Top 10 News Today
Headlines 01- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କୋଲକାତାରେ ଅନୁଷ୍ଠିତ ବିଜେପି କର୍ମୀଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଅମିତ ଶାହ ନିଜ ଭାଷଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ୍ କରିଥିଲେ। ଗୃହମନ୍ତ୍ରୀ କହିଥିଲେ ଯେ, ବାମପନ୍ଥୀମାନେ ବର୍ଷ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିଲେ ଏବଂ ତା’ପରେ ମମତା ବାନାର୍ଜୀ । ଅନେକ ସ୍ଲୋଗାନ ଦେଇ କ୍ଷମତାକୁ ଆସିଲେ କିନ୍ତୁ ସେ ବଙ୍ଗଳାକୁ ଅନୁପ୍ରବେଶ, ବୋମା ବିସ୍ଫୋରଣ, ମହିଳାମାନଙ୍କ ଉପରେ ଅତ୍ୟାଚାର ଇତ୍ୟାଦିରେ ରାଜ୍ୟକୁ ପରିଣତ କଲେ। ହିନ୍ଦୁ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି ମମତା ସରକାର । ୱକ୍ଫ ଆଇନକୁ ଏଥିପାଇଁ ମମତା ବିରୋଧ କରୁଛନ୍ତି । ଶାହ କହିଥିଲେ ଯେ, ଶୁଣ ଭଉଣୀ, ଏବେ ତୁମର ସମୟ ସରିଗଲା। ୨୦୨୬ ମସିହାରେ ବଙ୍ଗଳାରେ ବିଜେପି ସରକାର ଗଠନ କରିବ।
Headlines 02- ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓମ୍ଫେଡ୍ କ୍ଷୀର ଦାମ୍ ଲିଟର ପିଛା ୨ ଟଙ୍କା ବଢ଼ିବ । ସୂଚନା ମୁତାବକ କ୍ଷୀର ୪ ଟଙ୍କା ବୃଦ୍ଧି ହେବାର ଥିଲା କିନ୍ତୁ ୨ ଟଙ୍କା ସରକାର ବହନ କରିବେ । ବର୍ଦ୍ଧିତ ୨ ଟଙ୍କା ଖାଉଟିମାନେ ବହନ କରିବେ । ଆଜିଠାରୁ ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ମିଳିବ । ଏହାଦ୍ବାରା ରାଜ୍ୟର ପ୍ରାୟ ୨ ଲକ୍ଷ ୫୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ । କୌଣସି କାରଣରୁ ଦୁଗ୍ଧ ଚାଷୀଙ୍କ ଅକାଳ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ମିଳିବ ।
Headlines 03- ଶ୍ରୀମନ୍ଦିର ଡ୍ରୋନ୍ ଉଡ଼ାଣ ଭିଡିଓ ଭାଇରାଲ୍ ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍ପି । ସେ କହିଛନ୍ତି ଯେ, ଖୁବଶୀଘ୍ର ସିଂହଦ୍ବାର ଥାନାରେ ଏତଲା ଦିଆଯିବ ଏବଂ ସୋସିଆଲ୍ ମିଡିଆ ହ୍ୟାଣ୍ଡଲର୍ ସହ ସମ୍ପୃକ୍ତ ଚୁନେରା ସେବକଙ୍କୁ ଜେରା କରାଯିବ । ଏହାସହ ସବୁ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।
Headlines 04- ରାଉରକେଲା ବାଲୁଘାଟ ପେଟ୍ରୋଲ୍ ପମ୍ପ୍ ନିକଟରୁ ସନ୍ଦେହଜନକ ଅବସ୍ଥାରେ ବିସ୍ଫୋରକ ଭର୍ତ୍ତି ୨ଟି ଟ୍ରକ୍ ଜବତ କରାଯାଇଛି । ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଓ GST ଅଧିକାରୀ ପହଞ୍ଚି ଛାନଭିନ୍ କରିବା ପରେ ୨ଟି ଗାଡ଼ିରେ ବିପୁଳ ପରିମାଣର ବିସ୍ଫୋରକ ଥିବା ସୂଚନା ମିଳିଥିଲା । ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସି କୁଆଡ଼େ ଯାଉଥିଲା ସେନେଇ ଛାନଭିନ୍ ଚାଲିଛି । ବିସ୍ଫୋରକ ଲୁଟ୍ ଘଟଣା ଭିତରେ ଏହି ଦୁଇ ଟ୍ରକ୍କୁ ନେଇ ଚର୍ଚ୍ଚା ବଢ଼ିଛି ।
Headlines 05- ନୟାପଲ୍ଲୀ ଓ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ ଅଭିଯୋଗରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ୫ ଶହ ଟଙ୍କା ଦେଲେ ୧୦ଟି ଶହେ ଟଙ୍କିଆ ମିଳିବ କହି ଲୋକଙ୍କୁ ଠକୁଥିଲେ । ଟଙ୍କା ବଣ୍ଡଲ ଭିତରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଉଥିଲେ ଅଭିଯୁକ୍ତମାନେ । ଟଙ୍କା ବଣ୍ଡଲ ଉପରେ ଓ ତଳେ ଅସଲି ନୋଟ୍ ରହୁଥିଲା, ଭିତରେ ପେପର କଟିଂ ରହୁଥିଲା ।
