world famous rathyatra: ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ରଥଯାତ୍ରା ସମୟରେ ପୁରୀକୁ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ନୂଆ ବ୍ୟବସ୍ଥା କରୁଛନ୍ତି ଓଏସଆରଟିସି । ଏହି ସମୟରେ ରାଜ୍ୟର ପ୍ରତିଟି ବ୍ଲକରୁ ପୁରୀକୁ ବସ୍ ସେବା ଯୋଗାଇ ଦିଆଯିବ । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ବସ୍ ଯିବ ବୋଲି ଘୋଷଣା କରାଯାଇଛି । ଏ ନେଇ ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ସଡ଼କ ପରିବହନ ନିଗମ ବୈଠକରେ ମନ୍ତ୍ରୀଙ୍କ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତି ବ୍ଲକରୁ ପୁରୀକୁ ବସ୍ ସେବା ଯୋଗାଇ ଦିଆଗଲେ ଚଳିତବର୍ଷ ରଥଯାତ୍ରାରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ।
ଲକ୍ଷ୍ମୀ ବସ୍ ପ୍ରସଙ୍ଗରେ ମଧ୍ୟ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି। ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ। ଯେଉଁ ନାମରେ ହେଉ ପଛେ ଲୋକଙ୍କୁ ସେବା ଦିଆଯିବ।
ରାଜ୍ୟରେ ଅଧିକରୁ ଅଧିକ ଇଲେକ୍ଟ୍ରିକ ବସ୍ ଚାଲିବ। ଲୋକଙ୍କୁ ଅଧିକ ବସ୍ ସେବା ପାଇଁ ପ୍ରାରମ୍ଭିକ ଭାବେ ୧୦୦ ବସ କିଣାଯିବ। ଏଥିସହ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ବସ୍ ସେବା ଆରମ୍ଭ ହେବ। ଅଯୋଧ୍ୟା, ତିରୁପତି, ମହାକାଳେଶ୍ୱର, ବାରାଣସୀ ଓ ବୃନ୍ଦାବନକୁ ବସ ଗଡ଼ିବ। ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥଳରୁ ଚାଲିବ।