Bird Flu:ବାର୍ଡ ଫ୍ଲୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲାକୁ ବ୍ୟାପିଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ କୁକୁଡ଼ା ମଡକ ଦେଖାଯାଉଛି । ଜଙ୍କିଆ ଅଞ୍ଚଳରୁ ସଂଗୃହିତ ନମୁନା ବାର୍ଡ଼ ଫ୍ଲୁ ଭୁତାଣୁ ଥିବା ଜଣାପଡିବା ପରେ ଗୁରୁବାର ସେଠାରେ ସମୁହ କୁକୁଡ଼ା ନିପାତ ଅଭିଯାନ ଆରମ୍ଭ ହୋଇଛି । ମୁଣ୍ଡାଆମ୍ବରେ ଥିବା ପୁଷ୍ପାଞ୍ଜଳି ରାଉତରାୟଙ୍କ ଫାର୍ମ ରୁ ଆଜି ୪୫୦୭କୁକୁଡ଼ା ମରାଯାଇଥିବା ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୁକୁଡ଼ା ମାରିବାକୁ କନ୍ଧମାଳରୁ ୩ ଓ ଢେଙ୍କାନାଳ ରୁ ୨ ଏପରି ୫ ଟି ରାପିଡ଼ ରେସପନ୍ସ ଟିମ କୁକୁଡ଼ା ମାରିବାକୁ ଆସିଛନ୍ତି ।
ପ୍ରତି କୁକୁଡ଼ାମରା ଟିମ ରେ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ପ୍ରାଣୀ ଧନ ନିରୀକ୍ଷକଙ୍କ ସହ ସହାୟକ ମାନେ ଅଛନ୍ତି । ସଂକ୍ରମଣ ଏଡାଇବା ପାଇଁ ସମସ୍ତେ ସ୍ବତନ୍ତ୍ର ପୋଷକ (କିଟ) ବ୍ୟବହାର କରିଥିଲେ । ମୃତ କୁକୁଡ଼ା ମାନଙ୍କୁ ସେହି ଫାର୍ମ ପରିସରରେ ଗାତ ଖୋଳି ପୋତିଦିଆଯାଇଛି । ଆସନ୍ତାକାଲି ମୁଣ୍ଡା ଆମ୍ବ ଏକ କିମି ମଧ୍ୟରେ ଥିବା ସମସ୍ତ କୁକୁଡ଼ା ଙ୍କୁ ନିପାତ କରାଯିବ । ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ କରିବା ପାଇଁ ଜିଲା ପ୍ରାଣୀ ଚିକିତ୍ସା ବିଭାଗ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ରାପିଡ୍ ରେସପନ୍ସ ଟିମ୍ ବି ଘୁରି ବୁଲୁଛନ୍ତି। ବାର୍ଡ ଫ୍ଲୁ ନିୟନ୍ତ୍ରଣ ନିୟମ ଅନୁସାରେ ଯେଉଁଠି ବାର୍ଡ଼ ଫ୍ଲୁ ଚିହ୍ନଟ ହେବ ସେଠାରେ ସମୂଳ ନିରାକରଣ ପାଇଁ ତାର ୧ କି.ମି ପରିଧି ଭିତରେ ଥିବା ଗାଁ ରୁ କୁକୁଡ଼ା ମାନଙ୍କୁ ସମୂହ ନିପାତ କରାଯିବ ।
ସେହିପରି ସଂକ୍ରମଣ ଅଞ୍ଚଳର ୧୦କିଲୋମିଟର ପରିଧି ଭିତରେ ସତର୍କ ଅବଲମ୍ବନ କରାଯିବ । କୁକୁଡ଼ା ମୃତ୍ୟୁ ଓ ରୋଗର ଲକ୍ଷଣ କୁ ଅନୁଧ୍ୟାନ କରାଯିବ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କୁକୁଡ଼ାଙ୍କର ମଳ ନମୁନା ସଂଗ୍ରହ କରି ଫୁଲ୍ ନଖରା ସ୍ଥିତ ରାଜ୍ୟ ଲାବୋଟେରୀକୁ ପଠାଯାଇଥିଲା। ରାଜ୍ୟ ଲାବୋଟେରୀରୁ ବାର୍ଡ ଫ୍ଲୁ ସନ୍ଦେହ ହେବାରୁ ଭୋପାଳ ସ୍ଥିତ ଲାବୋଟେରୀକୁ ନମୁନା ପଠାଯାଇଥିଲା ।
ସେଠାରେ ମୁଣ୍ଡାଆମ୍ବରେ ବାର୍ଡ଼ ଫ୍ଲୁ ଭୁତାଣୁ ଜଣାପଡିବା ପରେ ଆଜି ସକାଳୁ ଜିଲାପାଳ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ହୋଇଥିଲା । ଯେଉଁଥିରେ ଖୋର୍ଦ୍ଧା ତହସିଲଦାର, ବିଡ଼ିଓ ଓ ବରିଷ୍ଠ ପ୍ରାଣୀ ଚିକିତ୍ସକ ମାନେ ଉପସ୍ଥିତ ଥିଲେ । ଏହି ବୈଠକ ରେ ନିଷ୍ପତି ଅନୁଯାଇ କୁକୁଡ଼ା ମରା ଅଭିଯାନ ଆରମ୍ଭ କରାଯାଇଛି । ସାଧାରଣତଃ ବାର୍ଡ ଫ୍ଲୁ ଶୀତଦିନେ ଦେଖାଯାଇଥାଏ, ମାତ୍ର ଚଳିତ ବର୍ଷ ବର୍ଷାଦିନରେ ହେବା ନେଇ ଚିନ୍ତାରେ ବିଭାଗ ଓ ଚାଷୀ। ବାର୍ଡ ଫ୍ଲୁ କୁ ନେଇ ଜିଲ୍ଲା ବ୍ୟାପି କୁକୁଡ଼ାଚାଷୀଙ୍କ ମନରେ ଏବେ ଛନକା ପଶିଛି ।
ଚିକେନ ଦୋକନ କୁ ଯିବାକୁ ଲୋକ ମୁଁହ ମୋଡୁ ଥିବାବେଳେ ସେଭଳି ବେପାର ମାନ୍ଦା ପରିଲକ୍ଷିତ ହେଉଛି । ବାର୍ଡ ଫ୍ଲୁ ଆଶଙ୍କା ରେ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯିବା ସହ ଟୀକାକରଣ ଚାଲିଛି । ଜିଲ୍ଲାରେ ୧୧୦୦ ଫାର୍ମ ଅଛି । ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଯେଉଁଠାରେ ସରକାର କୁକୁଡ଼ା ମାରିବେ ଚାଷୀ କୁ ଅନୁକମ୍ପା ମୂଳକ ସହାୟତା ଦିଆଯିବ ବୋଲି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରବୀନ୍ଦ୍ର ପଟ୍ଟନାୟକ କହିଛନ୍ତି ।