Odisha News: ବ୍ରହ୍ମପୁର (ପ୍ରେମାନନ୍ଦ ପୂଜାରୀ): ରେଳବାଇ ବିଭାଗରେ ଚାକିରି କରାଇଦେବା ନାଁ ରେ ଠକେଇ କରିଥିବା ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ। ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ରେଳବାଇ ବିଭାଗରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ମାମଲାର ମାଷ୍ଟର ମାଇଣ୍ଡ ବିଜୟଲକ୍ଷ୍ମୀ ରାଉତଙ୍କୁ ବ୍ରହ୍ମପୁର ସଦର ଥାନା ପୁଲିସ ଭୁବନେଶ୍ଵରରୁ ଗିରଫ କରିଛି। ସଦର ଥାନାର ଏକ ଟିମ୍ ଶନିବାର ବିଜୟଲକ୍ଷ୍ମୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଚଢ଼ଉ କରି ବ୍ୟାଙ୍କ ଆକାଉଣ୍ଟ ପାସ୍ବୁକ୍ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲଣ କରିଥିବା ବ୍ରହ୍ମପୁର ଏସ୍.ପି ଡା.ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଥାଉକି, ରେଳବାଇ ବିଭାଗରେ ଚାକିରି କରାଇ ଦେବା ନାଁ’ରେ ୨୦୨୩ ମସିହାରେ ହୋଇଥିବା ଏକ ଠକେଇ ମାମଲାରେ ସଦର ଥାନା ପୁଲିସ କୁକୁଡ଼ାଖଣ୍ଡି ଶାନ୍ତିନଗରର ଏ. ବିଗ୍ନେଶ୍ଵର ରାଓ ଦୋରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୨୩ ମାର୍ଚ୍ଚ ୧୮ ତାରିଖରେ ଦିଗପହଣ୍ଡି ବସଷ୍ଟାଣ୍ଡରେ ପାଟପୁର ଥାନା ଅନ୍ତର୍ଗତ କଂସାମାରି ଗ୍ରାମର ଏସ୍. କୃଷ୍ଣ ଚନ୍ଦ୍ର ଦୋରା (୩୨) ଓ ତାଙ୍କ ସାଙ୍ଗମାନେ ବିଘେଶ୍ଵରଙ୍କୁ ଭେଟିଚାକିରି ଅନ୍ବେଷଣରେ ଥିବା କହିଥିଲେ । ବିଗ୍ନେଶ୍ଵର ସେମାନଙ୍କୁ ରେଳବାଇରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇବା ସହ ଜଣକ ପିଛା ୧୨ ଲକ୍ଷ ୫୦ ହଜାର ଟଙ୍କା ଦେଲେ ଗ୍ରୁପ ସି (ଟିଟିଇ) ରେ ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
କିଛିଦିନ ପରେ କୃଷ୍ଣ ଏବଂ ତାଙ୍କ ସାଂଗମାନେ ଭୁବନେଶ୍ବର ଯାଇଥିଲେ। ବିଗ୍ନେଶ୍ଵର ସେଠାରେ ସମରଜିତ ସିଂ ଓ ବିଜୟ ଲକ୍ଷ୍ମୀ ରାଉତଙ୍କ ସହ ସାକ୍ଷାତ କରାଇଥିଲେ । ସମରଜିତ ନିଜକୁ ରେଳବାଇ ଗାଇଡ୍ ସହ ଟିଟିଇ ବୋଲି ପରିଚୟ ଦେଇଥିଲେ । ବିଘ୍ନଶ୍ବରଙ୍କ ଉପସ୍ଥିତିରେ ଭୁବନେଶ୍ଵର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ୫ ଜଣଙ୍କ ଠାରୁ ଜଣେ ପିଛା ୧୨ ଲକ୍ଷ ୫୦ ହଜାର ଟଙ୍କା ହିସାବରେ ମୋଟ ୬୨ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। କୋଲକାତା ଯାଇ ମେଡିକାଲ୍ ଟେଷ୍ଟ ପରେ ନିଯୁକ୍ତିପତ୍ର ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିଛିଦିନ ପରେ ସେମାନଙ୍କ ମେଲ୍କୁ କଲ୍ ଲେଟର, ଡକ୍ୟୁମେଣ୍ଟ ଭେରିଫିକେସନ ରିପୋର୍ଟ ଆସିଥିଲା । ଦୁଇ ସପ୍ତାହ ପରେ ବିଭିନ୍ନ ତାରିଖରେ ନିଯୁକ୍ତି ପତ୍ର ମିଳିଥିଲା ।
ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡିଥିଲା । ପରେ ସେମାନେ ବିଘେଶ୍ଵର, ସମରଜିତ ସିଂ ଓ ବିଜୟଲକ୍ଷ୍ମୀଙ୍କୁ ସାକ୍ଷାତ କରିବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଏସ . କୃଷ୍ଣଚନ୍ଦ୍ର ଦୋରା ସଦର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ଏହାର ମାଷ୍ଟର ମାଇଣ୍ଡ ବିଜୟଲକ୍ଷ୍ମୀ ରାଉତଙ୍କୁ ଗିରଫ କରିଥିବା ଜଣାଯାଇଛି। ବିଜୟଲକ୍ଷ୍ମୀଙ୍କ ନାମରେ ପୂର୍ବରୁ ଭୁବନେଶ୍ଵର ତମାଣ୍ଡୋ ଥାନା, କ୍ୟାପିଟାଲ୍ ଥାନା ଓ ଇନ୍ଫୋସିଟି ଥାନାରେ ତିନିଟି ମାମଲା ରହିଥିବା ଏସ୍.ପି ସୂଚନା ଦେଇଛନ୍ତି ।