Puri stampede: ଭୁବନେଶ୍ୱର: ପୁରୀ ଦଳାଚକଟା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ତ୍ୱରିତ କାର୍ଯ୍ୟାନୁଷ୍ଠାନ କ୍ରମେ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ଚଞ୍ଚଲ ରାଣାଙ୍କୁ ନୂଆ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଏସ୍ପି ଭିନୀତ୍ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେହିପରି ଦୁଇ ପୋଲିସ ଅଧିକାରୀଙ୍କୁ ମଧ୍ୟ ସସପେଣ୍ଡ କରିଦିଆଯାଇଛି। DCP ଶ୍ରୀ ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଶ୍ରୀ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ସେପଟେ ରଥଯାତ୍ରା ପରିଚାଳନା ଦାୟିତ୍ୱ ପାଇଁ ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ଅଗ୍ରୱାଲ ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟରତ ରହିଛନ୍ତି।
ସେପଟେ ମୃତକଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୁରଣ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟ ସରକାର ଏହି ଦୁଃଖଦ ଘଟଣା ପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀମୋହନ୍ ଚରଣ ମାଝୀଙ୍କ ଶୋକ ପ୍ରକାଶ କରିଛନ୍ତି। ଜଗନ୍ନାଥପ୍ରେମୀଙ୍କ ପାଇଁ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ କରିଛନ୍ତି ଯେ, ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଏ-ହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ। ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।