Parikrama Prakalpa Arpana Rice: ଅକ୍ଷତ ଚାଉଳକୁ ନେଇ ଉଠିଥିବା ଗୁଜବର ଅନ୍ତ ଘଟିଛି। ଶେଷରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ ରଥରୁ ସଂଗୃହିତ ଚାଉଳରେ ହେଲା ମହାପ୍ରସାଦ। ଖେଚୁଡ଼ି , କାନିକା,ମିଠା ଅନ୍ନ କରି ସିଂହଦ୍ଵାର ବ୍ଯତିତ ଅନ୍ୟ ତିନି ଦ୍ୱାରରେ ଭକ୍ତଙ୍କୁ ମାଗଣାରେ ବାଣ୍ଟିଲେ ସେବାୟତ। ଆଜି ପ୍ରାୟ ଶହେ ହାଣ୍ଡି ଖେଚୁଡି, କାନିକା,ମିଠାଅନ୍ନ ବଣ୍ଟାଯାଇଛି। ସେପଟେ ପ୍ରସାଦ ପାଇ ଆତ୍ମତୃପ୍ତି ହୋଇଗଲା ବୋଲି କହିଲେ ଭକ୍ତ।
ଜାନୁଆରୀ ୧୭ତାରିଖରେ ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପୂର୍ବରୁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ। ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଅକ୍ଷତ ଚାଉଳ, ଗୁଆ, ନଡିଆ ସହ ଦାନଦକ୍ଷିଣା। ହେଲେ ଏହି ଅର୍ପଣ ରଥରୁ ସଂଗୃହିତ ଦାନଦକ୍ଷିଣା ମହାପ୍ରଭୁଙ୍କ କାମରେ ଲାଗିବ ନାହିଁ ବୋଲି ସାଧାରଣରେ ଗୁଜବ ସୃଷ୍ଟି ହୋଇଥିଲା। ମାତ୍ର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଦେଇଥିବା କୌଣସି ଜିନିଷ ବ୍ଯର୍ଥ ଯିବନାହିଁ ବୋଲି ପୂର୍ବରୁ ସେବାୟତ ମାନେ ସ୍ପଷ୍ଟ କରିଥିଲେ। ଆଉ ଯାହା କହିଥିଲେ ଆଜି ସେମାନେ କରି ଦେଖାଇଛି। ଗତକାଲି ମାନ ନିର୍ଦ୍ଧାରଣ କମିଟି ରିପୋର୍ଟ ଦେବା ପରେ ଆଜି ଅକ୍ଷତ ଚାଉଳରେ ରୋଷଘରେ ପ୍ରସ୍ତୁତ ହୋଇଛି ଖେଚୁଡ଼ି, କାନିକା ଓ ମିଠାଅନ୍ନ ମହାପ୍ରସାଦ।
ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ସିଂହଦ୍ଵାର ବ୍ଯତିତ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାର ନିକଟରେ ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ କରାଯାଇଛି । ସେପଟେ ସକାଳ ଧୂପରେ ୧୦ହାଣ୍ଡି ଖିଚୁଡି ଭକ୍ତଙ୍କୁ ବଣ୍ଟା ଯାଇଥିବା ବେଳେ ପ୍ରଥମ ଭଅଣ୍ଡରେ କାନିକା ବଣ୍ଟା ଯାଇଛି। ସେହିଭଳି ଦ୍ୱିତୀୟ ଭୋଗମଣ୍ଡପ,ମଧ୍ଯାନ୍ନଧୂପ,ସଂନ୍ଧ୍ୟାଧୂପରେ ପ୍ରାୟ ୧୦୦ହାଣ୍ଡି ପ୍ରସାଦ ବଣ୍ଟନ କରିବା ପାଇଁ ବ୍ଯବସ୍ଥା କରାଯାଇଛି। ସେପଟେ ପ୍ରତି ଧୂପ ପରେ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ପାନରେ ଗୁଆ ବ୍ଯବହାର କରାଯିବ। ନଡିଆ ମଧ୍ୟ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ବିଭିନ୍ନ ପ୍ରକାର ପିଠା ପଣାରେ ବ୍ଯବହାର କରାଯିବ।
ସେପଟେ ଜାନୁଆରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଅର୍ପଣ ରଥରେ ଦେଇଥିବା ଅକ୍ଷତ ଚାଉଳରେ ପ୍ରସ୍ତୁତ ପ୍ରସାଦ ପାଇ କୃତ୍ଯକୃତ୍ଯ ଭକ୍ତ। ଗତ ୨୪ ତାରିଖରେ ପ୍ରଥମ ଚାଉଳ, ଗୁଆ ଓ ନଡିଆ ଆସି ପହଞ୍ଚିଥିଲା ଶ୍ରୀଗୁଣ୍ଡିଚା ମନ୍ଦିରରେ। ତାପରେ ଭକ୍ତଙ୍କ ଅକ୍ଷତ ଚାଉଳରେ ରୋଷଘରେ ଖୁଚୁଡି ଓ କାନିକା ପ୍ରସାଦ ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟାଯିବ ବୋଲି ନିସ୍ପତି ହୋଇଥିଲା। ଏଥିପାଇଁ ଏକ ସ୍ୱତନ୍ତ୍ର ସବକମିଟି ଗଠନ ହେବା ସହ ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ପ୍ରସାଦ ବଣ୍ଟନ ଆରମ୍ଭ ହୋଇଛି। ଖେଚୁଡି ଖାଇ ଭକ୍ତମାନେ ଖୁସି ବ୍ୟକ୍ତି କରିଛନ୍ତି। ପ୍ରତି ସପ୍ତାହରେ ଚାଉଳର ମାନ ନିର୍ଧାରଣ ହେବ ତାପରେ ଭୋଗ ଲାଗିବ ବୋଲି ନିଷ୍ପତ୍ତି ନିଆଯାଇଛି।