Headlines 06- ବ୍ରହ୍ମପୁର ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ AEE ଏନ୍. ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ AEE ଗିରଫ ହୋଇଥିବା ସୂଚନା ମିଳିଛି । ଆୟ ଠାରୁ ୧୧୯ ପ୍ରତିଶତ ଅଧିକ ସଂପତ୍ତି ରହିଥିବା ସୂଚନା । ଯନ୍ତ୍ରୀଙ୍କର ୧ କୋଟି ଟଙ୍କାର ଅଟ୍ଟାଳିକା ସହ ଦେଢ଼ କୋଟିର ୨ଟି ଫ୍ଲାଟ୍ ରହିଛି ଏଥିସହ ୨ କୋଟିଟଙ୍କାର ୧୧ ପ୍ଲଟ୍ ସହ ପ୍ରାୟ ୩୦ ଲକ୍ଷର ବ୍ୟାଙ୍କ ଡିପୋଜିଟ୍ ଅଛି ।
Headlines 07- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଏହି ଷ୍ଟୁଡ଼ିଓର ବିକାଶ ଅତ୍ୟନ୍ତ ଆବଶ୍ୟକ । ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଷ୍ଟୁଡ଼ିଓରେ ପରିଣତ କରାଯିବ । ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ସମସ୍ତଙ୍କ ସହ ଆଲୋଚନା କରାଯାଇ ଏହି ଷ୍ଟୁଡ଼ିଓର ବିକାଶ କରାଯିବ ବୋଲି ସେ କହିଛନ୍ତି ।
Headlines 08- ପୁରୀ ମହୋଦଧୀରେ ବାପା ସ୍ୱର୍ଗତଃ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି । ଅସ୍ଥି ବିସର୍ଜନ ସହ ସ୍ନାନ ଏବଂ ମୁଣ୍ଡନ ହୋଇଛନ୍ତି ଅଭିନେତା ବାବୁସାନ । ମାର୍ଚ୍ଚ ମାସରେ ଫିଲ୍ମ ସୁଟିଂ ଥିବା କାରଣରୁ ଲଣ୍ଡା ହୋଇନଥିଲେ ବାବୁସାନ। ବାବୁସାନଙ୍କ ସାଥିରେ ଥିଲେ ଧର୍ମପତ୍ନୀ ତୃପ୍ତି ଏବଂ ମା’ ଅପରାଜିତା । ପ୍ରୟାଗରାଜ୍ ଠାରେ ଅସ୍ଥି ବିସର୍ଜନ କାର୍ଯ୍ୟ ଶେଷ କରି ପୁରୀରେ ପହଞ୍ଚିଥିଲେ ବାବୁସାନ । ସ୍ୱର୍ଗଦ୍ୱାର ନିକଟ ଅସ୍ଥି ବିସର୍ଜନ ଘାଟରେ ପୂଜାର୍ଚନା କରିଥିଲେ ।
Headlines 09- ଆଇନ ମନ୍ତ୍ରୀଙ୍କ ଘରେ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ । ନିଜ ସ୍ୱାମୀଙ୍କ ସହ ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ ବିରୋଧରେ ଅଭିଯୋଗ ପାଇଁ ଆସିଥିବା ସୂଚନା ମିଳିଛି । ପୂର୍ବରୁ ନାଣ୍ଡୁ ବାବୁ ଲୋକ ଲଗାଇ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ମାମୁନି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାମୁନି କହିଛନ୍ତି ଯେ, ମୋର ଯେଉଁ କେସ୍ ଚାଲିଛି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି । ୬ଦିନ ହେବ ମୁଁ କେସ୍ ଦେଇଥିଲେ ମଧ୍ୟ ମତେ କିଛି ନ୍ୟାୟ ମିଳିନଥିଲା । ମୋ ଅଭିଯୋଗର ତଦନ୍ତ ପ୍ରକ୍ରିୟା ଆଗକୁ ନବଢିବା କାରଣରୁ ମୁଁ ମାନ୍ୟବର ଆଇନ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବାକୁ ଦ୍ୱାରସ୍ଥ ହେଲି । ମୋ ଅଭିଯୋଗ ବିଷୟରେ ମୁଁ ଆଇନମନ୍ତ୍ରୀଙ୍କୁ ଜଣାଇଛି । ସେ ମତେ ପ୍ରତିଶୃତି ଦେଇଛନ୍ତି ଯେ, ନିଶ୍ଚିତ ମତେ ନ୍ୟାୟ ମିଳିବ ।
Headlines 10- ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର । ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବୋଲି ଡା ମିଶ୍ର କହିଛନ୍ତି । ସମସ୍ତେ ସୁସ୍ଥ ଏବଂ ହୋମ୍ କ୍ବାରେଣ୍ଟିନ୍ରେ ଅଛନ୍ତି ବୋଲି କହିଥିଲେ ।