Biju Patnaik Statue:ଭୁବନେଶ୍ୱର: ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଭାରତବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ । ସେ କୌଣସି ଦଳ ବା ଗୋଷ୍ଠୀର ନେତା ନୁହନ୍ତି, ସେ ଓଡ଼ିଶାର ସର୍ବମାନ୍ୟ ନେତା ଓ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ଓଡ଼ିଆ ଜାତୀର ମହାନ ଜନନାୟକ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ଓଡ଼ିଶାର ସ୍ୱାଭିମାନୀ ଓ ଅସ୍ମିତାକୁ ଭୁଲୁଣ୍ଠିତ କଲା ଭଳି ଦୁର୍ଭାଗ୍ୟଜନକ ଘଟଣା । ଏହି ସରକାରରେ ଏକାଧିକ ଥର ବିଜୁ ବାବୁଙ୍କ ଅମ୍ଳାନ ସ୍ମୁତି ପ୍ରତି ଅପମାନ ଦେଲାଭଳି ଘଟଣା ଘଟି ଚାଲିଛି । ରାଜ୍ୟ ସରକାରଙ୍କ ନିରବତା ରହସ୍ୟମୟ । ଦିବଙ୍ଗତ ବିଜୁ ବାବୁଙ୍କ ପ୍ରତି ହେଉଥିବା ଏ ଅପମାନ ରାଜ୍ୟବାସୀଙ୍କୁ ଗଭୀର ବ୍ୟଥିତ କରିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ାଜଳା ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ।
ଶ୍ରୀ ଦାସବର୍ମା କହିଥିଲେ ଯେ, ଏହି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି ଓ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ ଦାବି କରୁଛି । ଆଗକୁ ଏହିଭଳି ଘଟଣାକୁ ବିଜୁ ଜନତା ଦଳ ବରଦାସ୍ତ କରିବ ନାହିଁ, ଏହାର ଉଚିତ ଜବାବ ଦିଆଯିବ ।
ଏଠାରେ କହି ରଖୁ କି ଆଜି ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । ତେବେ ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ମୂର୍ତ୍ତି ସ୍ଥାପନ ନେଇ ପୂର୍ବରୁ ବିରୋଧ ହୋଇ ଆସୁଥିଲା । ପୂର୍ବତନ ବିଧାୟକ ସରୋଜ ମେହେର ବିଜୁ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ କରିଥିଲେ । ସେହି ସ୍ଥାନରେ ପର୍ଶୁରାମ ମୂର୍ତ୍ତି ପ୍ରତିଷ୍ଠା ପାଇଁ ଜିଦ କରିଥିଲେ ।
ଏପରିକି ମାସେ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ବ୍ରାହ୍ମଣ ସମାଜ । ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜରି ଗୁଡାହୋଇ ରଖାଯାଇଥିଲା । ହେଲେ ଏବେ କେହି ଦୁର୍ବୃତ୍ତ ଆଜି ସକାଳୁ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି । ପ୍ରତିମୂର୍ତ୍ତିକୁ ଜାଳିବା ନେଇ କେହି ଉସୁକାଇଥିବା ଲୋକେ ଅଭିଯୋଗ କରିଛନ୍ତି । ବିଜୁ ପ୍ରତିମୂର୍ତ୍ତି ଜଳିଯିବା ପରେ ପାଟଣାଗଡ ଏନଏସି ପକ୍ଷରୁ ତୁରନ୍ତ ଜାଳି ଦେଇଥିବା ପ୍ରତିମୂର୍ତ୍ତିକୁ ସଫେଇ କରାଯାଉଛି । ତେବେ ଘଟଣାରେ କାହାର ସମ୍ପୃକ୍ତି ରହିଛି । କିଏ ଓ କାହିଁକି ନିଆଁ ଲଗାଇଲା ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।