Biju Pattnaik Death Anniversary: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଆୟୋଜିତ ହେବାକୁ ଯାଉଛି ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ସ୍ମାରକୀ ବତ୍କୃତା। ଏଥିରେ ପୁଣି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ। ରେଭେନ୍ସା କଲେଜକୁ ଏଥିଲାଗି ଉଚିତ ସ୍ଥାନ ଭାବେ ବଛାଯାଇଛି। କିନ୍ତୁ କାହିଁକି? ଏହା କ’ଣ ଓଡ଼ିଶାବାସୀଙ୍କୁ ବିଜୁ ମନସ୍କରୁ ଦୂରେଇବାକୁ ପ୍ରୟାସ କି? ଏହି ଚର୍ଚ୍ଚା ଏବେ ରାଜନୀତିକ ମହଲକୁ ସରଗରମ କରିଛି।
୧୯୯୭ ମସିହା ଆଜିର ଦିନରେ ବିଜୁବାବୁ ଇହଧାମରୁ ବିଦାୟ ନେଇଥିଲେ। ମୃତ୍ୟୁ ପରେ ତାଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନ ବିଜୁ ଜନତା ଦଳ ପାଇଁ ଅପାର ଭୋଟରେ ପରିଣତ ହୋଇଥିଲା। ଏହାଦ୍ୱାରା ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ଯିଏ କେବେ ରାଜନୀତି ସହ ସମ୍ପୃକ୍ତ ନ ଥିଲେ ସେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ୨୪ ବର୍ଷକାଳ ମୁଖ୍ୟମନ୍ତ୍ରୀ ପଦବୀ ଅଳଂକୃତ କରିଥିଲେ। ଏହି ସମୟରେ ରାଜ୍ୟର ବିଭିନ୍ନ ସହର, ବଜାର, ଗଳିରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, ସ୍ମାରକୀ ଏତେ ପରିମାଣରେ ବଢ଼ିଲା ଯେ ଅନ୍ୟ ବରପୁତ୍ରମାନେ ହଜିଗଲେ ପ୍ରାୟ। ତାଙ୍କରି ନାଁରେ ଅଧିକାଂଶ ସରକାରୀ ଯୋଜନା ନାମିତ ହୋଇଥିଲା। ଜୀବୀତ ଅବସ୍ଥାରେ ଯଦିଓ ଓଡ଼ିଶା ରାଜନୀତିରେ ସେ କ୍ଷମତାକୁ ଆସିବା କାଠିକର ପାଠ ହୋଇଯାଉଥିଲା କିନ୍ତୁ ତାଙ୍କର ଅବର୍ତ୍ତମାନରେ ତାଙ୍କୁ ସମସ୍ତ ସରକାରୀ କାର୍ଯ୍ୟରେ ଦେଖିବାକୁ ମିଳୁଥିଲା। ସେ ବିଜେଡି ପାଇଁ ଭୋଟ ବାକ୍ସ ସାଜିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ।
କିନ୍ତୁ ଆଜି ସରକାର ବଦଳିଛି। ବିଜୁ ପୁତ୍ର ନବୀନ ଆଉ କ୍ଷମତାରେ ନାହାନ୍ତି। ବିଜେପି ଶାସନକୁ ଆସିବା ପରେ ଏହା ହେଉଛି ପ୍ରଥମ ଶ୍ରାଦ୍ଧ ଦିବସ ଆଉ ଏହି ଦିନଟିରେ ରାଜ୍ୟର ସର୍ବପୂରାତନ କଲେଜରେ ହରେକୃଷ୍ଣ ମହତାବଙ୍କ ସ୍ମୃତିଚାରଣ କରିବା ପାଇଁ ଏକ ବିଶେଷ ଉତ୍ସବ ଆୟୋଜନ କରାଯିବା ରାଜନୀତିକ ବାର୍ତ୍ତା ଦେଉଛି।
ଗତ କିଛିଦିନ ତଳେ ବଲାଙ୍ଗୀରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିବାକୁ ଚେଷ୍ଟା ହୋଇଥିଲା। ଏହା ଜଣେ ମାନସିକ ରୋଗୀଙ୍କ କାର୍ଯ୍ୟ ବୋଲି ପୁଲିସ କହିଥିଲା। ମୁଖ୍ୟମନ୍ତ୍ରୀ ବି ଏହି ଘଟଣାକୁ ନିନ୍ଦା କରିଥିଲେ। କିନ୍ତୁ ବିଜେଡି ଏହାକୁ ଏକ ଚକ୍ରାନ୍ତ ବୋଲି ବିଚାର କରିଥିଲା। ରାଜନୀତିକୁ ସଂଗଠିତ କରିବାକୁ ଚାହିଁଥିଲା। ଏ ଯାଏ ସେ ବିଷୟ ଜାରି ରହିଛି। ଠିକ୍ ସେହିପରି ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ କଟାଯାଇଥିଲା। ଏହା ପୂର୍ବରୁ ଯେତେବେଳେ କ୍ଷମତାକୁ ସରକାର ଆସିଥିଲେ ସେତେବେଳେ ବିଜୁ ବାବୁଙ୍କ ନାଁରେ ଥିବା କ୍ରୀଡ଼ା ପୁରସ୍କାରକୁ ଉଚ୍ଛେଦ ପାଇଁ ଚେଷ୍ଟା କରାଯାଇଥିଲା। ଏହାପରେ ୟୁଟର୍ଣ୍ଣ ଦେଇଥିଲେ ସରକାର। ଏଣୁ ଏପରି ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ସରକାର ଏବଂ ସରକାରୀ ଦଳ କ’ଣ ବିଜୁଙ୍କୁ ନିଷ୍ପ୍ରଭ କରିବାକୁ ଚାହୁଁଛନ୍ତି?
ଯଦି ତାହା ହୋଇନଥାଆନ୍ତା ଅଦିନରେ କାହିଁକି ହରେକୃଷ୍ଣ ମହହତାବଙ୍କ ସ୍ମୃତି ସଭା ଆୟୋଜନ ହୋଇଥାଆନ୍ତା। କାହିଁକି ରେଭେନ୍ସା କଲେଜକୁ ଏଥିଲାଗି ଚୟନ କରାଯାଇଥାଆନ୍ତା। ପୁଣି ଜଣେ କେନ୍ଦ୍ରମନ୍ତ୍ରୀ କାହିଁକି ଏଠାରେ ଉପସ୍ଥିତ ହୋଇଥାନ୍ତେ; ଯେଉଁଦିନ ବିଜୁଙ୍କ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଉଛି। ଏହା ଏକ ସଂଯୋଗ ହୋଇପାରେ ଏକ ସୁଚିନ୍ତିତ ରାଜନୀତିକ ଯୋଜନାଭାବେ ଗ୍ରହଣ କରାଯାଇପାରେ।
ଏହା ସତ୍ୟ ଯେ, ଓଡ଼ିଶା ପୁର୍ଗଠନର ଜନକ ଭାବେ ଶ୍ରୀ ମହତାବ ପରିଚିତ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ୨୬ଟି ଓଡ଼ିଆ ଭାଷାଭାଷୀ ରାଜ୍ୟକୁ ଭାରତରେ ମିଶ୍ରଣ କରିବାରେ ସାହାଯ୍ୟ କରିଥିବା ମହତାବଙ୍କୁ ଆଧୁନିକ ଓଡ଼ିଶାର ସ୍ଥାପକଭାବେ ବିବେଚନା କରାଯାଏ। ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ଓ ଗାନ୍ଧୀବାଦୀ ଯିଏ ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ କରିଥିଲେ, ତାଙ୍କ ପରମ୍ପରା ଓଡ଼ିଆ ଅସ୍ମିତାକୁ ଗଢ଼ିତୋଳିବାରେ ସହାୟକ ହୋଇଥିଲା ବୋଲି କୁହାଯାଉଛି। ତାଙ୍କ ଜୀବନର ଶେଷ ଭାଗରେ ସେ କଂଗ୍ରେସରୁ ବାହାରି ଆସି ସେ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ, ଯାହାର ନାଁ ଥିଲା ଉତ୍କଳ କଂଗ୍ରେସ। ଏହି ଉତ୍କଳ କଂଗ୍ରେସ ଅନ୍ୟ ଏକ ଆଞ୍ଚଳିକ ଦଳ ସହ ମିଳିତ ଭାବେ ରାଜ୍ୟରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ତାହା ଥିଲା ରାଜ୍ୟର ପ୍ରଥମ ଅଣ କଂଗଅ୍ରେସ ମେଣ୍ଟ ସରକାର। ଏପରିକି ରାଜ୍ୟରେ କଂଗ୍ରେସ ବିରୁଦ୍ଧରେ ଯେଉଁ ସ୍ୱର ଉତ୍ତୋଳନ ହୋଇଥିଲା ଏହା ତାହାର ପ୍ରଥମ ଅଧ୍ୟାୟ ଥିଲା।
ତତ୍କାଳୀନ ପ୍ରଧନାମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ବିରୋଧ କରି ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ ଯିବାକୁ ପଛାଇ ନଥିଲେ ଶ୍ରୀ ମହତାବ। ସେଥିଲାଗି ତ ସେ ଉତ୍କଳ କେଶରୀ। ଓଡ଼ିଶା ବିଧାନସଭା ନିର୍ବାଚନର ତିନି ବର୍ଷ ପୂର୍ବରୁ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଉତ୍କଳ କେଶରୀ’ଙ୍କୁ ପ୍ରଶଂସା କରିଥିଲେ। ୯ ଏପ୍ରିଲ ୨୦୨୧ରେ ମହତାବଙ୍କ ପୁସ୍ତକ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦ ଉନ୍ମୋଚନ ଅବସରରେ ମୋଦୀ କହିଥିଲେ, ମହତାବ ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ନିଜ ଯୌବନକୁ ଉତ୍ସର୍ଗ କରିଥିଲେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱାଧୀନତା ସଂଗ୍ରାମ ସହିତ ସେ ସମାଜ ପାଇଁ ମଧ୍ୟ ଲଢ଼ିଥିଲେ। ଜାତିବାଦ ଓ ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନରେ ସେ ନିଜ ପୈତୃକ ମନ୍ଦିରକୁ ସବୁ ଜାତି ପାଇଁ ଖୋଲି ଦେଇଥିଲେ। ସେହି ଯୁଗରେ ଏହା ଅତ୍ୟନ୍ତ ସାହସିକ ନିଷ୍ପତ୍ତି ଥିଲା।
ସମାନ ଭାବେ ବିଜୁ ବାବୁଙ୍କ ସାହସିକତା, ଓଡ଼ିଶା ପ୍ରତି ଭଲ ପାଇବା ଅତୁଳନୀୟ। ବିଗତ ୨୪ ବର୍ଷରେ ତାଙ୍କୁ ସ୍ମରଣୀୟ କରି ରଖିବା ଲାଗି ଅନେକ ସରକାରୀ ଉଦ୍ୟମ ହୋଇଛି। ଅନେକ ସରକାରୀ ଯୋଜନା ତାଙ୍କ ନାମରେ ନାମିତ ହୋଇଛି। କିନ୍ତୁ ଅତି ଲେମ୍ବୁ ଚୁପୁଡ଼ିଲେ ପିତା ଭଳି ବିଜୁଙ୍କ ନାମକୁ ଏତେ ପରିମାଣରେ ବ୍ୟବହାର ରାଜ୍ୟବାସୀଙ୍କୁ ମଧ୍ୟ ଅନେକ ସମୟରେ ପ୍ରଶ୍ନ ଘେରରେ ପକାଇଛି ଯେ, ରାଜ୍ୟରେ କ’ଣ ଆଉ କେହି ବରପୁତ୍ର ନାହାନ୍ତି? ଗୋପବନ୍ଧୁ, ମଧୁସୂଦନ, ଗୋଦାବରୀଶ ମହାରାଜା କୃଷ୍ଣଚନ୍ଦ୍ରଙ୍କ ଅବଦାନ କ’ଣ ଭୁଲିଯିବା ଯୋଗ୍ୟ? ସେମାନେ କ’ଣ ଆଜିର ପିଢ଼ିକୁ ଅନୁପ୍ରାଣୀତ କରିପାରିବ ନାହିଁ?
ଯେମିତି କ୍ଷମତାକୁ ଆସିବା ପରେ ଶ୍ରୀ ମୋଦୀ ଦେଶର ହଜିଲା ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରକଙ୍କୁ ସାମ୍ନାକୁ ଆଣିବାକୁ ପ୍ରୟାସ କରିଥିଲେ ସେମିତି ଉଦ୍ୟମ ହେବା ଦରକାର। ଓଡ଼ିଶାର ହଜିଲା ବରପୁତ୍ରଙ୍କୁ ଖୋଜି ତାଙ୍କ ଆଦର୍ଶକୁ ପ୍ରସାର କରିବାର ଆବଶ୍ୟକତା ରହିଛି। ଏହାହିଁ ହୋଇପାରେ ଓଡ଼ିଆ ଅସ୍ମିତାର ପ୍ରକୃତ ସନ୍ଧାନ।