Top 10 News Today
Headlines 01- କେନ୍ଦ୍ର ସରକାର ପୁଣି ଥରେ ଚାଷୀଙ୍କ ପାଇଁ ସରକାରୀ ରାଜକୋଷର ଦ୍ୱାର ଖୋଲି ଦେଇଛନ୍ତି। ବୁଧବାର ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକରେ ଚାଷୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଖରିଫ ଫସଲ ପାଇଁ ୫୦ ପ୍ରତିଶତ ଅଧିକ ଏମଏସପି ଅନୁମୋଦନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଧାନର MSP ଗତ ବର୍ଷ ତୁଳନାରେ କ୍ବିଣ୍ଟାଲ ପିଛା ୬୯ ଟଙ୍କା ବଢ଼ିଲା । କେନ୍ଦ୍ର ଦେଉଥିବା ୨୩ ଶହ ଟଙ୍କା ୨୩୬୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଗ୍ରେଡ୍ ଏ ଧାନ ପାଇଁ କ୍ବିଣ୍ଟାଲ ପିଛା ୨୩୮୯ ଟଙ୍କା ମିଳିବ । ଜୱାର କ୍ବିଣ୍ଟାଲ ପିଛା MSP ୩୨୮ ଟଙ୍କା ବଢ଼ିଛି । ସେହିପରି ବାଜରା ୧୫୦, ରାଗି ୫୯୬ ଟଙ୍କା, ହରଡ ଡାଲି ୪୫୦ ଓ ମୁଗ ଡାଲି କ୍ବିଣ୍ଟାଲ ପିଛା MSP ୮୬ ଟଙ୍କା ବୃଦ୍ଧି କରାଯାଇଛି ।
Headlines 02- ପୁଣିଥରେ ୨୮ ମଇରେ କିଛି ରାଜ୍ୟରେ ହେବାକୁ ଯାଉଛି ମକଡ୍ରିଲ୍ । ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ଏକ ମକ୍ ଡ୍ରିଲ୍ କରାଯିବ। ଏହି ମକ୍ ଡ୍ରିଲ୍ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ ଏବଂ କାଶ୍ମୀରରେ ଅନୁଷ୍ଠିତ ହେବ। ମକଡ୍ରିଲ୍ ସମୟରେ ଲୋକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବ। ଆପଣଙ୍କୁ କହିରଖୁଛୁ ଯେ, ଅପରେସନ ସିନ୍ଦୂର ଆରମ୍ଭ ହେବା ପୂର୍ବରୁ ଦେଶର ୨୪୪ଟି ଜିଲ୍ଲାରେ ମକ୍ ଡ୍ରିଲ୍ କରିବାକୁ ଘୋଷଣା କରିଥିଲେ ସରକାର।
Headlines 03- ମନ୍ତ୍ରୀ ଏବଂ ଅଫିସର୍ଙ୍କ ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରାଯାଇଛି । ବର୍ତ୍ତମାନ ୫୦,୪୦୦ ଟଙ୍କା ହେଲା ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ଏବଂ ଜିଲ୍ଲାପାଳ, ଏସ୍ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି କରାଯାଇଛି । ସେହିପରି ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡ଼ି ଖର୍ଚ୍ଚ ୩୭,୨୦୦ ବୃଦ୍ଧି ଏବଂ ପ୍ରମୁଖ ସଚିବଙ୍କ ୩୬,୦୦୦, ସ୍ବତନ୍ତ୍ର ସଚିବଙ୍କ ୩୧,୨୦୦ ବୃଦ୍ଧି କରାଯାଇଛି ।
Headlines 04- ବହୁ ଚର୍ଚ୍ଚିତ ପାଟଣାଗଡ଼ 'ପାର୍ସଲ୍ ବୋମା' ଘଟଣାରେ ରାୟ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା । ପାର୍ସଲ ବୋମା ରାୟ ନେଇ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀ ନ ଥିଲେ ଯାହା ବଡ଼ ଚ୍ୟାଲେଞ୍ଜ ଥିଲା । ଯେଉଁଠି ପ୍ରତ୍ୟକ୍ଷ ସାକ୍ଷୀ ନ ଥାନ୍ତି ସେଠାରେ ଫୋରେନସିକ୍ ପ୍ରମାଣ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ପୁଞ୍ଜିଲଲାଲ ମାମଲାରେ ଫୋରେନସିକ୍ ପ୍ରମାଣ ତଥ୍ୟ ଦେଇଥିଲା । ସେ ବ୍ୟବହାର କରିଥିବା ଏନ୍ଭଲପ, ଅଠା ପ୍ରମାଣ ଦେଇଥିଲା । ରାୟକୁ ନେଇ ସନ୍ତୋଷ ପ୍ରକାଶ କରୁଛି ବୋଲି କହିଛନ୍ତି ସୌମ୍ୟଙ୍କ ମା’
Headlines 05- ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଗଣ୍ଡାନାଳି ଡିଭିଜନ୍ର RI ସତ୍ୟଭୂଷଣ ବେହେରା । ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସତ୍ୟଭୂଷଣଙ୍କୁ ଧରିଛି ଭିଜିଲାନ୍ସ । ଜମିବାଡ଼ି ବିବାଦର ବନ୍ଦୋବସ୍ତ ପାଇଁ ଲାଞ୍ଚ ନେଉଥିଲେ ବୋଲି ଜଣାପଡିଛି ।
Headlines 06- ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋରେ ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଲୁଟ୍ ଘଟଣାରେ ଘଟଣାସ୍ଥଳକୁ ଯାଇଛନ୍ତି ଡିଜିପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀ । ଗତ କାଲି ୩୦ରୁ ୪୦ ମାଓବାଦୀ ଖଣିରେ ବ୍ୟବହୃତ ବିସ୍ଫୋରକ ଲୁଟ୍ କରିଥିଲେ । ବିସ୍ଫୋରକ ଟ୍ରକ ଲୁଟ୍ ଘଟଣା ପରେ ବଡ଼ ତନାଘନା ଆରମ୍ଭ ହୋଇଛି । ତଦନ୍ତ ପାଇଁ ଘଟଣା ସ୍ଥଳକୁ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଓ ରାଉରକେଲା ଏସପି ନୀତେଶ ବର୍ଧାନି ଯିବେ ବୋଲି ସୂଚନା ମିଳିଛି।
Headlines 07- ରାଜ୍ୟରେ ପୁଣି ବଢ଼ିଲା କୋଭିଡ୍ ପଜିଟିଭ ସଂଖ୍ୟା । ଆଜି ସୁଦ୍ଧା ରାଜ୍ୟରେ ୫ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ତେବେ ଚିହ୍ନଟ ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ବର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟପଟେ. ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଯେ, କୋଭିଡ୍ର ଅସ୍ୱାଭାବିକ ସ୍ଥିତି ନାହିଁ, ବ୍ୟସ୍ତ ହେବାର କାରଣ ନାହିଁ । କୋଭିଡ୍ ରିପୋର୍ଟ ଆସିଲେ RTPCR କରିବୁ ଏବଂ ଦରକାର ହେଲେ ଜିନମ ସିକ୍ୱେନ୍ସିଂ କରାଯିବ । କେନ୍ଦ୍ର ସରକାରଙ୍କ ଠାରୁ କୌଣସି ଗାଇଡ୍ ଲାଇନ ଆସିନାହିଁ ।
Headlines 08- ବର୍ଷ ପୂର୍ତ୍ତି ଅବସରରେ ନୂଆ NAC ଘୋଷଣା କରିପାରନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ୭ଟି ନୂଆ NAC ଘୋଷଣା ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପଞ୍ଚାୟତିରାଜ ବିଭାଗକୁ ତର୍ଜମା ପାଇଁ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
Headlines 09- ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ । ସକ୍ରିୟ ଲଘୁଚାପ ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବାର ସମ୍ଭାବନା । ଲଘୁଚାପ କ୍ଷେତ୍ର ଉତ୍ତର ଆଡ଼କୁ ଗତିକରି ଆହୁରି ଘନୀଭୂତ ହେବ । ଅନ୍ୟପଟେ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲା ବେଶ୍ ପ୍ରଭାବିତ ହୋଇଛି ।
Headlines 10- ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଓଡ଼ିଶା ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଆପଣଙ୍କୁ କହିରଖୁଛୁ ଯେ, ୧୯୯୯ରେ ୨୮ ମଇରେ ମୌସୁମୀ ଓଡ଼ିଶା ଛୁଇଁଥିଲା ଏବଂ ୨୦୦୯ରେ ମଇ ୨୫ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା ।