Top 10 News Today
Headlines 01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୧୨୪ତମ ଅଧ୍ୟାୟରେ ଦେଶବିଦେଶର ଶ୍ରୋତାଙ୍କ ସହ ମତବିନିମୟ କରିଛନ୍ତି। ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଦେଶର ଉଲ୍ଲେଖନୀୟ ଉପଲବ୍ଧି ଏବଂ ସମୃଦ୍ଧ ଲୋକ ପରମ୍ପରା ବିଷୟରେ ଆଲୋଚନା ବେଳେ ଓଡ଼ିଶାର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ବିଷୟରେ ଉଲ୍ଲେଖ କରିଛନ୍ତି। ଦେଶର ସ୍ୱଦେଶୀ ଆନ୍ଦୋଳନ, ସ୍ଥାନୀୟ ଉତ୍ପାଦ ଏବଂ ସମୃଦ୍ଧ ହସ୍ତଶିଳ୍ପ ପରମ୍ପରା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସାନ୍ତାଳି ଶାଢ଼ି ବୁଣୁଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ୬୫୦ରୁ ଅଧିକ ଆଦିବାସୀ ମହିଳା ପାରମ୍ପରିକ ସାନ୍ତାଳି ଶାଢ଼ୀର ପୁନରୁଦ୍ଧାର କରି ପାରିଛନ୍ତି। ବର୍ତ୍ତମାନ ଏହି ମହିଳାମାନେ ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ସେମାନେ କେବଳ ବସ୍ତ୍ର ତିଆରି କରୁନାହାନ୍ତି ବରଂ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
Headlines 02- ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ହେବ । ଏଥ୍ ପାଇଁ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି ଓଡ଼ିଶା ପୋଲିସର ଏକ ଟିମ୍ । ଉକ୍ତ ଟିମ୍ ରେ ଡିଏସ୍ପି ହେଡ୍କ୍ବାର୍ଟର କଳ୍ପନା କହଁର, ବଳଙ୍ଗା OIC ଚିତ୍ତରଞ୍ଜନ ପଣ୍ଡା ସାମିଲ୍ ଅଛନ୍ତି । ପୀଡ଼ିତାଙ୍କ ବାପାଙ୍କ ସମେତ ଅନ୍ୟ ସଦସ୍ୟଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି । ପୀଡ଼ିତାଙ୍କ ଠାରୁ ମଧ୍ୟ କିଛି ତଥ୍ୟ ସଂଗ୍ରହ କରିପାରନ୍ତି ଏହି ୨ ଜଣିଆ ଟିମ୍ ।
Headlines 03- ଦିଲ୍ଲୀରେ ୮୦ ଲକ୍ଷ ଚୋରି କରିବା ଅଭିଯୋଗରେ ନୀଳଗିରିରୁ ଗିରଫ ହୋଇଛନ୍ତି ଜଣେ ଯୁବକ । ଦିଲ୍ଲୀ ପୋଲିସ ଓ ନୀଳଗିରି ପୋଲିସର ମିଳିତ ଚଢ଼ାଉ ସମୟର ଭିମେଇ ଗାଁରୁ ଧରା ପଡିଛନ୍ତି ଅଭିଯୁକ୍ତ । ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଦିଲ୍ଲୀରେ ଜଣେ କୋଟିପତିଙ୍କ ଘରେ ସହାୟକ ଭାବେ କାମ କରୁଥିବା ସମୟରେ ସେ ଲୁଟ୍ କରିଥିଲେ ।
Headlines 04- ଜେଲ୍ ଯିବା ବେଳେ ପ୍ରତିକ୍ରିୟା ରଖି ଅମରେଶ ଜେନା କହିଛନ୍ତି ଯେ, ମୋତେ ଅର୍ଚ୍ଚନା ନାଗ୍ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗ୍ଙ୍କୁ ପଚାରିଲେ ସେ ସବୁ କିଛି କହିପାରିବେ । ଶତ ପ୍ରତିଶତ ଅର୍ଚ୍ଚନା ନାଗ୍ ମୋତେ ଫସାଇ ଦେଇଛନ୍ତି ବୋଲି ସେ କହିଛନ୍ତି ।
