Puri News:ଭୁବନେଶ୍ୱର: ସନାତନୀ ହିନ୍ଦୁଙ୍କୁ ସର୍ବୋଚ୍ଚ ଆସ୍ଥାସ୍ଥଳ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ନିଜସ୍ୱ ୟୁଟ୍ୟୁବ୍ ଷ୍ଟ୍ରିମିଂ ଆରମ୍ଭ କରାଯିବ। ଖୁବ୍ ଶୀଘ୍ର ଏ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରମୁଖ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରରର ପର୍ବପର୍ବାଣୀ ଓ ଯାନିଯାତ୍ରା ସମ୍ପର୍କରେ ସୂଚନା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା, ଦର୍ଶନ, ସଂସ୍କୃତି, ପରମ୍ପରାର ପ୍ରସାର ତଥା ଶ୍ରଦ୍ଧାଳୁଙ୍କ ମନରେ ସଚେତନତା ସୃଷ୍ଟି ଏହାର ଉଦ୍ଦେଶ୍ୟ ବୋଲି ଡ. ପାଢ଼ୀ କହିଛନ୍ତି।
ଜୟ ଜଗନ୍ନାଥ ।
ଶ୍ରୀମନ୍ଦିର ପ୍ରଶାସନର ୟୁ-ଟ୍ୟୁବ୍ ଚ୍ଯାନେଲ୍ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଅଛି। ଶ୍ରୀମନ୍ଦିରର ପର୍ବପର୍ବାଣି ଓ ଯାନିଯାତ୍ରା ସମ୍ପର୍କରେ ସୂଚନା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ଦର୍ଶନ, ସଂସ୍କୃତି, ପରମ୍ପରାର ପ୍ରସାର ତଥା ଶ୍ରଦ୍ଧାଳୁଙ୍କ ମାନସରେ ଭକ୍ତି-ସଚେତନତା ସୃଷ୍ଟି ଆମର ଉଦ୍ଦେଶ୍ୟ। pic.twitter.com/efOrPvQbyR
— Arabinda K Padhee (@arvindpadhee) April 14, 2025
ଏବେ ବିଭିନ୍ନ ଘରୋଇ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ପ୍ରସାରଣ କରାଯାଉଛି। କିଛି ସ୍ଥାନରେ ଭକ୍ତଙ୍କ ଅନୁଭୁତି ଓ ବିଶ୍ୱାସକୁ ଆଧାର କରି ଅନେକ ଅନ୍ଧ ବିଶ୍ୱାସ ପ୍ରସାର କରାଯାଉଛି। ଏପରିକି କିଛଇ ଲୋକକଥାକୁ ମଧ୍ୟ ସତ୍ୟ ବୋଲି ପ୍ରସାରିତ କରାଯାଉଥିବା ଦୃଷ୍ଟିକୁ ଆସିଛି। ଏହିଭଳି ସମସ୍ୟାକୁ ଦୂରେଇବାରେ ପ୍ରଶାସନ ଦ୍ୱାରା ଆରମ୍ଭ ହେବାକୁ ଥିବା ଷ୍ଟ୍ରିମିଂ ବ୍ୟବସ୍ଥା ସହାୟକ ହେବ ବୋଲି ଆଶା କରାଯାଉଛି। ଖାଲି ସେତିକି ନୁହେଁ ଦୂର ଦୂରାନ୍ତରେ ଥିବା ବ୍ୟକ୍ତିମାନେ ଇଣ୍ଟରନେଟ୍ ମାଧ୍ୟମରେ ଏହି ଚ୍ୟାନେଲ୍କୁ ବ୍ରାଉଜ କରି ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ପରମ୍ପରା, ଯାନିଯାତ୍ରାକୁ ଜାଣିବା ଏବଂ ପ୍ରତ୍ୟକ୍ଷ ଅନୁଭବ କରିବାରେ ସକ୍ଷମ ହୋଇପାରିବେ। ଏହା ମାଧ୍ୟମରେ ଶ୍ରୀମନ୍ଦିର ସହ ସମ୍ପର୍କିତ ଲୁକ୍କାୟିତ ପ୍ରତିଭା ଓ ପରମ୍ପରା ମଧ୍ୟ ସାମ୍ନାକୁ ଆସିବା ଆଶା କରାଯାଇପାରେ।
ଏହାପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ଏକ ଏଫ୍ଏମ୍ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା କରିଛି। ଏହି ଯୋଜନା ଲାଗି ବଜେଟ୍ ଅନୁମତି ମିଳିଛି। କିନ୍ତୁ ଏଫ୍ଏମ୍ ରେଡିଓ ଷ୍ଟେସନ୍ ପ୍ରତିଷ୍ଠା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅନୁମତି ଓ ଉପଲବ୍ଧ ଫ୍ରିକ୍ୱେନ୍ସୀ ନିଲାମ ଉପରେ ନିର୍ଭର କରୁଛି। କିନ୍ତୁ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ଏହାର ଆବଶ୍ୟକତା ନାହିଁ।