୍ରତିଦିନ ଏଆଇସିସି ଅଫିସରେ ଓଡ଼ିଶ ନେତାଙ୍କ ଲବି, କେନ୍ଦ୍ରୀୟ ନେତାମାନଙ୍କୁ ପ୍ରଭାବିତ କରିବାର ଉଦ୍ୟମ ପ୍ରଭୃତି ଜାନକୀଙ୍କୁ ବଡ଼ ଦ୍ୱନ୍ଦ୍ୱରେ ପକାଇଥିଲା। ୧୯୮୫ ମସିହାରେ ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ପାଇଁ ପ୍ରଥମ ଥର ପାଇଁ ରାଜ୍ୟରେ ଡେପୁଟି ମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି କରାଗଲା। ବସନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହେଲେ।
ଏବେ ଏହି ଇତିହାସର ପନରାବୃତ୍ତି ହୋଇଛି। କଂଗ୍ରେସରେ ଗୋଷ୍ଠୀକନ୍ଦଳ ରୋକିବା ଲାଗି ସେତେବେଳେ ଜଣେ ଉପମୁଖ୍ୟମନ୍ତ୍ରୀ ଥିଲେ ଏବେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ। ତଥାପି ଅସନ୍ତୋଷ କମୁ ନାହିଁ। ସେହି ଅସନ୍ତୋଷ ଏମିତି ଚରମ ହୋଇଛି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚାହିଁଲେ ଜଣେ ମନ୍ତ୍ରୀଙ୍କୁ ନୂଆକରି ନିଯୁକ୍ତି କରିପାରୁ ନାହାନ୍ତି କି କାହାକୁ ମନ୍ତ୍ରିମଣ୍ଡଳରୁ କାଢ଼ିପାରୁ ନାହାନ୍ତି। ସେକଥା ଛାଡ଼ନ୍ତୁ ମନ୍ତ୍ରିମଣ୍ଡଳର ଦାୟିତ୍ୱ ବଦଳାଇବାକୁ ବି ମୁଖ୍ୟମନ୍ତ୍ରୀ କ୍ଷମତାପନ୍ନ ନୁହନ୍ତି।
ଅର୍ଥାତ୍ ସବୁକିଛି କେନ୍ଦ୍ରୀୟ ନେତୃତ୍ୱଙ୍କ ହାତରେ ରଖି ଜଣେ ସଖି କଣ୍ଢଇ ସାଜିଥିବା ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଂଗ୍ରେସ ଶାସନରେ ଯେମିତି ହେଉଥିଲା ଏବେ ଠିକ୍ ସେମିତି ହେଉଛି । ଇତିହାସରେ ଏମିତି ସରକାରଙ୍କୁ ଲୋକେ କେବେ କ୍ଷମା କରିନାହାନ୍ତି। ଏଣୁ କଂଗ୍ରେସ ରୋଗ ଉପଶମ ନହେଲେ ରାଜ୍ୟରେ ବିଜେପିବି ସମାନ ଅବସ୍ଥା ଭୋଗିପାରେ, ନୁହେଁକି?