Puri News: ପାଖେଇ ଆସୁଛି ଘୋଷଯାତ୍ରା। ଏନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ଜୁନ ୧୧ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଆଉ ଆଜି ହେଉଛି ରାଜେନ୍ଦ୍ରଭିଷେକ ନୀତି । ତେଣୁ ଆଜିଠୁ ନୀତି ଶୃଂଖଳିତ କଲେ ସ୍ନାନପୁର୍ଣିମା ନୀତି ବି ଶୃଙ୍ଖଳିତ ହୋଇଛି । ସେପଟେ ଆଜି ଗୁରୁବାର ମାଜେଣା ନୀତି ସହିତ ସୁଦଶା ବ୍ରତ। ଅନେକ ନିତି କାନ୍ତି ଥିବାରୁ ଗତକାଲି ରାତ୍ର ପହୁଡ଼ ୦୧ ଟା ୨୫ମିନିଟ୍ ରେ ହୋଇଥିବା ବେଳେ ଆଜି ସକାଳ ୫ଟା ୩୦ରେ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇଥିଲା। ତାପରେ ଅନ୍ୟାନ୍ୟ ନୀତି କାନ୍ତି ଆଗକୁ ବଢିଛି। ତେବେ ଶ୍ରୀମନ୍ଦିରରେ ଆଜି ସଅଳ ନୀତି ହୋଇଥିବା ବେଳେ ଆସନ୍ତାକାଲି ରୁକ୍ମଣୀ ହରଣ ଏକଦଶୀରେ ଅଧିକ ନୀତି ଥିବାରୁ ତା ଉପରେ ଗୁରୁତ୍ୱ ରହିଛି।
ସେପଟେ ରଥଖଳାରେ ଅଖ ଉପରକୁ ଦଣ୍ଡା ଉଠିଛି। ତଳେ ଲାଗିଲା ‘ମେଣ୍ଢିଖମ୍ବ’। ରଥ ନିର୍ମାଣର ୩୫ତମ ଦିବସରେ ତିନି ରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ ପରେ ଅଳ୍ପ ଉପରକୁ ଦଣ୍ଡା ଫ୍ରେମ୍ଉଠିଛି। ପୂର୍ବଦିନ ତିନିରଥର ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ସହଯୋଗୀ ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ଭୋଇ ସେବକମାନଙ୍କ ସହଯୋଗରେ ତିନିରଥର ଚକ ଅଖ ସଂଯୋଗ ହେବା ସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଥିଲା। ତିନି ରଥ ଅଖ ଉପରକୁ ଦଣ୍ଡା ପ୍ରେମ୍ ଉଠିବା କାର୍ଯ୍ୟ ସମ୍ପନ୍ନ ହୋଇଛି ।
ରଥଯାତ୍ରା ପୂର୍ବଦିନ ତିନି ରଥ ବିନା ବାଧାରେ ଯେପରି ନିଜ ନିଜ ସ୍ଥାନରେ ସିଂହଦ୍ବାରରେ ପହଞ୍ଚି ପାରିବ ସେ ଦୃଷ୍ଟିରୁ ଦିଗ ନିର୍ଣ୍ଣୟ କରାଯାଇ ଚକ ଅଖ ଗୁଡ଼ିକୁ ସେଟିଂ କରାଯାଇଛି।ଏଥିସହ ରଥ ନିର୍ମାଣ ସମୟରେ ଚକଗୁଡିକ ନିଜ ସ୍ଥାନରୁ ନଗଡ଼ିବା ପାଇଁ ପ୍ରତ୍ୟେକ ଚକର ଉଭୟ ପାର୍ଶ୍ଵରେ ଆମ୍ବଗଡ଼ ବାନ୍ଧି ଦିଆଯାଇଛି। ରଥ ଉପର ନିର୍ମାଣ କାର୍ଯ୍ୟ ଗଢ଼ି ଉଠିଲେ ଅଖ ଉପରେ ଅଧିକ ଚାପ ସହିବା ପାଇଁ ଅଖ ତଳେ ଆମ୍ବଗଡ଼ ବା ମେଣ୍ଢି ଖମ୍ବ ଲଗାଯାଇଛି।
ତିନି ରଥ ଦଣ୍ଡା ଗୋଲେଇ କାର୍ଯ୍ୟ କରାଯାଇଛି। ଦଣ୍ଡାଗୁଡ଼ିକରେ ଅର୍ଦ୍ଧ ଚନ୍ଦ୍ରାକାର ଖୋଦେଇ ବା କାପ କାର୍ଯ୍ୟ ହୋଇଛି ତିନିରଥ ଦଣ୍ଡାକୁ ଅଖ ସହ ସେଟିଂ କରାଯାଇ ପାଞ୍ଚ ଦଣ୍ଡା ଆଗ ଓ ପଞ୍ଚରେ ମୁହାଁଟ କରାଯାଇଛି। ଏଥିସହ ଆଜି ତିନିରଥର ପୋଲ ଗୟଳ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ୧୨ଟି ଲେଖାଏଁ ଗୟଳରୁ ୭ ଗୋଟି ଲେଖାଏଁ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଦର୍ପଦଳନ ରଥର ମୋଟ ୮ଗୋଟି ଗୟଳରୁ ୫ଟି ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନିରଥର ବେବୀ ସିଂହାସନ ମୁହାଁଟରେ ଚିତ୍ର ଖୋଦେଲର ପଲିସ୍ କାର୍ଯ୍ୟ ସହ ତିନିରଥ ନାଟ ଗୋଡ଼ରେ ରାହୁ ରୂପ ବା ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଦଣ୍ଡା କଣ୍ଟା ଶେଷ କରି ନଦା କଣ୍ଡା ନିର୍ମାଣ କରୁଛନ୍ତି। ଦୋଳବେଦୀଠାରେ ପାହି ମହାରଣାମାନେ ଅଣସର ଏବଂ ରଥଯାତ୍ରାରେ ସେବାପୂଜା କାଠ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି। ଚାରି ନାହାକା ଉଠିବାର ରହିଛି ଆଶଙ୍କା। ଆଉ ରଥ ଯାତ୍ରା ପୂର୍ବରୁ ସରିବ ରଥକାର୍ଯ୍ୟ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା ।