Odisha News: ଭୁବନେଶ୍ୱର: ବିରୋଧୀଙ୍କ କବଳରେ ଗୃହ। ଧୋଇ ଯିବକି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଛାତ୍ର ସଂସଦ ନିର୍ବାଚନ ଓ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାକୁ କେନ୍ଦ୍ର କରି ଆଜି ଗୃହରେ ଉଭୟ ବିରୋଧୀ ବିଜେଡ଼ି ଓ କଂଗ୍ରେସ ହୋ ହଲ୍ଲା କରିଛନ୍ତି। ଏହି ଦୁଇଟି ପ୍ରସଙ୍ଗରେ ସରକାରଙ୍କୁ ଲଗାତାର ଦୁଇ ଦିନ ଧରି ବିରୋଧୀମାନେ ଘେରି ଆସୁଛନ୍ତି। ଫଳରେ ଗତକାଲି ଭଳି ଆଜି ମଧ୍ୟ ଗୃହାକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ। ବାଚସ୍ପତି ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
ଆଜି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ଆରମ୍ଭରୁ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିରୋଧୀ ଦଳର ନେତାମାନେ ପ୍ରଥମେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ କେନ୍ଦ୍ର କରି ଗୃହରେ ହଟ୍ଟଗୋଳ କରିଥିଲେ। ସୋମବାର ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଛାତ୍ର ସଂସଦ ନିର୍ବାଚନ ଏବର୍ଷ ସମ୍ଭବ ନୁହେଁ ବୋଲି ଏକ ବିବୃତ୍ତି ଦେଇଥିଲେ। ଏହି ବିବୃତ୍ତି ଅନୁସାରେ ଛାତ୍ର ସଂସଦ ନିର୍ବାଚନ ପ୍ରତିବର୍ଷ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥାଏ। ଯେହେତୁ ଏ ବର୍ଷ ସମୟ ସରିଯାଇଛି। ଏଣୁ ଆସନ୍ତା ବର୍ଷ ପାଇଁ ସରକାର ପ୍ରସ୍ତୁତ ହେଉଥିବା ସେ କହିଥିଲେ। ବାଙ୍କିର ଏକ କଲେଜରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ଏପରି ବିବୃତ୍ତି ପ୍ରଦାନ କରିଥିଲେ।
ଏଠାରେ କହି ରଖୁ କି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନର ପ୍ରଥମାର୍ଦ୍ଧରେ ମଧ୍ୟ ବିରୋଧୀ ମାନେ ଗୃହରେ ହୋ ହଲ୍ଲା କରିଥିବାର ଦେଖିବାକୁ ମିଳିଥିଲା। ବିଜେଡି ଚଳିତ ବର୍ଷ କାହିଁକି ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଦାବି କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଠିକ ସେହିପରି କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗକୁ ନେଇ ହୋ ହଲ୍ଲା କରିଥିଲା। କଂଗ୍ରେସ ଉଭୟ ଛାତ୍ର ସଂସତ ନିର୍ବାଚନ ଓ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ମୁଦ୍ଦା କରି ହୋ ହଲ୍ଲା କରିଥିଲା। ଫଳରେ ବାଚସ୍ପତି ଦୁଇ ଦୁଇ ଥର ଗୃହକୁ ମୁଲତବୀ କରିଥିଲେ। ପ୍ରଥମେ ଦିନ ୧୧.୪୫ ପର୍ଯ୍ୟନ୍ତ ମୁଲତବୀ କରିଥିବା ବେଳେ ଦ୍ୱିତୀୟ ଥର ପାଇଁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଥିଲେ।
ଏଠାରେ କହି ରଖୁ କି ବିଶୃଙ୍ଖଳା କାରଣରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୮ ମସିହାରୁ କ୍ରମାଗତ ଭାବରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇ ଆସୁଛି। ଏହାକୁ କେନ୍ଦ୍ର କରି ତତ୍କାଳୀନ ସରକାରଙ୍କ ବିରୋଧରେ ବିଜେପି ଅନେକ ଥର ସମାଲୋଚନା ମୂଳକମନ୍ତବ୍ୟ ଦେଇ ଆସିଛି। ଏବେ ସରକାର ଆସିବା ପରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଶା କରାଯାଇଥିଲା। ଏନେଇ ମଧ୍ୟ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା। ହେଲେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ଯାଏଁ କୌଣସି ବିବୃତ୍ତି ଦିଆଯାଇନାହିଁ।