ଭୁବନେଶ୍ୱର: ଗତ ୨୦ ତାରିଖରେ ବାଲେଶ୍ୱର ରେମୁଣା ନିର୍ବାଚନ ମଣ୍ଡଳୀର ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଏବଂ ତାଙ୍କ ୯ ବର୍ଷର ପୁଅ କାଶ୍ମୀର ବୁଲିବାକୁ ଯାଇଥିଲେ । କିନ୍ତୁ ଆଜି ଯେଉଁ ଖବର ଆସିଛି ତାହା ଶୁଣି ଘରର ସଦସ୍ୟଙ୍କ ଆଖି ଲୁହରେ ଭିଜିଛି ।
ପ୍ରଶାନ୍ତଙ୍କ ବଡ଼ ଭାଈ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାନ ଭାଈର ସ୍ତ୍ରୀ ମାଆଙ୍କୁ କଲ୍ କରି ଆତଙ୍କବାଦୀ ଆକ୍ରମଣ ବିଷୟରେ ଜଣାଇଲା । ତା କିଛି ସମୟ ପରେ ଆମେ କଲ୍ କରିବାରୁ ସେ କାନ୍ଦିକି କହୁଥିଲେ ଯେ, ନନା ପୋଷ୍ଟମର୍ଟମ ପାଇଁ ନେଇଗଲେ... ଫଳରେ ପ୍ରିୟଦର୍ଶନୀ ଅଧର୍ଯ୍ୟ ହୋଇପଡିଛନ୍ତି । ଫୋନରେ କଥା ହୋଇପାରୁନାହାନ୍ତି ।
ଅନ୍ୟପଟେ, ଏକ ଘରୋଇ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ପ୍ରିୟଦର୍ଶିନୀ କହିଛନ୍ତି ଯେ, ସେ ବର୍ତ୍ତମାନ ପହଲଗାମରେ ଅଛନ୍ତି କିନ୍ତୁ ତାଙ୍କ ସ୍ୱାମୀ କେଉଁଠି ଅଛନ୍ତି ସେ ପାଉନାହାନ୍ତି । ଆଜି ବୁଲିବାକୁ ଯାଇଥିବା ସମୟରେ ତାଙ୍କ ସ୍ୱାମୀ ପ୍ରଶାନ୍ତଙ୍କୁ ଗୁଳି ମାଡ ହୋଇଛି । ପ୍ରିୟଦର୍ଶିନୀଙ୍କ ସହ ପୁଅକୁ ତଳକୁ ଆଣିବା ସମୟରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଆଣିବେ ବୋଲି କହିଥିଲେ ଯବାନମାନେ । କିନ୍ତୁ ପ୍ରଶାନ୍ତ ଆଉ ନାହାନ୍ତି ବୋଲି ସୂଚନା ମିଳିଥିଲା ପ୍ରିୟଦର୍ଶିନୀଙ୍କୁ । ଏଥିସହ ତାଙ୍କ ସୂଚନାରୁ ଜଣାପଡ଼ିଛି ଯେ, ପତ୍ନୀ ଏବଂ ପୁଅଙ୍କ ସହ ଆଜି ଦିନ ପ୍ରାୟ ୧୨ଟା ୩୦ ସମୟରେ ସେ ଉପର ଉପତ୍ୟାକାକୁ ଯାଇଥିଲେ ରୋପ ୱେ କରିବାକୁ । ପ୍ରଥମେ ପ୍ରିୟଦର୍ଶନୀ ଏବଂ ପୁଅଙ୍କ ରୌପୱେ ସରିଯାଇଥିଲା ଆଉ ତାପରେ ପ୍ରଶାନ୍ତ ରୋପୱେ ସାରି ତଳକୁ ଫେରୁଥିଲେ କିନ୍ତୁ ସେହି ସମୟରେ ହଠାତ୍ କେହିଜଣେ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲା । ପ୍ରାୟ ୨୦ରୁ ୨୫ ଜଣ ଲୋକ ଗୁଳିର ଶିକାର ହୋଇଛନ୍ତି ବୋଲି ଛାତିଥରା ଅନୁଭୂତି ବଖାଣିଛନ୍ତି ପ୍ରିୟଦର୍ଶିନୀ । ସେହି ସମୟରେ ସେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ କେହି ଶୁଣୁନଥିଲେ ବରଂ ସମସ୍ତେ ଜୀବନ ବଞ୍ଚେଇବାକୁ ଦୌଡି ପଳାଉଥିଲେ । ପ୍ରାୟ ଘଣ୍ଟେରୁ ଦେଢ ଘଣ୍ଟା ପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି କହିଛନ୍ତି ପ୍ରିୟଦର୍ଶିନୀ । ଯବାନମାନେ ପ୍ରିୟଦର୍ଶିନୀଙ୍କ ନାମ ଏବଂ ଫୋନ ନମ୍ୱର ନେଇଛନ୍ତି କିନ୍ତୁ ଏଯାଏଁ କିଛି ସ୍ପଷ୍ଟ ଖବର ଦେଇନାହାନ୍ତି ବୋଲି ସେ କହିଛନ୍ତି ।
ଅନ୍ୟପଟେ, ଜମ୍ମୁ-କାଶ୍ମୀର ପହଲଗାମ୍ରେ ଆତଙ୍କବାଦୀ ହମଲାରେ ଶ୍ରୀନଗର ଅଭିମୁଖେ ବାହାରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାହେବା ପରେ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, 'ମୁଁ ଜମ୍ମୁ ଏବଂ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରୁଛି।' ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ତଥା ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହି ଘୃଣ୍ୟ କାର୍ଯ୍ୟ ପଛରେ ଥିବା ଲୋକଙ୍କୁ ନ୍ୟାୟ ଦିଆଯିବ... ସେମାନଙ୍କୁ ଛଡ଼ାଯିବ ନାହିଁ! ଆତଙ୍କବାଦୀଙ୍କ ଘୃଣ୍ୟ କାର୍ଯ୍ୟସୂଚୀରେ ସେ କେବେ ସଫଳ ହେବେ ନାହିଁ। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଆହୁରି ଦୃଢ଼ ହେବ।
ଆକ୍ରମଣକୁ ନିନ୍ଦା କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ଘୃଣ୍ୟ କାର୍ଯ୍ୟ ପାଇଁ ଦାୟୀ ଲୋକଙ୍କୁ କେବେ ହେଲେ ଛଡ଼ାଯିବ ନାହିଁ । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗୃହମନ୍ତ୍ରୀ । ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ପୋଲିସର ସୂଚନା ଅନୁଯାୟୀ, ପର୍ଯ୍ୟଟନସ୍ଥଳର ଉପତ୍ୟକାରେ ଗୁଳିର ଶବ୍ଦ ଶୁଣାଯାଇଥିଲା। ଗୁଳିଚାଳନା ଖବର ପାଇବା ମାତ୍ରେ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଏକ ଅତିରିକ୍ତ CRPF ଟିମ୍ ମୁତୟନ କରାଯାଇଛି।