KALIA Scheme Odisha: ମାର୍ଚ୍ଚ ୧୧ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏହାସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇ ଭଉଣୀଙ୍କୁ କୃଷି କାର୍ଯ୍ୟ ଲାଗି ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାଳିଆ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଏବଂ ଓଡିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ। କାଳିଆ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ଅର୍ଥାତ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ଏନେଇ ରାଜ୍ୟ ସରକାର ୬୦୩୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଶିକ୍ଷା କେବଳ ଗୋଟିଏ ବ୍ୟକ୍ତିକୁ ନୁହେଁ, ପୁରା ପରିବାରକୁ, ସମାଜକୁ ସଶକ୍ତି କରିଥାଏ। କାଳିଆ ହିତାଧିକାରୀ ପିଲାଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରୁ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣି NIT, IIT, IIM, AIIMS, ICAR ପରି ସମ୍ମାନଜନକ ଶିକ୍ଷାନୁଷ୍ଠାନ ସହ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଘରୋଇ ବୈଷୟିକ-ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ଚାଷୀ ପରିବାରର ପିଲାଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରିବ। ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ସେମାନଙ୍କୁ କୃଷି ସମ୍ବନ୍ଧୀୟ ବୈଷୟିକ ସହାୟତା ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ କାଳିଆ କେନ୍ଦ୍ର ଉଦ୍ଘାଟନ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି କେନ୍ଦ୍ର କୃଷି କ୍ଷେତ୍ରରେ ଅଭିନବ ଚିନ୍ତାଧାରା ଏବଂ ସମ୍ବଳ କେନ୍ଦ୍ର ଭାବରେ କାମ କରିବ।
ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଭୂମିହୀନ ଚାଷୀ ପରିବାରକୁ ଚଳିତ ଖରିଫ ଋତୁ ପାଇଁ ଅତିରିକ୍ତ ୨ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୂର୍ବରୁ ୩ କିସ୍ତିରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ରାଜ୍ୟର ୧୮ ଲକ୍ଷରୁ ଉର୍ଦ୍ଧ୍ବ ଭୂମିହୀନ ଚାଷୀ ପରିବାର ଉପକୃତ ହେବେ। ମୋଟ ୩୬୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଖରିଫ-୨୦୨୪ ପାଇଁ ରାଜ୍ୟର ଚାଷୀ ଭାଇଭଉଣୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ସହାୟତା ବାବଦରେ ୨୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଏହା ଦ୍ବାରା ୪୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ଚାଷୀ ଭାଇର ସମୃଦ୍ଧି ହିଁ ରାଜ୍ୟର ସମୃଦ୍ଧି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ କୃଷି ଏବଂ କୃଷକ ସଶକ୍ତିରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ୫ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ କାଳିଆ ଯୋଜନା ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିଲା। ଏହି ଯୋଜନା ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେବା ସହିତ ଓଡିଶାର ଚାଷୀ ଭାଇଭଉଣୀଙ୍କ ପାଇଁ ସହାୟକ ହୋଇପାରିଛି। ରାଜ୍ୟରେ ଚାଷୀ ଭାଇଙ୍କ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଏହାର ଆକାର ଏବଂ ପରିମାଣକୁ କ୍ରମାଗତ ଭାବେ ସମ୍ପ୍ରସାରଣ କରୁଛନ୍ତି।
କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଥିଲେ ଯେ ୨୦୧୯ ମସିହାରେ ଏହି ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ମଧ୍ୟରେ ୬୪ ଲକ୍ଷ ଚାଷୀ ଏହି ଯୋଜନାରେ ସାମିଲ ହୋଇଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ୧୩,୭୯୩ କୋଟି ଟଙ୍କାର ସହାୟତା ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଛି। ଚାଷୀଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବହୁତ ବଡ ପଦକ୍ଷେପ। ଭାରତ ବର୍ଷରେ ଓଡିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ଭୂମିହୀନ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ କୃଷି ଏବଂ କୃଷକ ସଶକ୍ତିରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।