Home >>Odisha State

Sunabesha: ଓଡ଼ିଶା ପୁଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭିଡ଼ ନିୟନ୍ତ୍ରଣ, କେମିତି ରହିବ ପୁରୀରେ ଟ୍ରାଫିକ ପରିଚାଳନା?

Traffic Advisory for Sunabesha: ଭିଭିଆଇପି ଓ ସେବାୟତଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଗଦାଧର ହାଇସ୍କୁଲ୍‍ଠାରେ ଭିଭିଆଇପିଙ୍କ ପାର୍କିଂ ହେବ। ଏଠାରୁ ବ୍ୟାଟେରୀ ଚାଳିତ ଅଟୋରେ ବା ଚାଲିଚାଲି ସେମାନଙ୍କୁ ମନ୍ଦିର ଯାଏ ଆସିବାକୁ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।   

Advertisement
Traffic Advisory for Sunabesha
Traffic Advisory for Sunabesha
Jagdish Barik|Updated: Jul 16, 2024, 03:15 PM IST
Share

ଭୁବନେଶ୍ୱର: ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ତିନି ଠାକୁରଙ୍କ ସୁନାବେଶ ହେବ। ରଥ ଉପରେ ଏହି ସୁନାବେଶ ଦର୍ଶନ ଲାଗି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଆଶା କରାଯାଇଛି। ସୀମିତ ସମୟ ଭିତରେ ଏହି ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ପ୍ରାୟ ୧୯୦ ପ୍ଲାଟୁନ ପୁଲିସ ବଳ ଏହି କାର୍ଯ୍ୟରେ ମୁତ୍ତୟନ ହେବେ ବୋଲି ଜଣାଇଛନ୍ତି ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର। 

ଶ୍ରୀ ମିଶ୍ର କହିଛନ୍ତି, ‘ସୁନାବେଶ ହେଉଛି ଓଡ଼ିଶା ପୁଲିସ ପାଇଁ ସବୁଠାରୁ ବଡ଼ ଭିଡ଼ ନିୟନ୍ତ୍ରଣ ଚ୍ୟାଲେଞ୍ଜ’। ଏଥିଲାଗି ପୁରୀରେ ପୁଲିସ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି।  ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ମାର୍କେଟ ଛକରୁ ବ୍ୟାରିକେଡ୍‍ ବ୍ୟବସ୍ଥା ହୋଇଛି। ଏକ ନିର୍ଦ୍ଦିଷ୍ଟ ଧାଡ଼ିରେ ଭକ୍ତଙ୍କୁ ରଥ ପାଖକୁ ଛାଡ଼ିବା ବ୍ୟବସ୍ଥା ହୋଇଛି। କୌଣସି ସ୍ଥାନରେ ଧାଡ଼ି ବାହାରର ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ରହିବ ନାହିଁ। ପ୍ରତି ସମ୍ବୋଦନଶୀଳ ଅଞ୍ଚଳରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁତ୍ତୟନ କରାଯିବା ସହ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ ଲାଗି ନିର୍ଦ୍ଦେଶ ଦିଆଯାଇଛି। 

ଇଂରେଜୀ ଅକ୍ଷର ‘ୟୁ’ ଭଳି ଭକ୍ତଙ୍କୁ  ନିୟନ୍ତ୍ରଣ କରାଯିବ। ପ୍ରଥମେ ବଡ଼ ଦାଣ୍ଡର ମାର୍କେଟ ଛକଠାରେ ଥିବା ମୁହଁରୁ ଆରମ୍ଭ ହେବ ଧାଡ଼ି। ଏହା ତିନି ରଥ ସମ୍ମୁଖରେ ବୁଲି ପୁଣିଥରେ ବଡ଼ ଦାଣ୍ଡରେ ବାହାରିବ। ଅର୍ଥାତ୍‍ ବଡ଼ଦାଣ୍ଡରୁ ଭକ୍ତ ଯାଇ ସେଇ ବଡ଼ଦାଣ୍ଡରେ ହିଁ ପହଞ୍ଚିବେ। 

ଦୋଳମଣ୍ଡପ ସାହି  ହେଉ ବା ବାଲି ସାହି ହେଉ ଅଥବା ଦୋଳବlଦୀ କୋଣ ପଟୁ ଭକ୍ତଙ୍କ ଆସିବା ଏବଂ ଏଠାରେ ଯୁକ୍ତି ତର୍କ ହେବା ସ୍ୱାଭାବିକ ଥିବାରୁ ଏସବୁ ସ୍ଥାନକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଗ୍ରହଣ କରାଯାଇଛି। ଏଣୁ ଜହ୍ନgମୁଣ୍ଡି ଛକ, କାକୁଡ଼ି ଖାଇ ଛକ ଏବଂ ଦକ୍ଷିଣ ଦ୍ୱାରଠାରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଦୋଳବେଦୀ କୋଣଠାରେ ମଧ୍ୟ କୌଣସି ଭକ୍ତଙ୍କୁ ଯେପରି ଧାଡ଼ି ଭିତରେ ପ୍ରବେଶ ନହେବ ସେଥିଲାଗି ପୁଲିସ ଧ୍ୟାନ ଦେବେ। 

ଭିଭିଆଇପି ଓ ସେବାୟତଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଗଦାଧର ହାଇସ୍କୁଲ୍‍ଠାରେ ଭିଭିଆଇପିଙ୍କ ପାର୍କିଂ ହେବ। ଏଠାରୁ ବ୍ୟାଟେରୀ ଚାଳିତ ଅଟୋରେ ବା ଚାଲିଚାଲି ସେମାନଙ୍କୁ ମନ୍ଦିର ଯାଏ ଆସିବାକୁ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। 

ଧାଡ଼ିରେ ଆସୁଥିବା ଭକ୍ତଙ୍କୁ ମୋବାଇଲ୍‍ ବ୍ୟବହାଳର ନକରିବାକୁ ଅନୁରୋଧ କରିଛନ୍ତି ଏସ୍‍ପି ଶ୍ରୀ ମିଶ୍ର। ସେ କହିଛନ୍ତି ରଥ ଟାଣିବା ବେଳେ ଆମେ ଏମିତି ଅନେକ ଭକ୍ତଙ୍କୁ ଦେଖିଥିଲୁ ଯେଉଁମାନେ ଗୋଟିଏ ହାତରେ ରଥ ଦଉଡ଼ି ଏବଂ ଅନ୍ୟ ହାତରେ ମୋବାଇଲ୍‍ ଧରିଥିଲେ। ସେମାନେ ଅଧିକ ଭାରସାମ୍ୟ ହରାଇଥିବା ଲକ୍ଷ୍ୟ କରାଯାଇଛି। ଏଣୁ ଅନ୍ୟ ଭକ୍ତଙ୍କୁ ଅସୁବିଧା ନକରାଇବା ତଥା ନିଜକୁ ଠିକ୍‍ ଭାବେ ନିୟନ୍ତ୍ରଣ କରିବା ଲାଗି ଭକ୍ତଙ୍କୁ ମୋବାଇଲ୍‍ ନବ୍ୟବହାର କରିବାକୁ କୁହାଯାଇଛି।  ଶ୍ରୀମନ୍ଦିର ନୀତି ନିର୍ଦ୍ଧାରଣ ଅନୁସାରେ ସନ୍ଧ୍ୟା ୫ଟାରୁ ସୁନାବେଶ ଦର୍ଶନ ଆରମ୍ଭ ହେବ। ରାତି ୧୧ଟାରେ ବେଶ ଓଲାଗି ହେବ। ରାତି ୧ଟା ୩୦ରେ ପହୁଡ଼ ହେବାକୁ ସ୍ଥିର କରାଯାଇଛି।

Read More
{}{}