Puri Old House News: ପ୍ରାୟ ୧୦୦ ଜ୍ୟାଗ ରଡ ଲଗାଯାଇ ୫ ଫୁଟ ଉଠାଯାଇଛି ୨୦ ବର୍ଷ ତଳର ପୁରୁଣା ଘର। ପୁରୀ ସଦର ଉପକଣ୍ଠସ୍ଥ ଗୋପୀନାଥପୁର ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଏଇ ପୁରୁଣା ଘରେ ୧୦୦ ଜ୍ୟାଗ ରଡ଼ ଲଗାଯାଇ ଏହାକୁ ୫ ଫୁଟ ଉଠାଯାଉଛି। ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଅଜୟ କୁମାର ସାହୁଙ୍କ ଘରକୁ ଜ୍ୟାଗ ରଡ଼ ଲଗାଯାଇ ଉଠାଯାଇଛି। ୬୦୦ ବର୍ଗଫୁଟ ବିଶିଷ୍ଟ ୨୦ ବର୍ଷର ପୁରୁଣା ଘରକୁ ଉଠାଯାଉଛି। ଗତ ଫେବୃଆରୀ ୨୦ ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏହା ଦେଢ଼ ଫୁଟ ଉଠିଛି। ଆସନ୍ତା ୧୦ ଦିନ ଭିତରେ ଏହି କାର୍ଯ୍ୟ ଶେଷ ହେବ।
ବର୍ଷ ବର୍ଷ ଧରି ଲାଗି ରହିଥିଲା ସମସ୍ୟା। ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ନୂତନ ବାଇ ପାସ ରାସ୍ତା ନିର୍ମାଣ ହେବା ପରେ ତଳୁଆ ଅଞ୍ଚଳ ହୋଇଥିବା ଗୋପୀନାଥପୁରରେ ଏହି ସମସ୍ୟା ଆହୁରି ଉତ୍କଟ ରୂପ ଧାରଣ କରିଥିଲା। ଘର ଭିତରକୁ ପାଣି ପଶିଯାଉଥିଲା। ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ କାର୍ଯ୍ୟ କରୁଥିବା ଅଜୟ ସାହୁଙ୍କୁ ଏହି ଚିନ୍ତା ଘାରିଥିଲା। ଘର ଭାଙ୍ଗିବେ କି ଜ୍ୟାଗ ରଡ଼ ଲଗାଇ ଘର ଟେକିବେ ସେ ନେଇ ଦ୍ୱନ୍ଦ୍ୱରେ ରହିଥିଲେ। ଶେଷରେ ଜୟ ଶ୍ରୀରାମ ସନ୍ସ କମ୍ପାନୀ ସହଯୋଗରେ ସେ ଗତ ୨୦ ତାରିଖରୁ ଜ୍ୟାଗ ରଡ଼ ଲଗାଇ ଘର ୫ ଫୁଟ ଟେକିବା କାର୍ଯ୍ୟ ଆରମ୍ଭ କରିଛନ୍ତି।
ବର୍ଷାଦିନେ ପାଣି ଜମୁଥିବାରୁ ଅଜୟ କୁମାର ସାହୁଙ୍କ ପରିବାର ଲୋକେ ହଇରାଣ ହେଉଥିଲେ। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖାଲୁଆ ଜାଗାରେ ରହିଥିବା ଘର ଉଠାଯାଉଥିବା ଜାଣିବା ପରେ ଅଧିକାରୀ ସାହୁ ତାଙ୍କ ଘର କିପରି ଉପରକୁ ଉଠାଯାଇପାରିବ ସେ ନେଇ ଚିନ୍ତା କରିଥିଲେ। ଏହାପରେ ଏହି କାମରେ ନିୟୋଜିତ ବିହାର ସ୍ଥିତ ଏକ ଟିମ୍ ସହିତ ଯୋଗାଯୋଗ କରିଥିଲେ।
ଯେଉଁମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଘର ଉଠାଇବାରେ ବେଶ୍ ସଫଳତା ପାଇଛନ୍ତି ସେମାନଙ୍କ ସହଯୋଗ ନେଇଥିଲେ। ଗତ ୨୦ ତାରିଖଠାରୁ ଏହି ଟିମ୍ ସହ ଜଡ଼ିତ ୭ ଜଣ ସଦସ୍ୟ ପୁରୀ ଆସି ଘର ଉଠାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୋଳାଖୋଳି କରିବା ସହ ପ୍ରାୟ ୮୦ ଜ୍ୟାଗ୍ ରଡ୍ ଲଗାଇଥିଲେ। ଶୁକ୍ରବାର ଠାରୁ ଘର ଉଠାଇବା କାମ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ଦେଢଫୁଟ ଉପରକୁ ଘର ଉଠିଛି। ମୋଟ ୫ ଫୁଟ ଉପରକୁ ଉଠାଇବା ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ କାମ ସମ୍ପୂର୍ଣ୍ଣ କରିବାକୁ ଆହୁରି ୬/୭ ଦିନ ସମୟ ଲାଗିବ ବୋଲି କହିଛନ୍ତି ସାହୁ। ପ୍ରାୟ ୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଏହି ଗୋଟିଏ ମହଲା ଘର ପ୍ରାୟ ୨୦ ବର୍ଷ ତଳେ ତିଆରି ହୋଇଥିଲା। ପ୍ରତିବର୍ଷ ବର୍ଷାଦିନେ ଘରକୁ ଯିବାଆସିବା କରିବାରେ ଅଧିକ ସମସ୍ୟା ହେଉଥିବା କହିଛନ୍ତି ଜ୍ଯାଗ ରଡ ଲଗାଉଥିବା କାରିଗର।
ପୁରୀ ଜିଲ୍ଲାରେ ଏଭଳି ଜ୍ୟାଗ ରଡ଼ ଲଗାଇ ଘର ୫ ଫୁଟ ଉଠିବା ପ୍ରଥମ ଘଟଣା।ବିଜ୍ଞାନ ସହ ସିଭିଲ ଇଞ୍ଜିନିୟରିଂ ଦ୍ରୁତ ଅଗ୍ରଗତି କାରଣରୁ ଘର ନ ଭାଙ୍ଗି ଅନ୍ୟ ଲୋକ ମଧ୍ୟ ଏହି ପ୍ରକ୍ରିୟା ଆପଣାଇ ପାରିବେ। ଏହା ଦ୍ବାରା ଘରର କୌଣସି କ୍ଷତି ହେବ ନାହିଁ ବୋଲି କମ୍ପାନୀ ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଉଛି।