ଭୁବନେଶ୍ୱର: ବୈତରଣୀ ନଦୀରେ ବନ୍ୟା ଜଳ ହ୍ରାସ ପାଉଛି । ଆନନ୍ଦପୁର ଠାରେ ଜଳ ସ୍ତର ୩୫.୭୮ ମିଟର ରହିଥିଲା ଯାହା ବର୍ତ୍ତମାନ ଏହା ହ୍ରାସ ପାଉଥିବା ଜଣାଯାଉଛି । ଏଠାରେ ବିପଦ ସଂକେତ ସ୍ତର ୩୮.୩୬ ମିଟର । ସେହିପରି, ଆଖୁଆପଦା ଠାରେ ଜଳସ୍ତର ୧୮. ୫୪ ମିଟର ରହିଛି ଓ ଏହା ହ୍ରାସ ପାଉଥିବା ସ୍ଥିତିରେ ଅଛି । ଏଠାରେ ବିପଦ ସଂକେତ ସ୍ତର ୧୮. ୩୩ ମିଟର ।
ସେହିପରି ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର ୬.୬୭ ମିଟରରେ ରହିଥିଲା ଓ ଏଠାରେ ଜଳପ୍ରବାହ କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ଏଠାରେ ବିପଦ ସଂକେତ ସ୍ତର ୬.୫୦ ମିଟର ।
ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟ ଠାରେ ଜଳସ୍ତର ୫୧.୬ ମିଟର ରହିଛି ଓ ଏଠାରେ ଜଳପ୍ରବାହ ହ୍ରାସ ପାଉଥିବା ଜଣାଯାଉଛି । ଏଠାରେ ବିପଦ ସଂକେତ ସ୍ତର ୪୯ . ୧୬ ମିଟର । ସେହିପରି ରାଜଘାଟ ଠାରେ ଜଳ ସ୍ତର ୧୦.୨୦ ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏହାର, ବିପଦ ସଂକେତ ସ୍ତର ୧୦. ୩୬ ମିଟର । ଏହି ପରିପ୍ରେକ୍ଷୀରେ ୨୭.୦୭.୨୦୨୫ ରାତି ୯ ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ସର୍ବୋଚ୍ଚ ଜଳସ୍ତର ୧୧ . ୪୦ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାର ଆକଳନ କରାଯାଇଛି ।
ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ( ୨ ୪ X୭ ) କାର୍ଯ୍ୟରତ ଅଛି ଓ ସ୍ଥିତି ଉପରେ ନିକଟରୁ ନିରୀକ୍ଷଣ କରାଯାଉଛି ।
ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଞ୍ଚଳର ଲୋକମାନଙ୍କୁ ଶୀଘ୍ର ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତରଣ ଓ ରିଲିଫ କାର୍ଯ୍ୟ ପରିଚାଳନା କରିବାକୁ ସତର୍କ କରାଯାଇଛି ।
ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ (ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର)- ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବେସିନ୍), ମହାନଦୀ-ବ୍ରାହ୍ମଣୀ-ବୈତରଣୀ ସିଷ୍ଟମର ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର, ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜର ,ବୈତରଣୀ ବେସିନ୍ କ୍ଷେତ୍ରସ୍ତରରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି ।
ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ବୃଦ୍ଧିପାଉଥିବାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର ଦୁଇଜଣ ସର୍ବୋଚ୍ଚ ଯନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣରେଖା ବେସିନ୍ ଓ ବୈତରଣୀ ବେସିନକୁ ଯାଇଛନ୍ତି । ସେମାନେ ସଂପୃକ୍ତ ବେସିନ୍ ଗୁଡ଼ିକରେ ବନ୍ୟା ପରିଚାଳନା କରୁଛନ୍ତି ।
ଭଦ୍ରକରେ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ବିଭିନ୍ନ ଅଞ୍ଚଳରେ ବୈତରଣୀ ବାମ ତଟ ନଦୀ ବନ୍ଧ ନିରୀକ୍ଷଣ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ, ଭଦ୍ରକ ଏବଂ ଅରିରିକ୍ତ ମୁଖ୍ୟ ଯନ୍ତ୍ରୀ ସେମାନଙ୍କ ସହିତ ଥିଲେ ।
ବାଲେଶ୍ୱରରେ, ସର୍ବୋଚ୍ଚ ଯନ୍ତ୍ରୀ, ମନିଟରିଂ(ତଦାରଖ), ଜଳକା ନଦୀର ମଥାନୀ, ମାଟିଆସୋଲ ଏବଂ ବୁଢାବଳଙ୍ଗ ନଦୀର ଫୁଲାଡ଼ି ଠାରେ ଜଳସ୍ତର ନିରୀକ୍ଷଣ କରିବା ସହିତ ଅନ୍ୟ ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ମୟୂରଭଞ୍ଜରେ ବୋଧି ଅଂଚଳରେ ଥିବା ଜମ୍ଭିରା ନଦୀର ଦକ୍ଷିଣ ପାର୍ଶ୍ୱରେ ଏକ ଘାଇ ସୃଷ୍ଟି ହୋଇଥିଲା, ଯାହାକୁ ବାଲି ବସ୍ତା ପକାଇ ବନ୍ଦ କରାଯାଇଛି । ସୁବର୍ଣ୍ଣରେଖା ନଦୀରେ ଜଳ ପ୍ରହାହ ବୃଦ୍ଧି ପାଉଥିବାରୁ ସାରସକଣା ବ୍ଲକର ନେଡ଼ାକୁ ଯିବା ରାସ୍ତା ଉପରେ ପାଣି ଚାଲୁଛି ।
ଯାଜପୁର ଜିଲ୍ଲାପାଳ ଏବଂ ସର୍ବୋଚ୍ଚ ଯନ୍ତ୍ରୀ, ଯୋଜନା ଓ ପରିକଳ୍ପନା ବୈତରଣୀ ନଦୀର ସମ୍ବେଦନଶୀଳ ଦଶରଥପୁର ବ୍ଲକର ନୂଆପାଟଣା ଅଞ୍ଚଳ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ପରିଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ତଳିଆ ଅଞ୍ଚଳ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।
ଜଳ ସଂପଦ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ସ୍ତରରେ ପରସ୍ପର ସହଯୋଗ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟା ପରିଚାଳନା କାର୍ଯ୍ୟ ଜାରି ରଖିଛନ୍ତି । ଏନେଇ ସୂଚନା ଅଧିକାରୀ ପଠାଣି ରାଉତ ସୂଚନା ଦେଇଛନ୍ତି ।
Also Read- Weekly Tarot Reading: ନୂଆ ସପ୍ତାହଟି କିପରି କଟିବ ? ପଢନ୍ତୁ ନିଜ ରାଶିଫଳ
Also Read- ଏହି ସ୍ଥାନରେ ହେବ ସୁଭଦ୍ରା ଏନ୍ରୋଲ୍ମେଣ୍ଟ ଚେକ୍ - ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା