Flood in Keonjhar: ପ୍ରବଳ ବର୍ଷା ହେବା କାରଣରୁ କେନ୍ଦୁଝର ଜିଲ୍ଲାର ସଦର ଓ ବାଂଶପାଳ ବ୍ଲକର ଲୋକଙ୍କର ବଢ଼ିଛି ସମସ୍ୟା। ପ୍ରବଳ ବର୍ଷା କାରଣରୁ କିଛି ଲୋକ ଜଳବନ୍ଦୀ ହୋଇଥିବା ବେଳେ, ଅନ୍ୟ କେଉଁଠି ରାସ୍ତା ଧୋଇଯିବା ଯୋଗୁଁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଏକ ପାହାଡ଼ି ନାଳର ପ୍ରଖର ସ୍ରୋତ କେତେ ବିପର୍ଯ୍ୟୟ ସୃଷ୍ଟି କରିପାରେ ତାହା ନିଜେ ନଦେଖିଲେ ବିଶ୍ଵାସ କରି ହେବନାହିଁ। ଲଗାଣ ବର୍ଷା ପରେ ନାଳର ଜଳସ୍ରୋତ ଏତେ ପ୍ରଖର ଥିଲା ଯେ, ସେଥିରେ ରାସ୍ତା ସମ୍ପୁର୍ଣ୍ଣ ଧୋଇଯାଇ ସେଠାରେ ଥିବା ଏକ ବିଶାଳ ଗଛ ମଧ୍ୟ ଉପୁଡ଼ି ପଡ଼ିଥିଲା।
ଏଥିସହ, ରାସ୍ତା ମଝିରେ ଥିବା ଅନ୍ୟ ଏକ ଗଛର ମୂଳ ସମ୍ପୁର୍ଣ୍ଣ ଉପୁଡ଼ି କେବଳ ଚେର ଦେଖାଯାଉଛି। ଏହା ମଧ୍ୟ କେତେବେଳେ ଉପୁଡ଼ି ପଡ଼ିବ, ତାହା କହି ହେବ ନାହିଁ। ଏଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକର ପର୍ଜନପୁର ପଞ୍ଚାୟତ ରୁ ନୂଆଗାଁ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର। ଗତ ୨ଦିନ ତଳେ ପ୍ରବଳ ବର୍ଷାରେ ଗନ୍ଧମାର୍ଦ୍ଦନରୁ ବାହାରିଥିବା ଛିଟିଙ୍ଗା ନାଳର ପ୍ରଖର ସ୍ରୋତରେ ରାସ୍ତାର ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୨ଟି ପଞ୍ଚାୟତର ୧୦ ରୁ ୧୫ ହଜାର ଲୋକ ବିଭିନ୍ନ କାମ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି।