International Yoga Day: ଭୁବନେଶ୍ବର: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ସାମାଜିକ ଅନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତେ ଏହି ଯୋଗ ଦିବସରେ ଯୋଗାଭ୍ୟାସ କରିଛନ୍ତି। ଏହି କ୍ରମରେ ଓଡ଼ିଶାରେ ଥିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଯୋଗ ସଙ୍ଗମ’ ନାମରେ ଯୋଗ ଦିବସ ପାଳିତ ହୋଇଛି। “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଥିମକୁ ନେଇ ଚଳିତ ବର୍ଷର ଏହି ଯୋଗ ଦିବସ ଉପଲକ୍ଷେ ବିଶ୍ୱବିଦ୍ୟାଳୟ ପରିସରରେ ଏକାଠି ହୋଇଥିଲେ ପ୍ରାୟ 1100ରୁ ଅଧିକ ଅଂଶଗ୍ରହଣକାରୀ ।
ଏହି ମେଗା ଇଭେଣ୍ଟରେ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ପ୍ରତିଭାଗୀମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତଙ୍କୁ ଯୋଗ କରିବାକୁ ପ୍ରେରିତ କରିବାକୁ ଯାଇ କହିଲେ, “ଜୀବନ ଧାରଣ ପାଇଁ ନିଃଶ୍ୱାସ ଯେପରି ଅପରିହାର୍ଯ୍ୟ, ଯୋଗ ମଧ୍ୟ ସେହିପରି ଅପରିହାର୍ଯ୍ୟ ହେବା ଉଚିତ୍ । ଏଥିପ୍ରତି ଆମ ସମସ୍ତଙ୍କ ଆଭିମୁଖ୍ୟରେ ମଧ୍ୟ ତାହା ପ୍ରତିଫଳିତ ହେବା ଆବଶ୍ୟକ ।”ସ୍ୱାମୀଜୀଙ୍କ ଏହି ଉକ୍ତି ଉପସ୍ଥିତ ସମସ୍ତଙ୍କ ମନରେ ରେଖାପାତ କରିଥିଲା ।
ଭାରତ ସରକାରଙ୍କ ଆୟୂଷ ମନ୍ତ୍ରାଳୟ ଓ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ସହଯୋଗରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଏହି ମେଗା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଅନେକେ ବେଦ ବିଦ୍ୟାଳୟରୁ ରହିଥିବା ବେଳେ ଏନଡିଆରଏଫ୍ ଓ ସିଆଇଏସଏଫରୁ ମଧ୍ୟ ବହୁସଂଖ୍ୟାରେ ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ସେମାନଙ୍କ ସହ ଆଦର୍ଶ ବିଦ୍ୟାଳୟ, ଗୁରୁକୁଳ ଅରିହନ୍ତ ସ୍କୁଲ୍, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଭୃତିରୁ ମଧ୍ୟ ବିଦ୍ୟାର୍ଥୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।
ସିଆଇଏସଏଫ ସବ୍ ଇନ୍ସପେକ୍ଟର ମୁଲତାନ ସିଂହଙ୍କ ନେତୃତ୍ୱରେ 200 ଯବାନ୍, ଏନଡିଆରଏଫ୍ ଇନ୍ସପେକ୍ଟର ସନ୍ଦିପ କୁମାରଙ୍କ ନେତୃତ୍ୱରେ ପ୍ରାୟ 50 ଯବାନ ଓ କେନ୍ଦ୍ରୀୟ ବିଦ୍ୟାଳୟର 50 ଜଣ ବିଦ୍ୟାର୍ଥୀ, ଆଦର୍ଶ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ କ୍ଷୀରୋଦକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ 100 ଜଣ ବିଦ୍ୟାର୍ଥୀ ଏବଂ ଗୁରୁକୁଳ ଅରିହନ୍ତର କାର୍ଯ୍ୟନିର୍ବାହୀ ଜ୍ଞାନରଞ୍ଜନ ନାୟକଙ୍କ ନେତୃତ୍ୱରେ ପ୍ରାୟ 100 ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ ।ଖାଲି ସେତିକି ନୁହେଁ, ରାଜ୍ୟ ସଡ଼କ ଓ ପରିବହନ ବିଭାଗର ପ୍ରାୟ 50 ଜଣ ପ୍ରଶିକ୍ଷଣ ନେଉଥିବା ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ । ସେମାନଙ୍କ ସହ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଡିନ୍, ପ୍ରାଧ୍ୟାପକ, ସହଯୋଗୀ ଓ ସହକାରୀ ପ୍ରାଧ୍ୟାପକଙ୍କ ସମେତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏହି ‘ଯୋଗ ସଙ୍ଗମ’ର ଅଂଶବିଶେଷ ପାଲଟିଥିଲେ ।ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ 30’ଟି “ଯୋଗ ଥେରାପି ଫାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ” ମଧ୍ୟ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇଥିଲା ।
କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ଡ. ଅନିଲ କୁମାର ଶର୍ମା, ଆଡମିନ୍ ଅଫିସର ତଥା ଯୋଗ ଇନଷ୍ଟ୍ରକ୍ଟର ସୌରଭ ବାୱେଜା, ନର୍ସିଂ କଲେଜ ଡିନ୍ ପ୍ରଫେସର ଡ. ଜୋଇତା ମଣ୍ଡଳ, ଆୟୂର୍ବେଦ କଲେଜ ଡେପୁଟି ଡିନ୍ ପ୍ରଫେସର ଡ. ଦୁର୍ଗାପ୍ରସାଦ ଦାଶପ୍ରମୁଖ ଉପସ୍ଥିତ ଥିଲେ । ରାଜଶ୍ରୀ ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ 21ଜଣ ବିଏସସି ନର୍ସିଂ ଛାତ୍ରୀ ଓ କ୍ରିତିକା ରାମଟେକେ ତଥା ପ୍ରାଗ୍ ଭରଦ୍ୱାଜଙ୍କ ନେତୃତ୍ୱରେ ବିଏନୱାଇଏସ୍ କାର୍ଯ୍ୟକ୍ରମର 8 ଜଣ ବିଦ୍ୟାର୍ଥୀ ଏହି ମେଗା ଇଭେଣ୍ଟରେ ଶୃଙ୍ଖଳା ଦାୟିତ୍ୱ ସମ୍ଭାଳିଥିଲେ ।