Ravishankar: କଟକ: ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଦେଶ ତଥା ଦେଶ ବାହାରେ ଶାନ୍ତି ଓ ପ୍ରୀତିର ବାର୍ତ୍ତା ଦେଇ ଆସୁଥିବା ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ନିକଟରେ କଲମ୍ବିଆ ଗସ୍ତ ଶେଷ କରିଛନ୍ତି । ଏହି ଅବସରରେ ସେଠାକାର ବୋଗୋଟା ସହର ଅନ୍ତର୍ଗତ ପ୍ରସିଦ୍ଧ ‘ପ୍ଲାଜା ଲା ସାଣ୍ଟା ମାରିଆ’ଠାରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ତାଙ୍କ ସହ ଏକତ୍ରିତ ହୋଇଥିଲେ ହଜାର ହଜାର ସ୍ଥାନୀୟ ଲୋକ । ଗୁରୁଦେବଙ୍କୁ ସେଠାକାର ସରକାର ମଧ୍ୟ ବିଶେଷ ଗୁରୁତ୍ୱ ଦେବାର କାରଣ ହେଉଛି, ଗତ ଏକ ଦଶନ୍ଧି ପୂର୍ବରୁ ବା ସ୍ପଷ୍ଟ ଭାବରେ କହିବାକୁ ଗଲେ 2015 ମସିହା ପୂର୍ବରୁକଲମ୍ବିଆ ସରକାର ଓ ବିଦ୍ରୋହୀ ଏଫଏଆରସି ଗରିଲା ଗୋଷ୍ଠୀ ମଧ୍ୟରେ ଦୀର୍ଘ ପ୍ରାୟ 50 ବର୍ଷ ଧରି ସଂଘର୍ଷ ଲାଗି ରହିଥିଲା । ତେବେ 2015ରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ସେଠାକୁ ବିଶ୍ୱଶାନ୍ତି ବାର୍ତ୍ତା ପ୍ରଚାର କରିବାକୁ ଯାଇଥିବା ସମୟରେ ଏହି କଥା ତାଙ୍କ ଦୃଷ୍ଟିଗୋଚର ହୋଇଥିଲା । ଏଥିସହ ତାଙ୍କୁ ଏହାର ସମାଧାନ ନିମନ୍ତେ ହସ୍ତକ୍ଷେପ କରିବାକୁ କଲମ୍ବିଆ ସରକାର ଅନୁରୋଧ କରିଥିଲେ । କାରଣ ଏହି ଦୀର୍ଘକାଳୀନ ସଂଘର୍ଷ ଯୋଗୁଁ ସେଠାରେ ବ୍ୟାପକ ଭାବରେ ଧନଜୀବନ ହାନି ହେଉଥିଲା । ଯାହା ଦେଶର ଅଭିବୃଦ୍ଧି ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଉଥିଲା । ଖାଲି ସେତିକି ନୁହେଁ, କଲମ୍ବିଆ ସରକାରଙ୍କୁ ଏ ବାବଦରେ ବହୁ ଅର୍ଥ ବ୍ୟୟ କରିବାକୁ ପଡୁଥିଲା ।
ଫଳରେ ମାନବିକତା ଦୃଷ୍ଟିକୋଣରୁ ଏବଂ ସେଠାକାର ସରକାର ଓ ଜନସାଧାରଣଙ୍କ ଅନୁରୋଧକୁ ଏଡ଼ି ନ ପାରି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର 2015 ମସିହାରେ, ଅର୍ଥାତ୍ ଆଜିକୁ ଠିକ୍ ଦଶ ବର୍ଷ ତଳେ କଲମ୍ବିଆ ସରକାର ଓ ଗରିଲା ଗୋଷ୍ଠୀ (ଏଫଏଆରସି) ମଧ୍ୟରେ ମଧ୍ୟସ୍ଥତା କରିଥିଲେ । ଦୁଇପକ୍ଷଙ୍କୁ ଶାନ୍ତି ଫେରାଇ ଆଣିବା ନିମନ୍ତେ ପ୍ରବର୍ତ୍ତାଇବାରେ ସକ୍ଷମ ହୋଇଥିଲେ । ପ୍ରାୟ 50 ବର୍ଷ ଧରି କଲମ୍ବିଆ ସରକାର ପାଇଁ ବଡ଼ ଆହ୍ୱାନ ପାଲଟିଥିବା ଏଫଏଆରସି ବିଦ୍ରୋହୀମାନଙ୍କୁ ବୁଝାଇବାରେ, ସେମାନଙ୍କ ମନରେ ଅହିଂସା ପ୍ରତି ସକାରାତ୍ମକ ଚିନ୍ତାଧାରା ଉଦ୍ରେକ କରିବାରେ ସଫଳ ହୋଇଥିଲେ । ଏଫଏଆରସି କମାଣ୍ଡରମାନଙ୍କ ସହ ଏକ ତିନିଦିନିଆ ସମ୍ବାଦ କରିଥିଲେ । ଯାହାର ପ୍ରାଥମିକ ପରିଣାମ ସ୍ୱରୁପ ଏଫଏଆରସି ବିଦ୍ରୋହୀମାନେ ଏକତରଫା ଭାବରେ ଏକବର୍ଷ ପାଇଁ ଯୁଦ୍ଧବିରତି ଘୋଷଣା କରିଥିଲେ । ଯାହା ସେହି ବର୍ଷ ପରେ ହୋଇଥିବା ସର୍ବଶେଷ ବୁଝାମଣା ପାଇଁ ମାର୍ଗଦର୍ଶନ କରିଥିଲା । କଲମ୍ବିଆ ସରକାର ଓ ଏଫଏଆରସି ବିଦ୍ରୋହୀମାନଙ୍କ ମଧ୍ୟରେ ସେହି ବୁଝାମଣା ଆଜିପର୍ଯ୍ୟନ୍ତ ବଳବତ୍ତର ରହିଛି । ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହସ୍ତକ୍ଷେପ ଫଳରେ ସେଠାରେ ଚାଲିଥିବା ଦଶନ୍ଧି ଦଶନ୍ଧି ବ୍ୟାପୀ ସଂଘର୍ଷର ପରିସମାପ୍ତି ଘଟିଥିଲା । ତେଣୁ କୁହାଯାଇପାରିବ, ଏହି ଶାନ୍ତି ପ୍ରକ୍ରିୟାରେ ଗୁରୁଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
ଏଇଠି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତା ତଥା ଫଟୋଗ୍ରାଫର ‘ଲିକା ଗେବିଶ’ଙ୍କ କଥା ଉଲ୍ଲେଖ କରିବା ଉଚିତ୍ ହେବ । ସେ 2016 ମସିହାରେ ନୂଆଦିଲ୍ଲୀଠାରେ ଆୟୋଜିତ ‘ଦି ଆର୍ଟ ଅଫ୍ ଲିଭିଂ’ର ୱାର୍ଲ୍ଡ କଲଚର୍ ଫେଷ୍ଟିଭାଲରେ ସାମିଲ ହୋଇଥିଲେ । ଯେତେବେଳେ ସେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବିଷୟରେ କଲମ୍ବିଆର ତତ୍କାଳୀନ ରାଷ୍ଟ୍ରପତି ଜୁଆନ୍ ମାନୁଏଲ୍ ସନ୍ତୋଷଙ୍କୁ କହିବାର ଶୁଣିଲେ, କଲମ୍ବିଆର ଶାନ୍ତି ପ୍ରକ୍ରିୟାରେ ଗୁରୁଦେବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଜାଣିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ଭାବବିହ୍ୱଳ ହୋଇପଡ଼ିଥିଲେ । କହିଥିଲେ, ମୋ ସାଥୀ କ୍ୟାମେରାମ୍ୟାନ୍ କଲମ୍ବିଆର ସମ୍ପୃକ୍ତ ସଂଘର୍ଷପୀଡ଼ିତ ଅଞ୍ଚଳଗୁଡ଼ିକରେ ବହୁ ପ୍ରତିକୂଳ ପରିସ୍ଥିତିରେ କାମ କରିବାର ମୁଁ ଦେଖିଛି । ପଦେ ପଦେ କଠିନ ଆହ୍ୱାନର ଏପରିକି ଜୀବନ ଯିବାର ଭୟକୁ ସାମ୍ନା କରିବାର ମଧ୍ୟ ଦେଖିଛି । ଏପରିସ୍ଥଳେ ସେଠାରେ ଶାନ୍ତି ବ୍ୟବସ୍ଥା କାଏମ କରିବାରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଭୂମିକା ଥିବା ଜାଣିବା ପରେ ଏହା ମୋ ମନରେ ଗଭାର ରେଖାପାତ କରିଥିଲା । ସେଥିପାଇଁ ନିଶ୍ଚିତ ଭାବରେ ସମଗ୍ର ବିଶ୍ୱ ତାଙ୍କ ନିକଟରେ କୃତଜ୍ଞତା ଜଣାଇବାର ଆବଶ୍ୟକତା ରହିଛି ।
ଚଳିତ ଜୁନ୍ ମାସରେ ଗୁରୁଦେବ ତାଙ୍କର ଗସ୍ତ କାଳରେ କଲମ୍ବିଆ ପାର୍ଲାମେଣ୍ଟକୁ ମଧ୍ୟ ସମ୍ବୋଧିତ କରିଥିଲେ । ଏହି ଅବସରରେ ସମସ୍ତଙ୍କୁ ଏକ ପ୍ରେମମୟ ଏବଂ ଶାନ୍ତିପୂର୍ଣ୍ଣ ବିଶ୍ୱର ସ୍ୱପ୍ନ ଦେଖିବାକୁ ଅନୁପ୍ରାଣିତ କରିଥିଲେ ।କଲମ୍ବିଆ ସରକାରଙ୍କ ପକ୍ଷରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ତାଙ୍କର ଅନୁଶାସନ ଓ ବିଶ୍ୱଶାନ୍ତି ନିମନ୍ତେ ନିରନ୍ତର କାର୍ଯ୍ୟ ପାଇଁ ଗତ 20 ତାରିଖ ‘କାର୍ଟାଜେନା-ଡି-ଇଣ୍ଡିଆସ୍’ର ମେୟର ଡୁମେକ ଟର୍ବେ ପାଜ୍‘ବଲିଭର ଗଭର୍ଣ୍ଣରେଟ୍ ମେଡାଲ୍’ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।
ଏଥିସହ ଗତ ଅନ୍ତର୍ଜାତୀୟ ଯୋଗ ଦିବସରେ କଲମ୍ବିଆର ବୋଗୋଟା ସହରରେ ସେ ଲୋକମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । ଏଥିସହ ସେ ସ୍ମୃତିଚାରଣ କରିଥିଲେ, ଯୋଗର ସାଧାରଣ ପ୍ରୋଟୋକଲ୍ ରଚନା କରିଥିବା କମିଟିର ସେ ଥିଲେ ପ୍ରଥମ ଅଧ୍ୟକ୍ଷ । ଆଜି ସାରା ବିଶ୍ୱ ଏହାକୁ ଆପଣାଇ ନେଇଛି । ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ସମ୍ବୋଧିତ କରିବାକୁ ଯାଇ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ, “ଯୋଗକୁ କେବଳ ଏକ ଶାରୀରିକ ବ୍ୟାୟାମ ମନେକରିବା ଉଚିତ୍ ନୁହେଁ । ଯୋଗ ହେଉଛି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କର ମନୋସ୍ଥିତି । ମନର ଅବସ୍ଥା । ମୁଁ ଆଜି ଅତ୍ୟନ୍ତ ପ୍ରୀତ ଯେ, ସାରା ବିଶ୍ୱର ଏକ ତୃତୀୟାଂଶ ଲୋକସଂଖ୍ୟା ଆଜି ଏହି ପ୍ରୋଟୋକଲ୍ ଅନୁପାଳନ କରୁଛନ୍ତି । ତେବେ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହିଠାରେ ହିଁ ଆମର ଦାୟିତ୍ୱ ସମାପ୍ତ ହୋଇ ଯାଉନାହିଁ । ଏହା ତ ଆରମ୍ଭ ମାତ୍ର ।” ଏହି କାର୍ଯ୍ୟକ୍ରମରେ ବୋଗୋଟାର ସଂସ୍କୃତି ସଚିବାଳୟର ‘ଅବଜର୍ଭରୀ ଅଫ୍ କଲଚର ଆଣ୍ଡ୍ କଲଚରାଲ୍ ନଲେଜ ମ୍ୟାନେଜମେଣ୍ଟ୍’ର ନିର୍ଦ୍ଦେଶକ ମଧ୍ୟ ସାମିଲ ଥିଲେ । ସେ କହିଲେ, “ଗତ କେଇ ସପ୍ତାହ ଭିତରେ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ତେବେ ଆଜିର ଦିନ ବୋଗୋଟାର ଜନସାଧାରଣଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବାପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ସମୟରେ ଆସି ପହଞ୍ଚିଛି।”
ଦୀର୍ଘ ପ୍ରାୟ ଦଶବର୍ଷ ପରେ ଗୁରୁଦେବ କଲମ୍ବିଆ ଗସ୍ତରେ ଯାଇଥିବା ବେଳେ ତାଙ୍କୁ ପ୍ରଦାନ କରାଯାଇଥିବା ଉଚ୍ଛ୍ୱସିତ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଦକ୍ଷିଣ ଆମେରିକାର ବୋଗୋଟା, ମେଡେଲିନ୍ ଓ କାର୍ଟାଜେନାର ଅଧିବାସୀମାନଙ୍କୁ, ସେଠାକାର ସାଂସଦ, ବ୍ୟବସାୟୀ ଏବଂ ଶିକ୍ଷାବିତ୍ ମାନଙ୍କୁ ଧ୍ୟାନ ଓ ଯୋଗର ଗଭୀର ଅନୁଭବ ଓ ଏହାର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ କଲମ୍ବିଆ ସଂସଦକୁ ସମ୍ବୋଧିତ କରି କହିଥିଲେ, “ଏଭଳି ଏକ ସଂସାର ଗଢ଼ିବା ନିମନ୍ତେ ଆମେ ସମସ୍ତେ ଆଗେଇ ଆସିବା ଦରକାର, ଯାହା ଥିବ ଯନ୍ତ୍ରଣାବିହୀନ, ପ୍ରେମପୂର୍ଣ୍ଣ, ସୁଖରେ ଭରପୂର ଓ ଶାନ୍ତିପୂର୍ଣ୍ଣ । ଏହା ଶୁଣିବାକୁ ‘ୟୁଟୋପିଆ’ ଭଳି ଲାଗୁଥାଇପାରେ । କିନ୍ତୁ ଯେ କୌଣସି ଉଦ୍ୟମର ଆରମ୍ଭ ତ ଏକ ସ୍ୱପ୍ନରୁ ହିଁ ହୋଇଥାଏ। ତେଣୁ ଆଜି ଯାହା ଆମକୁ ସ୍ୱପ୍ନ ଭଳି ପ୍ରତୀୟମାନ ହେଉଛି, ତାହା ଆସନ୍ତାକାଲି ଯେ ବାସ୍ତବତାର ରୂପ ନ ନେବ, ତାହା କିଏ କହିବ !” ତାଙ୍କର ଏହି ଉକ୍ତି ଏସବୁ ସହରର ବାସିନ୍ଦାଙ୍କୁ ଖୁବ୍ ପ୍ରଭାବିତ କରିଥିଲା ।
ବାସ୍ତବରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଏମିତିରେ ହିଁ ଗୁରୁଦେବ ଆଖ୍ୟା ଦିଆଯାଇ ନାହିଁ । ସମଗ୍ର ବିଶ୍ୱରେ ମାନବ କଲ୍ୟାଣ ପାଇଁ, ବିଶ୍ୱଶାନ୍ତି ପାଇଁ ଏବଂ ଯୋଗ ଓ ଜ୍ଞାନର ଆଲୋକ ଜଳାଇବା ପାଇଁ ରାତିଦିନ ତାଙ୍କର ନିରନ୍ତର ପ୍ରୟାସ ହିଁ ତାଙ୍କପାଇଁ ବିଶ୍ୱବାସୀଙ୍କ ହୃଦୟରେ ଭଲ ପାଇବାର ଏକ ସାଗର ସୃଷ୍ଟି କରିପାରିଛି । ଏ ପ୍ରାପ୍ତି ଅତ୍ୟନ୍ତ ଦୁର୍ଲ୍ଲଭ ନିଶ୍ଚୟ । ଯାହାଙ୍କୁ ଏ ପ୍ରାପ୍ତି ମିଳେ, ସିଏ ହିଁ ତ ଶ୍ରୀ ଶ୍ରୀ... !