ଭୁବନେଶ୍ୱର: FM କଲେଜ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ମାମଲା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । SIT ତଦନ୍ତ ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାରୁ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସକୁ ନୋଟିସ୍ ଜାରି କରାଯାଇଛି । ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏନେଇ ମତ ଦେଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ବଳଙ୍ଗାରେ ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ପୀଡ଼ିତାଙ୍କ ଗାଁରେ ପହଞ୍ଚିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ ପ୍ରସାଦ ହରିଚନ୍ଦନଙ୍କ ସମେତ କିଛି ଦଳୀୟ ନେତା ବଳଙ୍ଗାରେ ପହଞ୍ଚିଥିଲେ । ଅନ୍ୟପଟେ, ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍ । ପୀଡ଼ିତାଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ ଚାଲିଛି । କ୍ରାଇମବ୍ରାଞ୍ଚ ଓ ପୋଲିସର ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି ।
ଦୁଇଦିନ ପୂର୍ବରୁ ବାଲେଶ୍ୱର FM କଲେଜ ତଦନ୍ତ ଘଟଣାରେ ପ୍ରତିକ୍ରିୟା ରଖିଥିଲେ କ୍ରାଇମବ୍ରାଞ୍ଚ ଡିଜି । ସୂଚନା ଦେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଥିଲେ ଯେ, ବହୁତ ପ୍ରମାଣ ଯୋଗାଡ଼ କରିସାରିଛୁ । ବର୍ତ୍ତମାନ ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ତଦନ୍ତରେ ବହୁ ଲିଡ୍ ମିଳି ସାରିଛି ବୋଲି ବିନୟତୋଷ ମିଶ୍ର କହିଛନ୍ତି ।
ଏଥିସହ କ୍ରାଇମବ୍ରାଞ୍ଚ ଡିଜି ଏକଥା ମଧ୍ୟ କହିଥିଲେ ଯେ, ପୂର୍ବରୁ ଯେଉଁମାନେ ଯାହା ମତ ଦେଇଥିଲେ ଏବେ ତାହା ବଦଳୁଛି । ଜବତ ସିସିଟିଭି ଷ୍ଟେଟ୍ ଫୋରେନସିକ୍ ଲ୍ୟାବ୍କୁ ପଠାଯିବ ଏବଂ ପ୍ରତ୍ୟକ୍ଷଦର୍ଶୀ ଓ କମିଟି ସଦସ୍ୟଙ୍କୁ ପଚରାଉଚରା ଜାରି ରହିଛି । ଡିଜିଟାଲ୍ ପ୍ରମାଣକୁ ନେଇ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବୁ ବୋଲି ବିନୟତୋଷ କହିଛନ୍ତି । ଘଟଣା ପୂର୍ବରୁ ମୃତ ଛାତ୍ରୀ ପୋଲିସକୁ ଜଣାଇଥିଲେ କି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତରରେ ମତ ରଖି ସେ କହିଛନ୍ତି ଯେ, ଛାତ୍ରୀ ଜଣଙ୍କ ଏନେଇ ପୋଲିସକୁ ଜଣାଇ ନ ଥିଲେ ।
ଆପଣଙ୍କୁ କହିରଖୁଛୁ ଯେ, ବାଲେଶ୍ବର FM କଲେଜ ପୀଡିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିସାରିଛି। ପୀଡିତାଙ୍କ ପରିବାରକୁ ଭେଟି ୨୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ସାଂସଦ ପ୍ରତାପ ଷଡଙ୍ଗୀ । ପୀଡିତାଙ୍କ ମୃତ୍ୟୁ ହେବା ପରେ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା । ଏଥିସହ ବାଲେଶ୍ବର ରେଡ୍କ୍ରସ ପକ୍ଷରୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶି କଲେଜ ପରିସରରେ ପେଟ୍ରୋଲ ଢାଳି ହୋଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସରକାରୀ ଏବଂ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଥିଲେ । କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ କରାଯାଇଥିଲା ଏବଂ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା ।
Also Read- Top 10 News: ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗୃହୀତ, DFO ନିତ୍ୟାନନ୍ଦ ନାୟକ ଗିରଫ ସହ ଅନ୍ୟ ଖବର
Also Read- Shani Dev Margi 2025: ଶନି ଦେବଙ୍କ ବଡ଼ ପ୍ରଭାବ, ୩ ରାଶିକୁ ମିଳିବ କେବଳ ଲାଭ ହିଁ ଲାଭ