Home >>Top 10 News

Top 10 News: ବଜ୍ରପାତ ନେଲା ୨ ଜୀବନ, ଲାଞ୍ଚ ନେଇ ଜେଲ୍ ଗଲେ ଉପଜିଲ୍ଲାପାଳ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top 10 News: ବଜ୍ରପାତ ନେଲା ୨ ଜୀବନ, ଲାଞ୍ଚ ନେଇ ଜେଲ୍ ଗଲେ ଉପଜିଲ୍ଲାପାଳ ଓ ଅନ୍ୟ ଖବର
Soubhagya Ranjan Mishra|Updated: Jun 09, 2025, 09:58 PM IST
Share

Top 10 News Today

Headlines 01- ଆରସିବିର ମାର୍କେଟିଂ ମୁଖ୍ୟଙ୍କ ଆବେଦନ ଉପରେ ସୋମବାର କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଥିଲେ। ଆବେଦନକାରୀଙ୍କ ଓକିଲ ଗିରଫଦାରୀକୁ ଅବୈଧ ବୋଲି କହିଛନ୍ତି ଏବଂ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମାଗିଛନ୍ତି। ଆବେଦନକାରୀଙ୍କ ଓକିଲ କୋର୍ଟକୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆରସିବି, ଡିଏନଏ ଏବଂ କେଏସସିଏ ଅଧିକାରୀଙ୍କ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଯେ, ପୋଲିସର ଆବେଦନକାରୀଙ୍କୁ ଗିରଫ କରିବାର ଅଧିକାର ନାହିଁ। ଶୁଣାଣି ସମୟରେ ବିଚାରପତି ସ୍ପଷ୍ଟ ଭାବରେ କହିଥିଲେ ଯେ, ଏହା ବ୍ୟକ୍ତିଗତ ସ୍ୱାଧୀନତାର ବିଷୟ ଏବଂ ରାଜ୍ୟ ସରକାରଙ୍କୁ ଆଜି ହିଁ ଏହାର ଜବାବ ଦେବାକୁ ପଡିବ। 

Headlines 02- ଆଜି କଟକ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡି ସହ ବର୍ଷା ହୋଇଛି । ବଜ୍ରାଘାତ କାରଣରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ହରିପୁର ଗାଁରେ ଥିବା ଜଗନ୍ନାଥ ମନ୍ଦିର ଦଧୀନଉତି ଭାଙ୍ଗିଯାଇଛି । ଜଗନ୍ନାଥ ମନ୍ଦିରରେ ଥିବା ଶିବଲିଙ୍ଗ ଗର୍ଭ ଫାଟିଥିବା ମଧ୍ୟ ସୂଚନା ମିଳିଛି । ଯାଜପୁର କୋରେଇ ଥାନା ରଗଡ଼ି ଛକ ନିକଟରେ ବଜ୍ରାଘାତ କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟଜଣେ ଆହତ ହୋଇଛନ୍ତି । ସେହିପରି ପିପିଲି ମାଳିବରାହୀ ଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି ।

Headlines 03- ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ଜେଲ୍‌ ଯାଇଛନ୍ତି । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ସେ ଧରାପଡିଥିଲେ । ଉପଜିଲ୍ଲାପାଳ ଧୀମାନଙ୍କ ଘରୁ ୪୭ ଲକ୍ଷ ଟଙ୍କା ମିଳିଥିଲା । ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଚେତାବନୀ ଦେଇ ସେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ଇନ୍‌ଷ୍ଟାଲମେଣ୍ଟରେ ୧୦ ଲକ୍ଷ ଟଙ୍କା ନେବା ସମୟରେ ଧରିଥିଲା ଭିଜିଲାନ୍ସ । ସୂଚନାଯୋଗ୍ୟ, ୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଧୀମାନ ଚକ୍‌ମା ।

Headlines 04- ଦିଲ୍ଲୀ ଏନସିଆର ଏବଂ ଅନ୍ୟାନ୍ୟ ଅଞ୍ଚଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ପାଗ ସମ୍ପର୍କରେ ପୂର୍ବାନୁମାନ କରାଯାଇଛି । ଆଇଏମଡି ବୈଜ୍ଞାନିକ ଅଖିଲ ଶ୍ରୀବାସ୍ତବ କହିଛନ୍ତି ଯେ, ଉତ୍ତର-ପଶ୍ଚିମ ଭାରତରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ବିଶେଷକରି ସମତଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଅଛି। ଦିଲ୍ଲୀ ଏନସିଆରରେ, ଆଜି ଏବଂ ଆସନ୍ତାକାଲି ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଉପରେ ରହିବାର ସମ୍ଭାବନା ରହିଛି । ଯାହା ଫଳରେ ବିଚ୍ଛିନ୍ନ ସ୍ଥାନରେ ହିଟ୍ ୱେଭ୍ ପରିସ୍ଥିତି ସୃଷ୍ଟି ହେବ। କିଛି ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

Headlines 05- ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ନିଷ୍ପତ୍ତି ଅନୁଯାୟୀ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି କରାଯିବା ସହିତ ଯଦି ବାସଗୃହ କ୍ଷତିଗ୍ରସ୍ତ ହୋଇଥାଏ ତେବେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନଚେତ ସମତୁଲ ଆର୍ଥିକ ସହାୟତା ପ୍ରଦାନ କରାଯିବ। ରୋଷେଇ ଘର, ଧାନ ସଂରକ୍ଷଣ ଗୃହ କିମ୍ବା ଛେଳି ଗୁହାଳ କ୍ଷତିଗ୍ରସ୍ତ ହେଲେ ୩ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ସେହିଭଳି ପକ୍କା ପାଚେରୀ, କମ୍ପାଉଣ୍ଡ ୱାଲ୍ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ୫ ହଜାର ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ।

Headlines 06- ଓଡ଼ିଶା ଡ୍ରାଇଭର ଓ ଏକତା ମଞ୍ଚ ପକ୍ଷରୁ ପୁଣି ଆନ୍ଦୋଳନ ଡାକରା ଦିଆଯାଇଛି । ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ଏକତା ମଞ୍ଚ । ଦାବି ନ ଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ କରାଯିବ ବୋଲି କୁହାଯାଇଛି ।

Headlines 07- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ।

Headlines 08- ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ତେବେ ଆଗକୁ ରଥଯାତ୍ରା ମଧ୍ୟ ରହିଛି , ଏହି ସମୟରେ ଶ୍ରୀକ୍ଷେତ୍ରରେ ବ୍ୟାପକ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ ଶେଷ ହେବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ୮୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇ ସାରିଲାଣି । ଶ୍ରୀ ଗୁଣ୍ଡିଚାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ । ରଥଯାତ୍ରା ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରହିଛି ଏବଂ ସୁରୁଖୁରୁରେ କାର୍ଯ୍ୟ ଚାଲିଛି। ରଥଯାତ୍ରା ସମୟରେ ୩ ଶହ ଡାକ୍ତର ଚିକିତ୍ସା ସେବା ବୁଝିବେ ଏବଂ ୧୫ଟି ICU ବେଡ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି । କୋଭିଡ୍‌ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

Headlines 09- ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନବମ ଜିୟୁ ଜିଟସୁ ଏସିୟାନ ଚମ୍ପିୟନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଖୁରାନିଆ ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଥିଲେ। 

Headlines 10- ମଙ୍ଗଳବାର ୧୦ ତାରିଖରେ ସମସ୍ତ ୩୦ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବା ନେଇ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୫ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନୁଗୁଳ, କେନ୍ଦୁଝର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ବାକି ସମସ୍ତ ୨୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।

Read More
{}{}