Suna Besha 2025: ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହେବେ ତିନି ଠାକୁର। ଗତକାଲି ବାହୁଡ଼ା ଯାତ୍ରାରେ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସୁନାବେଶରେ ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର । ଅପରାହ୍ନ ୫ଟାରୁ ଦାରୁବ୍ରହ୍ମଙ୍କର ସୁନାବେଶ ନୀତି ଆରମ୍ଭ ହୋଇ ରାତି ୧୧ଟା ଯାଏଁ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ଏଥିସହ ଶ୍ରୀଜଗନ୍ନାଥ ମନ୍ଦିର ଓ ବଡଦାଣ୍ଡ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଭାବେ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ଯନ୍ତ ଏହି କଟକଣା ଜାରି ରହିବ ।
ସୁନାବେଶ ଦିନ, ଶ୍ରୀବଳଭଦ୍ର ଶ୍ରୀପୟର, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ତ୍ରିଖଣ୍ଡିକା, କମରପଟି, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି,ଝୋବାକଣ୍ଠି , କିରିଟ, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ ,ସେବତୀ ମାଳି, ତିଳକ, ଚନ୍ଦ୍ରିକା ଓ ଅଳକା ଭଳି ଅଳଙ୍କାରମାନ ଧାରଣ କରନ୍ତି। ସେହିପରି, ଦେବୀ ସୁଭଦ୍ରା ତଗଡ଼ି-୨ଟି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, କିରୀଟ, ଓଢ଼ିଆଣୀ, କାନ ଓ ଚନ୍ଦ୍ରସୂର୍ଯ୍ୟ ଧାରଣ କରନ୍ତି। କଳା ଠାକୁର ମଧ୍ୟ ଏହି ଦିନ ଶ୍ରୀପୟର, କିରିଟ, ଶ୍ରୀଭୁଜ(ହାତ), ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢ଼ିଆଣୀ(କାନ ଫୁଲ), କମରପଟି, ଝୋବାକଣ୍ଠି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତ୍ରିଖଣ୍ଡିକା ଓ ଅଳକାରେ ସଜେଇ ହୁଅନ୍ତି ।
ତେବେ ଗତକାଲି, ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ଧରି ରତ୍ନବେଦୀ ଅଭିମୁଖେ ଫେରି ଆସିଛନ୍ତି ଦାରୁଦିଅଁ । ସନ୍ଧ୍ୟା ୬.୪୦ ରେ ସିଂହଦ୍ଵାରରେ ଲାଗିଥିଲା ବଡ ଭାଇ ବଳଭଦ୍ରଙ୍କ ତଳଧ୍ଵଜ । ଏହାର କିଛି ସମୟ ପରେଦର୍ପଦଳନରେ ପହଞ୍ଚିଥିଲେ ଭଉଣୀ ସୁଭଦ୍ରା । ଶେଷରେ ରାତି 9ଟାରେ ସିଂହଦ୍ଵାରରେ ଲାଗିଥିଲା ନନ୍ଦିଘୋଷ । ଆଜି ରଥ ଉପରେ ଅନନ୍ୟ ନୀତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବ । ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁରମାନଙ୍କୁ ସୁନାବେଶରେ ସଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।