Odisha BJP: ଭୁବନେଶ୍ୱର: ରାଜ୍ୟ ବିଜେପିର ଡବଲ ଇଞ୍ଜିନ୍କୁ୍ ପୁଣି ଭରସା କରିଛି ଦଳ। ଯେଉଁ ନେତୃତ୍ୱ ଦଳକୁ ଅସମୟରେ ନିର୍ବାଚନ ଜିତାଇଥିଲା ତାହାରି କାନ୍ଧରେ ୨୦୨୯ର ଭିତ୍ତିଭୂମି ପକାଇବାକୁ ଭାର ଦେଇଛି । ଅବଶ୍ୟ ବିଧିବଦ୍ଧ ଭାବେ ତାଙ୍କ ନିର୍ଚାଚନ ବିଷୟ ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ କିନ୍ତୁ ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀପତ୍ର ନପଡ଼ିବ ଏହାକୁ ସ୍ପଷ୍ଟ କରିଛି। ଆଜି ଏ ନେଇ ବିଧିବଦ୍ଧ ଘୋଷଣା କରାଯିବ। ତେବେ ମନ ମୋହନଙ୍କ ନିର୍ବାଚନକୁ ଅପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଇ ନପାରେ। ବରଂ ବିରୋଧୀଙ୍କୁ ଦମନ କରାଯାଇ ମନମୋହନଙ୍କୁ ସଭାପତିତ୍ୱ ମିଳିଥିବା ନେଇ ଚର୍ଚ୍ଚା ହେଉଛି। ଆସନ୍ତୁ ନଜର ପକାଇବା କ’ଣ ସବୁ କାରଣ ଯାହା ମନମୋହନଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ କରିବାକୁ ଚାହୁଁ ନଥିଲା।
ପ୍ରଥମ କଥା ହେଉଛି ଦଳ ଭିତରେ ମନମୋହନ ଏକମାତ୍ର ସଭାପତି ପ୍ରାର୍ଥୀ ନଥିଲେ। ଏକାଧିକ ପ୍ରାର୍ଥୀ ଏ ପଦବୀ ଲାଗି ଆଶାୟୀ ଥିଲେ ଆଉ କେତେକଙ୍କୁ ଲାଳାୟିତ କରାଯାଇଥିଲା। ଅର୍ଥାତ୍ କିଛି ନେତା ମନମୋହନଙ୍କଠାରୁ କମ୍ ଯୋଗ୍ୟ ହୋଇଥିଲେ ବି ତାଙ୍କୁ ପ୍ରାର୍ଥୀ କରିବା ଲାଗି କିଛି ବରିଷ୍ଠ ନେତା ପ୍ରଭାବ ପକାଇଥିଲେ। ଆହୁରି ମଧ୍ୟ ଦଳ ବାହାରେ ଯେମିତି ମନମୋହନ ଏକମାତ୍ର ଅପ୍ରତିଦ୍ୱନ୍ଦ୍ୱୀ ବୋଲି ବାର୍ତ୍ତା ନଯିବ ସେଥିପ୍ରତି ସେମାନେ ଜାଗ୍ରତ ଥିଲେ।
ଏହି କ୍ରମରେ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା ସେହି ତାଲିକାରେ ପୂର୍ବତନ ସଭାପତି ସମୀର ମହାନ୍ତି, ଉପ ସଭାପତି ଗାଲକ ମାହାପାତ୍ରଙ୍କ ନାଁ ବି ଚର୍ଚ୍ଚା ହୋଇଥିଲା। ଆଉ ଏ ଦୁଇଜଣ ରାଜ୍ୟ ବିଜେପିର ଅନ୍ୟତମ କ୍ଷମତା କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ବୋଲି ଚର୍ଚ୍ଚା ହୁଏ। ସେହିପରି ଶେଷ ମୁହୂର୍ତ୍ତରେ ଯେତେବଳେ ଏମାନଙ୍କୁ ଆଗକୁ ନ ଆଣିବାକୁ ଦଳରେ ଚାପ ପ୍ରୟୋଗ ହୋଇଥିଲା ସେତେବଳେ ଶେଷ ମୁହୂର୍ତ୍ତରେ ଦୁଇଜଣ ସାଂସଦଙ୍କ ନାଁ ଚର୍ଚ୍ଚା ହୋଇଥିଲା। ଜଣେ ହେଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏବଂ ଅନ୍ୟ ଜଣକ ହେଉଛି ବରଗଡ଼ ସାଂସଦ ପ୍ରଦୀପ ପୂରୋହିତ। ,ପରିକି ପ୍ରାର୍ଥିପତ୍ର ଦାଖଲ କରିବାକୁ ପ୍ରଦୀପ ପୁରୋହିତ ରାତାରାତି ଭୁବନେଶ୍ୱର ଆସିଥିବା ନେଇ ଚର୍ଚ୍ଚା ହୋଇଛି। ହେଲେ ଶେଷ ମୁହୂର୍ତ୍ତରେ ଏହା ହୋଇ ନଥିଲା।
ଦ୍ୱିତୀୟ କଥା ହେଉ କେନ୍ଦ୍ରୀୟ ନେତୃତ୍ୱଙ୍କ ଭିତରେ ମତଭେଦ। ମୋହନ-ମନେମାହନଙ୍କ ଯୋଡ଼ି ଆଗକୁ ଚାଲିପାରିବ କି ନା ସେ ନେଇ ସେମାନେ ସଂଶୟ ରହିଛନ୍ତି। ଯେହେତୁ ବିଜେପିର ନେତୃତ୍ୱ ନେଉଥିବା ମନ ମୋହନ ହେଉଛନ୍ତି ବୟସ ଓ ଅଭିଜ୍ଞତାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ ସକ୍ଷମ ଏଣୁ ଦୁହିଁଙ୍କ ଭିତରେ ବିବାଦ ସୃଷ୍ଟି ହୋଇପାରେ ବୋଲି କିଛି ନେତା ମତବ୍ୟକ୍ତ କରିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମୋହନ ମାଝି କେବଳ ବିଧାୟକ ଓ ବିରୋଧୀ ଦଳର ମୁଖ୍ୟ ସଚେତକ ଭୂମିକା ନିର୍ବାହ କରିଥିଲେ । କିନ୍ତୁ ମନମୋହନ ବିଧାୟକ ହେବା ସହ ଦଳର ସଭାପତି ଭାବେ ମଧ୍ୟ ପୂର୍ବରୁ ସଂଗଠନକୁ ମଜଭୁତ କରିଥିଲେ। ସେଥିଲାଗି ମୋହନଙ୍କଠାରୁ କମ୍ ଅଭିଜ୍ଞତାସମ୍ପନ୍ନ ଜଣେ ନେତାଙ୍କୁ ଦଳର ଦାୟିତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା।
ହେଲେ ମିଳିଥିବା ସୂଚନା ଅନୁସାରେ ଦଳର ମୁଖ୍ୟ ଇଞ୍ଜିନ୍ ଭାବେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆର୍ଏ ସ୍ଏୂସ୍ ଏହି ମତବାଦକୁ ଅସ୍ୱୀକାର କରିଥିଲା। ୨୦୨୪ ନିର୍ବାଚନରେ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ମୋହନ ଦଳକୁ ବେଡ଼ା ପାର କରିଥିଲେ। ନବୀନଙ୍କ ୨୪ ବର୍ଷର ଲୋକପ୍ରିୟତାକୁ ଚିତ ପଟାଙ୍ଗ କରି ଦଳରେ ଏକତା ଆଣିଥିଲେ। ଆଉହେଲେ ଦଳ ତାଙ୍କୁ କୌଣସି ପଦପଦବୀ ଏଯାଏ ଦେଇ ନାହିଁ। ପୁଣି ସେ ୨୦୨୪ ନିର୍ବାଚନରେ ନିଜର ସଂଗଠନ ଦକ୍ଷତା ଦର୍ଶାଇଛନ୍ତି। ଆଜି ଯାଏ ଏକ ବର୍ଷ ହେଲା ସରକାର-ଦଳ ଭିତରେ ତାଳମେଳ ଠିକ୍ ଚାଲିଛି। ଏଣୁ ଏହାକୁ ବିବାଦୀୟ ନକରି ପୁଣିଥରେ ମୋହନ-ମନମୋହନକୁ ରାଜ୍ୟ ବିଜେପିର ଡବଲ ଇଞ୍ଜିନ୍ କରିବା ଲାଗି ସଂଘ ଚାପ ପକାଇଥିଲା। ଆଉ ଏ ଚାପ ଶେଷରେ ନିର୍ଦ୍ୱନ୍ଦ୍ୱରେ ମନମୋହନଙ୍କୁ ରାଜ୍ୟସଭାପତି କରାଇଛି। ଅପେକ୍ଷା ୨୦୨୯ ପୂର୍ବରୁ ରାଜ୍ୟରେ ସରକାର ଓ ଦଳ କିପରି ଆଗକୁ ବଢ଼ୁଛନ୍ତି।