Headlines 05- ଅମରେଶଙ୍କ ଅଭିଯୋଗ ନେଇ ଅର୍ଚ୍ଚନା ନାଗ୍ଙ୍କ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୁଁ ଏହି ଘଟଣା ବିଷୟରେ ଜାଣିନି, କି ପୀଡ଼ିତାଙ୍କୁ ଚିହ୍ନି ନାହିଁ । ଏହି ଘଟଣାର ସତ୍ୟାସତ୍ୟ ସିଏ ଏବଂ ପୀଡ଼ିତା ଜାଣିଥିବେ । ମାତ୍ର ଅମରେଶ ଜେନା କୁକର୍ମରେ ଜଡ଼ିତ ଥିଲେ ବୋଲି ଓଡ଼ିଶାବାସୀଙ୍କୁ ଜଣାଇ ଦେଇଛନ୍ତି । ମୋ ଘଟଣା ପଛରେ ସେ ମାଷ୍ଟରମାଇଣ୍ଡ ଥିଲେ ବୋଲ ପ୍ରମାଣିତ କରିଛନ୍ତି । ବିଗତ ଦିନରେ ସେ କହୁଥିଲେ ଯେ, ଅର୍ଚ୍ଚନା ନାଗ୍ କିଏ ମୁଁ ତାଙ୍କୁ ଜାଣି ନାହିଁ । ଆଜି ସେ ଅର୍ଚ୍ଚନା ନାଗକୁ ଜାଣିଗଲେ । ଆପଣ କରିଥିବା କର୍ମର ଫଳ ଭୋଗୁଛନ୍ତି ତେଣୁ ସୁଧୁରି ଯାଆନ୍ତୁ , ଅପନିନ୍ଦା ଦିଅନ୍ତୁନି ବୋଲି ଅର୍ଚ୍ଚନା କହିଛନ୍ତି ।
Headlines 06- ମେଟ୍ରୋ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ବରିଷ୍ଠ ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟାରେ କହିଛନ୍ତି ଯେ, ଭୁବନେଶ୍ବରକୁ ପ୍ରଗତିଶୀଳ କରିବାକୁ ମେଟ୍ରୋ ବ୍ୟବସ୍ଥା କରିବାକୁ ଯାଉଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜସ୍ବ ବଜେଟ୍ରେ ସେ ଏହା କରିଥିଲେ, ଅଢ଼େଇ ବର୍ଷରେ DPR ଏବଂ ଅନ୍ୟାନ୍ୟ କାମ କରିଥିଲେ । କିନ୍ତୁ ବିଜେପି ସରକାର ମେଟ୍ରୋ ପ୍ରକଳ୍ପକୁ ବାତିଲ କରିଦେଲେ । ଏହାର କାରଣ ହେଉଛି ପୂର୍ବ ସରକାର କରିଥିଲେ । ସେମାନେ ପୁଣି DPR କରିବେ, ଟେଣ୍ଡର କରିବେ ଏବଂ ଏସବୁ ପାଇଁ ୫ ବର୍ଷ ଲାଗିଯିବ ।
Headlines 07- ବୈତରଣୀ ନଦୀରେ ବନ୍ୟା ଜଳ ହ୍ରାସ ପାଉଛି । ଆନନ୍ଦପୁର ଠାରେ ଜଳ ସ୍ତର ୩୫.୭୮ ମିଟର ରହିଥିଲା ଯାହା ବର୍ତ୍ତମାନ ଏହା ହ୍ରାସ ପାଉଥିବା ଜଣାଯାଉଛି । ଏଠାରେ ବିପଦ ସଂକେତ ସ୍ତର ୩୮.୩୬ ମିଟର । ସେହିପରି, ଆଖୁଆପଦା ଠାରେ ଜଳସ୍ତର ୧୮. ୫୪ ମିଟର ରହିଛି ଓ ଏହା ହ୍ରାସ ପାଉଥିବା ସ୍ଥିତିରେ ଅଛି । ଏଠାରେ ବିପଦ ସଂକେତ ସ୍ତର ୧୮. ୩୩ ମିଟର । ସେହିପରି ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର ୬.୬୭ ମିଟରରେ ରହିଥିଲା ଓ ଏଠାରେ ଜଳପ୍ରବାହ କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ଏଠାରେ ବିପଦ ସଂକେତ ସ୍ତର ୬.୫୦ ମିଟର ।
Headlines 08- ସୋମବାର ଦିନ ପୁରୀରେ ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଶ୍ରାବଣ ଶୁକ୍ଳ ଚତୁର୍ଥୀରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି ପାଇଁ ଦର୍ଶନ ବନ୍ଦ ହେବ ।
Headlines 09- ଟିଟିଲାଗଡ଼ ଭାଲେଗାଁ ପଞ୍ଚାୟତ ବାଗଡେର୍ ଗାଁରେ ୨୦ ହଜାର ଟଙ୍କାରେ ଶିଶୁ କନ୍ୟା ବିକ୍ରି ଅଭିଯୋଗ ସାମ୍ନାକୁ ଆସିଛି । ଦାରିଦ୍ର୍ୟତା ଯୋଗୁଁ ଶିଶୁ କନ୍ୟାକୁ ବିକ୍ରି କରାଯାଇଥିବା ଅଭିଯୋଗ ରହିଛି । ବାପା ଓ ମଧ୍ୟସ୍ତିଙ୍କୁ ପୋଲିସ ଉଠାଇ ନେବା ପରେ ଗାଁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ପାଇକମାଳର ଜଣଙ୍କୁ ବିକ୍ରି କରିଥିବା ଜଣାପଡ଼ିବା ପୋଲିସ ଛାନଭିନ୍ କରୁଛି ।
Headlines 10- ସୋମବାର ଜୁଲାଇ ୨୮ ତାରିଖରେ ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୫ ଜିଲ୍ଲା ହେଉଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର।