Pana Sankranti 2024: ଆଜି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଆଜିଠାରୁ ନୂତନ ଓଡ଼ିଆ ପାଞ୍ଜି ମଧ୍ୟ ଆରମ୍ଭ ହୋଇଥାଏ । ପୃଥିବୀର କ୍ରାନ୍ତ ପଥକୁ ୧୨ ଭାଗ, ୧୨ ମାସ ଓ ୧୨ଟି ରାଶିରେ ବିଭକ୍ତ କରାଯାଇଛି । ତେଣୁ ରାଶି ଚକ୍ରର ପ୍ରଥମ ରାଶି ମେଷ ହୋଇଥିବାରୁ ମେଷ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଇଥାଏ ।
ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ, ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି ମଧ୍ଯ କୁହାଯାଏ। । ଏହି ଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ।
ପୁରାଣ ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହିଦିନ ଜଳୟବାୟୁରେ ପରିବର୍ତ୍ତନ ହୋଇଥାଏ । ସୂର୍ଯ୍ୟ ମଧ୍ଯ ଭାଗକୁ ଚାଲି ଆସିଥାନ୍ତି । ଏହିଦିନ ସୂର୍ଯ୍ୟ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି । ସୂର୍ଯ୍ୟଙ୍କ ପ୍ରବଳ ପ୍ରଖର ଯୋଗୁଁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ । ଏନେଇ ଘରେ ଘରେ କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ। ଆଜିର ଦିନରେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣି ଭର୍ତ୍ତି ଛୋଟ ଠେକି ରଖିଥାନ୍ତି। ଏହା ତଳେ ଏକ ଛୋଟ ଛିଦ୍ର କରାଯାଇଥାଏ। ଉକ୍ତ ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡ଼ିଥାଏ। ଏହି ଦିନ ଓଡ଼ିଶାରେ ‘ହନୁମାନ ଜୟନ୍ତୀ’ ମଧ୍ଯ ପାଳନ କରାଯାଏ। ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷ ଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ‘ଜଳ ସଂକ୍ରାନ୍ତି’ ଅଟେ । ଉତ୍ତର ଓଡ଼ିଶାରେ ଏହାକୁ ‘ଚଡ଼କ ପର୍ବ’ ବୋଲି ମଧ୍ୟ କୁହାଯାଇଥାଏ। ଦକ୍ଷିଣ ଓଡ଼ିଶାରେ ପଣା ସଂକ୍ରାନ୍ତି ସମୟରେ ଦଣ୍ଡନାଟ ଉତ୍ସବ ଅନୁଷ୍ଠିତ ହୋଇଥାଏ।
Also Read- Horoscope: ୫ ରାଶି ପାଇଁ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର
ସେପଟେ ପଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଏ। ଏହାପରେ ମୁକ୍ତି ମଣ୍ଡପ ତଳେ ଥିବା ବିମାନରେ ବସାଇ ବିଜେ କରାଯାଏ। ଏହି ସମୟରେ ଶ୍ରୀମନ୍ଦିରର ଚାରିଦ୍ବାର ଓ ଦକ୍ଷିଣ ଦ୍ବାରରେ ଥିବା ବାରଭାଇ ହନୁମାନଙ୍କୁ ଆଜ୍ଞାମାଳ ଦିଆଯାଏ। ଏହାପରେ ବିମାନବଡୁ ସେବକମାନେ ବିମାନରେ ଠାକୁରଙ୍କୁ ନେଇ ଜଗନ୍ନାଥ ବଲ୍ଳଭ ମଠକୁ ଯାଆନ୍ତି। ଜଗନ୍ନାଥ ବଲ୍ଲଭ ମଠରେ ଥିବା ମହାବୀରମାନଙ୍କୁ ଆଜ୍ଞା ମାଳ ଦିଆଯିବା ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ନେଇ ଦରିଆ ମହାବୀରଙ୍କ ପାଖକୁ ଯାନ୍ତି। ସେଠାରୁ ଫେରିବା ପରେ ଜଗନ୍ନାଥ ବଲ୍ଲଭ ମଠରେ କେତେକ ନୀତିକାନ୍ତି ସମ୍ପନ୍ନ ହେବା ପରେ ଶ୍ରୀହନୁମାନ ବାହୁଡ଼ା ବିଜେ କରି ବଡ଼ଦେଉଳକୁ ଆସିଥାନ୍ତି। ପଣା ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଖାସ ଦିନ ଅଟେ। ଏହି ପର୍ବ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୃଦୃଢ଼ କରିଥାଏ।ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡ଼ିଆ ଘର ଚଳଚଞ୍ଚଳ ହୋଇପଡ଼ିଛି। ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି।