odisha news : ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଚଳିତ ବର୍ଷ ରଥଯାତ୍ରା ଦୁଇଦିନ ପାଳନ ହେଉଛି।ରବିବାର ରଥାରୂଢ଼ ଦାରୁବ୍ରହ୍ମଙ୍କୁ ଦର୍ଶନ କରିଥିଲେ ମହାମହିମ।ଗତକାଲି ରଥଟଣା କାର୍ଯ୍ୟକ୍ରମ ସାରି ପୁରୀ ରାଜଭବନରେ ରାତ୍ରିଯାପନ କରିଥିଲେ।ରାଷ୍ଟ୍ରପତିଙ୍କ ଗସ୍ତରେ ବ୍ଲୁ ବୁକ୍ ଆଧାରରେ ଶ୍ରେକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।ଗସ୍ତ ସମୟରେ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ୍ କରାଯିବା ସହିତ ଗସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା। ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେଇଥିଲେ।
ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ। ଭୁବନେଶ୍ୱର ଫେରି ଉଦୟଗିରି ଗୁମ୍ଫା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।ଏହାପରେ ବିଭୂତି କାନୁନଗୋ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ।ଏହାପରେ ହରିଡାମଡା ଗାଁରେ ପହଞ୍ଚି ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦ୍ଘାଟନ କରିବା ସହ 'ସ୍ଥାୟିତ୍ବ ପାଇଁ ଜୀବନଶୈଳୀ’ ଅଭିଯାନ ଶୁଭାରମ୍ଭ କରିବେ । ଏହାପରେ ମଙ୍ଗଳବାର ନାଇଜର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରରେ ଅବତରଣ କରିଥିଲେ ରାଷ୍ଟ୍ରପତି । ପ୍ରୋଟୋକଲ୍ ଅନୁସାରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମେୟର ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧୂକାରୀ ତାଙ୍କୁ ସ୍ବାଗତ କରିଥିଲେ।
ଅନ୍ୟପକ୍ଷରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା । କାରଣ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ନେତା ସାମିଲ ହୋଇଥିଲେ ଘୋଷଯାତ୍ରାରେ । ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି।