ଭୁବନେଶ୍ଵର: ମାଲକାନଗିରି ଜିଲ୍ଲା କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତର ଅମ୍ଳାନ ଭୋଇଙ୍କର ଆଜି ପତ୍ତା ପାଇଛି ପୁଲିସ। ଅମ୍ଳାନକୁ ସୁରକ୍ଷିତ ଭାବେ କର୍ଣ୍ଣାଟକରୁ ଠାବ କରାଯାଇଛି। ଏନେଇ ମାଲକାନଗିରି ଏସପି ନୀତୀଶ ଓ୍ବାଧଓ୍ବାନୀ ଆଜି ସୂଚନା ଦେଇଛନ୍ତି। ଏବେ ଡାକ୍ତର ଅମ୍ଳାନଙ୍କୁ ମାଲକାନଗିରିକୁ ଆଣିବାକୁ ପ୍ରକ୍ରିୟା ଚାଲିଛି। ଅନ୍ୟପଟେ ଜଣେ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ଘଟଣାକୁ କେନ୍ଦ୍ର କରି ଅମ୍ଳାନଙ୍କୁ ଅପହରଣ କରି ନିଆଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି।
ଘଟଣାନୁଯାୟୀ, ଗତ ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଖାନାରେ ପାଟିତୁଣ୍ଡ ହୋଇଥିଲା। ତେଣୁ ସେହି ଘଟଣା ସହ ଡାକ୍ତରଙ୍କ ଅପହରଣକୁ ବି ଯୋଡ଼ିବାରୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଯେଉଁମାନଙ୍କ ସହ ଡାକ୍ତରଙ୍କ ପାଟିତୁଣ୍ଡ ହୋଇଥିଲା ସେମାନଙ୍କୁ ଥାନାକୁ ଡକାଯାଇଥିଲା। ପଚରାଉଚରା ସମୟରେ ଶୁକ୍ରବାର ଡାକ୍ତରଖାନାରେ ସେମିତି କିଛି ହୋଇନଥିବା ପୁଲିସକୁ ସେମାନେ କହିଥିଲେ। ସେହିପରି ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଡାକ୍ତର ଅପହରଣ କରିନେଇଥିଲେ। ପରେ ଅମ୍ଳାନ ରହୁଥିବା କ୍ବାର୍ଟର୍ସ ସମ୍ମୁଖରୁ ମିଳିଥିବା ଚିଠିରୁ ମାଓବାଦୀ ଅପହରଣ କରିଥିବା ପୁଲିସ ପ୍ରଥମେ ଅନୁମାନ କରିଥିଲା। କିନ୍ତୁ ଉକ୍ତ ଚିଠିକୁ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। କାରଣ ଶୁଦ୍ଧ ଓଡ଼ିଆ ଭାଷା ସହ ଇଂରାଜୀ ଭାଷାରେ ଏହି ଚିଠି ଲେଖାଯାଇଛି। ପୂର୍ବରୁ ଏତେ ଶୁଦ୍ଧ ଓଡ଼ିଶାରେ ମାଓବାଦୀ ଚିଠି ଲେଖିବାର ନଜିର ନାହିଁ। ସେହିପରି ମାଓବାଦୀ କାହାକୁ ଅପହରଣ କଲେ ୨୪ଘଣ୍ଟା ମଧ୍ୟରେ ତାହାର ସୂଚନା ଗଣମାଧ୍ୟମକୁ ଦେଇଥାନ୍ତି ବୋଲି ନଜିର ରହିଛି। କିନ୍ତୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ମାଓବାଦୀ କୌଣସି ସୂଚନା ନଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଶନିବାର ବିଳମ୍ବିତ ରାତିରେ ଅମ୍ଳାନ ଏଟିଏମ୍ରୁ ଟଙ୍କା ଉଠାଇଥିଲେ। ଦୁଇଟି ମୋବାଇଲ ଫୋନ୍ ବ୍ୟବହାର କରୁଥିଲେ ବୋଲି ମଧ୍ୟ ଜଣାପଡ଼ିଥିଲା। ଗୋଟିଏ ଫୋନ୍ କ୍ବାର୍ଟର୍ସରେ ଛାଡ଼ି ଯାଇଥିଲା ବେଳେ ଆଇ ଫୋନ୍ ସାଥୀରେ ନେଇଯାଇଥିବା ପୁଲିସ କହିଥିଲା। କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଲାନଙ୍କୁ କେହି ଅପହରଣ କରି ନେଇଥିବା ଜଣାପଡ଼ି ଥିଲା। ପୁଲିସ ତାଙ୍କୁ ମାଲକାନଗିରି ଆଣିବା ପରେ ଏସମ୍ପର୍କରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି।