Employment News: ଭୁବନେଶ୍ୱର: ଆଜି ସୋମବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନରେ ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀରେ ନିଯୁକ୍ତି ଦିଅଯିବ।
ସର୍ବାଧିକ ୯୦୭ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତ କରାଯିବ। ସେଥି ମଧ୍ୟରୁ ପୂର୍ବ ବିଭାଗରେ ୫୬୩ କନିଷ୍ଠ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗରେ ୬୨ କନିଷ୍ଠ ଯନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୧୪୩ କନିଷ୍ଠ ଯନ୍ତ୍ରୀ ଓ ପୌରାଞ୍ଚଳରେ ୨୨ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତି ରାଜ ଓ ପାନୀୟଜଳ ଯୋଗାଣ ବିଭାଗରେ ୧୧୭ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବ। ଏହା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗରେ ୨୯ ଜଣ କନିଷ୍ଠ ଏନଫୋର୍ସମେଣ୍ଟ ଅଧିକାରୀ ଓ ୧୦ ଟ୍ରେସର୍ ନିଯୁକ୍ତି ପାଇବେ।
୧୭ ଜଣ ବୈଧ ମାପ ବିଜ୍ଞାନ ଓ ଓଜନ ନିରୀକ୍ଷକ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଜଣେ ଆକାଉଣ୍ଟାଣ୍ଟ୍ ନିଯୁକ୍ତି ପାଇବେ । ରାଜ୍ୟ ସରକାର ୫ବର୍ଷରେ ଦେଢ଼ ଲକ୍ଷ ଯୁବକ, ଯୁବତୀଙ୍କ ନିଯୁକ୍ତି ଦେବାକୁ ଘୋଷଣା କରିଥିବା ବେଳେ ପ୍ରଥମ ବର୍ଷରେ ପ୍ରାୟ ୨୮ହଜାର ନିଯୁକ୍ତି ଦେଇଛନ୍ତି। ଏଥିପାଇଁ ୯ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା। ୫ବର୍ଷର ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଦ୍ଵିତୀୟ ବର୍ଷ ଆରମ୍ଭରୁ ପୁଣି ପ୍ରଥମ ନିଯୁକ୍ତି ମେଳାରେ ହିଁ ୯୬୪ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବାକୁ ସ୍ଥିର କରିଛନ୍ତି।