Prabhat Tripathy: ଭୁବନେଶ୍ୱର: ବରିଷ୍ଠ ରାଜନେତା ପ୍ରଭାତ ତ୍ରିପାଠୀ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱକୁ ଆହୁରି ପଦାରେ ପକାଇଛନ୍ତି। ସେ କହିଛନ୍ତି ୱାକଫ ସଂଶୋଧନ ବିଧେୟକ ଆଲୋଚନା ବେଳେ ବିଜେଡି ରାଜନୀତିକ ପ୍ରତିବଦ୍ଧତାରୁ ଓହରିଥିଲା। ‘ବିବେକାନୁମୋଦିତ’ ଭୋଟ କଥା କହି କାହିଁକି ଦଳ ଏପରି ଆଭିମୁଖ୍ୟ ନେଲା ଏବଂ ଏହା ପଛରେ କିଏ ନିର୍ଦ୍ଦେଶ ଦେଇଛନ୍ତି ତାହା ସ୍ପଷ୍ଟ କରିବାକୁ ନବୀନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଭାତ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଗତକାଲି ଯାଏ ସେ ବିଜେଡିର ସଦସ୍ୟ ଥିଲେ। ୨୦୨୪ ନିର୍ବାଚନ ସମୟରେ ସେ ଦଳର ପ୍ରଚାର କରିଥିଲେ। କଟକର ବିଭିନ୍ନ ସଭା ସମିତିରେ ସେ ଜଣେ ସାଧାରଣ କର୍ମୀ ଭାବେ ଯୋଗ ଦେଇଛନ୍ତି। ତାଙ୍କ ଉପରୁ ଦଳ ୨୦୧୭ ମସିହାରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲାବେଳେ ଦଳର ସଭାପତି ତାଙ୍କୁ ଦଳରୁ ବହିଷ୍କାର କରିଥିବା କହିବା ଅଯୁକ୍ତିକର। ଚିଟଫଣ୍ଡ ଠକେଇ ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପ୍ରଭାତ ତ୍ରିପାଠି କହିଛନ୍ତି, ମୁଁ ଦୋଷୀ ନୁହେଁ, ଦୋଷୀ ସାବ୍ୟସ୍ତ ହୋଇ ନାହିଁ। ଭବିଷ୍ୟତ ନ୍ୟାୟଳୟ ବିଚାର କରିବ। କିନ୍ତୁ ଏହାକୁ କେନ୍ଦ୍ରକରି କୌଣସି ମନ୍ତବ୍ୟ ଦେବା ଠିକ ନୁହେଁ’। ଏପରିକି ସେ ଦଳରେ ନାହାନ୍ତି ବୋଲି କହିବା ବି ଏକ ମହା ମିଥ୍ୟା।
ସେ କହିଛନ୍ତି ୱାକଫ ସଂଶୋଧନ ବିଧାୟକରେ ଦଳର ସାଂସଦମାନେ ଯେଉଁଭଳି ଭାବେ ଭୋଟ ଦେଲେ ତାହା ଦଳର ଆଦର୍ଶଭଙ୍ଗ କରିଛି। ଏ ବିଷୟକୁ ମୁଁ ଗଣମାଧ୍ୟମକୁ ଆଣି କହିଥିଲି, ଏ ବାବଦରେ ଯଦି ଦଳର ସଭାପତି ଅଜ୍ଞ ରହିଛନ୍ତି ତେବେ ଦଳର ଦ୍ୱଇତୀୟ କ୍ଷମତାର କେନ୍ଦ୍ର ଜାଣିଥିବେ। ଏ ବାବଦରେ ସ୍ପଷ୍ଟ କରିବାକୁ ଯାଇ ଦଳର ସଭାପତି ଗତକାଲି ଜନମତକୁ ବିଭ୍ରାନ୍ତ କରିବାକୁ ଚାହିଁଛନ୍ତି। ନବୀନଙ୍କ ଭାଷାରେ ଶ୍ରୀ ପାଣ୍ଡିଆନ୍ ୧୦ ମାସରୁ ଅଧିକ ଦିନ ହେଲାଣି ଦଳରେ ନାହାନ୍ତି। ତେଣୁ ଦଳର, କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ।" ହେଲେ ଯେଉଁ ମୂଳ ପ୍ରଶ୍ନ ଉଠିଛି ତାହାକୁ ନବୀନ ସ୍ପଷ୍ଟ କରିନାହାନ୍ତି। ଦଳର ଲକ୍ଷଲକ୍ଷ କର୍ମୀ ଜାଣିବାକୁ ଚାହୁଁଛନ୍ତି, କାହିଁକି ଦଳ ନିଜର ପ୍ରତିବଦ୍ଧତାରୁ ଓହରିଲା। ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ନ୍ୟାୟରେ ଯଦି କାର୍ଯ୍ୟ ଚାଲିଥାଏ ତାହା ବିଜେଡି ପାଇଁ ମାରାତ୍ମକ ହେବ ବୋଲି ପ୍ରଭାତ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଏ ପ୍ରସଙ୍ଗ ମୁଁ ପ୍ରଥମେ ଉଠାଇବା ପରଦିନ ୪ ଜଣ ସାଂସଦ ଏକାଠି ହେଲେ। ସେ କହିଲେ ରାଜ୍ୟ ସଭାପତିଙ୍କ ବିନା ଗଛପତ୍ର ହଲେନାହିଁ। ପାଣ୍ଡିଆନଙ୍କ ନାଁ କାହିଁକି ଅଣାଯାଉଛି? ଯଦି ପାଣ୍ଡିଆନଙ୍କୁ ଟଣା ଯିବ ନାହିଁ, ତେବେ ନବୀନ ବାବୁ କହିଥିବେ! ଯଦି କହି ନାହାନ୍ତି ତେବେ ସେ ଏତେ ବିଚଳିତ କାହିଁକି ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତ। ଏଠାରେ କହି ରଖୁକି ଗତକାଲି ନବୀନ ବିନା ଓଡ଼ିଆ ସାମ୍ବାଦିକଙ୍କ ଉପସ୍ଥିତିରେ କିଛି ଜାତୀୟ ନ୍ୟୁଜ ଏଜେନ୍ସିଙ୍କୁ ନିଜର ବକ୍ତବ୍ୟ ରଖିଥିବାକୁ ଓଡ଼ିଆ ଅସ୍ମିତା ଉପରେ ଆଘାତ ବୋଲି କହିଛନ୍ତି ପ୍ରଭାତ।