ଭୁବନେଶ୍ବର: ଜଟଣୀ ଥାନା ଅଞ୍ଚଳରେ ଜଣେ ସ୍କୁଲ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଟଣାଓଟରା କରିବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି। ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ତିରିମଲ ଗାଁର ମନୋଜ କୁମାର ଦାସ ଓରଫ୍ ମନୁଆ (୨୬)। ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ।
ସୂଚନାଯୋଗ୍ୟ ଯେ, ଜଟଣୀ ଥାନା ଅଞ୍ଚଳରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତର ଘର। ପୀଡ଼ିତା ନାବାଳିକାକୁ ଏକ ବିଦ୍ୟାଳୟରେ ପଢ଼ୁଛନ୍ତି। ସ୍କୁଲ ଯିବା ଆସିବା ସମୟରେ ମନୁଆ ନାବାଳିକାକୁ ଜୋରଜବରଦସ୍ତ ଅଟକାଇ ଫୁଲ ଓ ଚକୋଲେଟ୍ ଦେଇ ପ୍ରେମ ନିବେଦନ କରୁଥିଲେ। ଘଟଣାକୁ ନେଇ ନାବାଳିକା ନିଜର ପରିବାର ଲୋକଙ୍କୁ ଜଣାଇବାରୁ ପରିବାର ଲୋକ ଓ ଗ୍ରାମର କିଛି ଲୋକ ମନୁଆକୁ ଛାତ୍ରୀଙ୍କ ପିଛା ନକରିବାକୁ ବାରଣ କରିଥିଲେ। ହେଲେ ପୁଣି କିଛି ଦିନ ପରେ ଅଭିଯୁକ୍ତ ନାବାଳିକାର ପିଛା କରିବା ସହ ରସ୍ତାରେ ଅଟକାଇ ମନ୍ଦ ଉଦ୍ଦେଶ୍ୟ ନେଇ ଟଣାଓଟରା କରିଥିଲେ। ପୀଡ଼ିତା ଜଣଙ୍କ ଚିତ୍କାର କରିବାରୁ ଗ୍ରାମବାସୀ ମାନେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇ ଥିଲା। ଏ ନେଇ ପରେ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଥିଲା। ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏ ନେଇ ଥାନାରେ ଏକ କେସ ନଂ ୬୩/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ।