Home >>Top 10 News

Top 10 News: IMD ଡିଜିଙ୍କୁ ସାସାକାୱା ସମ୍ମାନ, ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ସହ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top 10 News: IMD ଡିଜିଙ୍କୁ ସାସାକାୱା ସମ୍ମାନ, ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ସହ ଅନ୍ୟ ଖବର
Soubhagya Ranjan Mishra|Updated: Jun 08, 2025, 09:56 PM IST
Share

Top 10 News Today

Headlines 01- IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାସାକାୱା ସମ୍ମାନ-୨୦୨୫ । ମିଳିତ ଜାତିସଂଘ ପକ୍ଷରୁ ସାସାକାୱା ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ନିରାକରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସମ୍ମାନ ପାଇଁ ବଧାଇ ଜଣାଇଛନ୍ତି WMO ସମ୍ପାଦକ ।

Headlines 02- ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ବିନୟ ନରୱାଲଙ୍କ ପତ୍ନୀଙ୍କ ଚେହାରକୁ ବିକୃତ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ଏକ ନକଲି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିବା ମାମଲାରେ ହରିୟାଣା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁଗ୍ରାମ ସାଇବର ପୋଲିସ ଟିମ୍ ବିହାରର ଗୋପାଳଗଞ୍ଜ ପୋଲିସ ସହାୟତାରେ ମାଞ୍ଜା ଥାନା ଅଞ୍ଚଳର ଧୋବୱାଲିଆ ଗାଁରେ ଚଢାଉ କରିଥିଲା । ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ମୋହିବୁଲ ହକ୍ ଏବଂ ତାଙ୍କ ପୁଅ ଗୁଲାବ ଜିଲାନି ରହିଛନ୍ତି। ଉଭୟଙ୍କ ବିରୋଧରେ 'S S REAL POINT' ନାମକ ଏକ YouTube ଚ୍ୟାନେଲରେ ସହିଦଙ୍କ ପତ୍ନୀଙ୍କ ନକଲି ଭିଡିଓ ଅପଲୋଡ୍ କରିବାର ଅଭିଯୋଗ ରହିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ହରିୟାଣାର ଗୁରୁଗ୍ରାମ ସାଇବର ପୋଲିସ ଷ୍ଟେସନରେ ମାମଲା ନମ୍ବର ୧୯୫/୨୫ ରୁଜୁ କରାଯାଇଥିଲା।

Headlines 03- ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ କରାଯାଇଛି । ୫ ବର୍ଷ ଭିତରେ ଯାହା ହୋଇ ନ ଥିଲା ବର୍ଷକରେ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଉତ୍କର୍ଷ ଓଡ଼ିଶାରେ ୧୩ ଲକ୍ଷ କୋଟି ଟଙ୍କାର MOU ହୋଇଥିଲା ଏବଂ MOU ପରେ ଗ୍ରାଉଣ୍ଡ ବ୍ରେକିଂରେ ବିଜେପି ସରକାର ସଫଳ ହୋଇଛି। ଖୋର୍ଦ୍ଧାରେ ୬ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ଏବଂ ୩୦ ହଜାର ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କଳିଙ୍ଗ ନଗରରେ ୧୪ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି । ଗଞ୍ଜାମ ଛତ୍ରପୁର ଠାରେ ୧୨ଟି କମ୍ପାନୀ ସହ MOU । ଉତ୍କର୍ଷ ଓଡ଼ିଶାର ୪ ମାସରେ ୪ଟି ସ୍ଥାନରେ ୫୬ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ । ୧.୭୮ ଲକ୍ଷ କୋଟିର ପୁଞ୍ଜିନିବେଶ, ୧ ଲକ୍ଷ ୧୦ହଜାର ନିଯୁକ୍ତି ପାଇବେ । ୨୦୩୬ ସମୃଦ୍ଧ ଓଡ଼ିଶା ପାଇଁ ଭିତ୍ତି ସ୍ଥାପନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 04- ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ଗେଷ୍ଟ ହାଉସ୍‌ କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଭୁବନେଶ୍ୱରକୁ ଆସିଲେ ରହିବା ପାଇଁ ଆଉ ହଇରାଣ ହେବାକୁ ପଡ଼ିବନି । ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ୧୦୦ କୋଠରୀର ଭବନ କରାଯିବ । ରାଜଧାନୀକୁ ସ୍ବାସ୍ଥ୍ୟ ସେବା ଶିକ୍ଷା ଲାଭ ପାଇଁ ଲୋକେ ଆସନ୍ତି ତେଣୁ ପ୍ରତି ଜିଲ୍ଲା ନାଁରେ ଏହି ଗେଷ୍ଟ ହାଉସ୍‌କୁ ନାମିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Headlines 05- ସୋର ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜଣେ ଏବଂ ଭଦ୍ରକ ମେଡିକାଲ୍‌ରେ ୨ଜଣ ମୃତ୍ୟୁବରଣ କରିଛନ୍ତି । ପ୍ଲାଷ୍ଟର କାମ କରିବା ସମୟରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଏପରି ଅଘଟଣ ଘଟିଥିଲା ।

Headlines 06- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ପକ୍ଷରୁ ଶୃଙ୍ଖଳା କମିଟି ଗଠନ ହୋଇଛି । ପୂର୍ବତନ ବିଧାୟକ ସୁଜିତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ କମିଟି । ଜାକବ ପ୍ରଧାନ ହୋଇଛନ୍ତି ଆବାହକ । ସଂଯୁକ୍ତା ବେହେରା ସଦସ୍ୟ, କିଷାନ ପଣ୍ଡା ଓ ସୁରଥ ମହାକୁଡ୍‌ ମଧ୍ୟ କମିଟିର ସଦସ୍ୟ ହୋଇଛନ୍ତି ।

Headlines 07- ଜୁନ୍ ୧୨ରେ ମୋହନ ସରକାରର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ପାଳନ କରାଯିବ । ସେହିଦିନ ଲୋକାର୍ପଣ ହେବାକୁ ଯାଉଛି ଭିଜନ୍ ଓଡ଼ିଶା ଡକ୍ୟୁମେଣ୍ଟ । ବିକଶିତ ଓଡ଼ିଶା ପାଇଁ ବଡ଼ ଲକ୍ଷ୍ୟ ଏବଂ ବଡ଼ ଯୋଜନା ରହିଛି । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହା ଲୋକାର୍ପଣ କରାଯିବ ।

Headlines 08- ପୁରୀ ଶ୍ରୀମନ୍ଦିରର ୨ କିଲୋମିଟର ପରିଧିରେ କୌଣସି ମଦ ଦୋକାନ କିମ୍ବା ବାର୍‌ ରହିବ ନାହିଁ । ଆମିଷ ବିକ୍ରି ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ । ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଆମେ ପୁରୀକୁ ଏକ ତୀର୍ଥ ସହର ଭାବେ ବିକଶିତ କରିବାକୁ ଚାହୁଁଛୁ । ଏଥିପାଇଁ ବଡ଼ଦାଣ୍ଡରେ ଥିବା ସମସ୍ତ ଘର ଯେପରି ଏକ ତୀର୍ଥ ସହର ପରି ଦୃଶ୍ୟମାନ ହେବ , ସେଥିପାଇଁ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହିକ୍ରମରେ ବଡ଼ଦାଣ୍ଡରେ ଥିବା ଘର ଗୁଡ଼ିକର ଉଚ୍ଚତା ଏବଂ ସଂରଚନା ସମାନ ଆକାରର ରଖିବାକୁ ଚେଷ୍ଟା କରାଯିବ । ତେବେ ବଡ଼ଦାଣ୍ଡରେ ବହୁ ଘରୋଇ ଅଟ୍ଟାଳିକା ଥିବା କାରଣରୁ ଏହି ପ୍ରକ୍ରିୟାକୁ ଧୀରେ ଧୀରେ ବିକଶିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରଚନ୍ଦନ କହିଛନ୍ତି ।

Headlines 09- ପୁରୀ ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ ଭକ୍ତ ଆହତ ହୋଇଛନ୍ତି । ଭୋଗ ମଣ୍ଡପ ଉଠିବା ପରେ ବୋଝିଆଙ୍କ ଅସାବଧାନତାରୁ ଅଘଟଣ ଘଟିଛି । ବୋଝିଆ ଗରମ ଡାଲି ନେବା ସମୟରେ ୭ ଭକ୍ତଙ୍କ ଉପରେ ପଡ଼ିଥିଲା । ଗରମ ଡାଲି ପଡ଼ିଥିବା ଶ୍ରଦ୍ଧାଳୁଙ୍କ ଘର ନୟାଗଡ଼ରେ । ସଭିଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

Headlines 10- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କାରଣରୁ ୨୬ ଜିଲ୍ଲାକୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୦୯ ଜୁନ୍ ପାଇଁ ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୯ ତାରିଖ ପାଇଁ ୪ଟି ଜିଲ୍ଲା (ବରଗଡ, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧ)କୁ ଛାଡି ବାକି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୦ ତାରିଖ ଦିନ କେନ୍ଦୁଝର, ମୟୁରଭଞ୍ଜ. କୋରାପୁଟ, ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି ।

Read More
{}{}