Home >>Top 10 News

Top 10 News: ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ମାଓ ସାମଗ୍ରୀ ଠାବ, ନୂଆ ମଦ ନୀତି ନେଇ ମନ୍ତ୍ରୀଙ୍କ ସୂଚନା ସହ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top 10 News: ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ମାଓ ସାମଗ୍ରୀ ଠାବ, ନୂଆ ମଦ ନୀତି ନେଇ ମନ୍ତ୍ରୀଙ୍କ ସୂଚନା ସହ ଅନ୍ୟ ଖବର
Soubhagya Ranjan Mishra|Updated: Jun 02, 2025, 09:58 PM IST
Share

Top 10 News Today

Headlines 01- ଖୁବ୍‌ ଶୀଘ୍ର ନୂଆ ମଦ ନୀତି ଆସିବା ନେଇ ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଏହା ଲାଗୁ କରାଯିବ । ନୂଆ ମଦ ନୀତିରେ ନୂଆ ଦୋକାନ ଖୋଲିବ ନାହିଁ । ଅନ୍ୟ ରାଜ୍ୟର ମଦ ନୀତି ଅନୁଧ୍ୟାନ ପାଇଁ ୩ଟି ଟିମ୍‌ ଗସ୍ତ କରିବେ।  ଆନ୍ଧ୍ର, ରାଜସ୍ଥାନ, କେରଳ, ତାମିଲନାଡୁ ଗସ୍ତ କରି ଆସନ୍ତା ୭ ଓ ୮ ତାରିଖ ବେଳକୁ ଫେରିବେ । ପଲିସିରେ ଯାହା ବାକି ଅଛି ପରିବର୍ତ୍ତନ ହୋଇ ଲାଗୁ ହେବ । ବେଆଇନ ମଦ, ଦଣ୍ଡବିଧାନ, ପୁରୁଣା ପଲିସିର ଅସୁବିଧା ଦୂର ହେବ । ସବୁ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ପଲିସି କରାଯିବ ।

Headlines 02- ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର । ଯେତିକି ପରୀକ୍ଷା ହେଉଛି ବହୁତ କମ୍‌ ପଜିଟିଭ୍‌ ଆସୁଛି । ତେଣୁ ଗହଳି ସ୍ଥାନକୁ ଯାଆନ୍ତୁନି, ଦରକାର ପଡ଼ିଲେ ମାସ୍କ, ଗ୍ଲୋଭସ୍‌ ପିନ୍ଧନ୍ତୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Headlines 03- ପ୍ରକାଶ ପାଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ । SAMS ପିଜି ପୋର୍ଟାଲରେ ପ୍ରକାଶ ପାଇଲା ରେଜଲ୍ଟ । ପରୀକ୍ଷା ପାଇଁ ୬୨,୩୨୧ଜଣ ଆବେଦନ କରିଥିବା ସମୟରେ ପରୀକ୍ଷା ଦେଇଥିଲେ ୫୬,୯୭୬ ଜଣ । ୩୦ ହଜାର ୮୦୨ ପିଜି ସିଟ୍ ପାଇଁ ମେ ୪ରୁ ମେ ୧୮ ଯାଏଁ ହୋଇଥିଲା ପରୀକ୍ଷା ।

Headlines 04- ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନାସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ NEET-PG 2025 ପରୀକ୍ଷାକୁ ସ୍ଥଗିତ ରଖିଛି। ଦୁଇଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ପୂର୍ବରୁ NEET-PG ପରୀକ୍ଷା ୧୫ ଜୁନ୍ ୨୦୨୫ ରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ ଏବେ ଖୁବ୍ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ। NBEMS ସୂଚନା ଦେଇ କହିଛି ଯେ, ଗୋଟିଏ ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଉଛି । ଯେଉଁ କାରଣରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପରୀକ୍ଷାର ନୂଆ ତାରିଖ ଏବଂ ସମସ୍ତ ସୂଚନା NBEMS ର ଅଫିସିଆଲ୍ ୱେବସାଇଟ nbe.edu.in ରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ ।

Headlines 05- ବରଗଡ଼ ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ କରିଛି ସୁରକ୍ଷାବାହିନୀ । ପାଇକମାଳ ଗନ୍ଧମାର୍ଦ୍ଦନ ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ଡିଭିଏଫ୍ ଦ୍ବାରା ଡେଟୋନେଟର ସହ ଟିଫିନ୍ ଓ କିଛି ମାଓ ପୋଷାକ ଜବତ କରାଯାଇଛି । ଗତବର୍ଷ ଅଗଷ୍ଟରେ ୨ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଥିଲେ ସେମାନଙ୍କ ତଥ୍ୟ ଆଧାରରେ ଠାବ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି ।

Headlines 06- ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ଆଇଏଏସ୍‌ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ବ ମିଳିଛି । ଓଡ଼ିଶାରେ DCR ଭାବେ ଦାୟିତ୍ବ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଚିଠି ହୋଇଛି । ୨୦୨୫ ଡିସେମ୍ବର ୩୧ ଯାଏଁ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ନିଖିଲ ।

Headlines 07- +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ଜୁନ୍‌ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ ଅବଧି ବୃଦ୍ଧି କରାଯାଇଛି । ଫର୍ମ ଦାଖଲ ଅବଧି ବଢ଼ାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଥିଲେ । ପୂର୍ବରୁ ମଇ ୨୦ ଥିଲା ଆବେଦନର ଶେଷ ତାରିଖ ପରେ ତାହାକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଅବଧି ବଢାଇବାକୁ ଉଚ୍ଚଶିକ୍ଷା ବିଭାଗକୁ ନିବେଦନ କରିବୁ ବୋଲି ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ । ଅବଧି ବୃଦ୍ଧି ପରେ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ ।

Headlines 08- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଖୁବ ଶୀଘ୍ର ଏହି ଜିଲ୍ଲାରେ ହେବ ଏବଂ ଏହା ସହିତ IOCL ପକ୍ଷରୁ ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ଓ MCPI  ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗୋଟିଏ HMLS ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ, ଭଦ୍ରକ ରେ ଥିବା ସମସ୍ତ ଶହୀଦ ପୀଠ ମାନଙ୍କର ସୌନ୍ଦର୍ଯ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Headlines 09- ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଡିଜିପି ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା  ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

Headlines 10- ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ବର । ଆଜି ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ବୋଲି ପରିଗଣିତ ହୋଇଛି । ଦିନ ସାଢ଼େ ୨ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ରହିଥିଲା ୩୯.୪ ଡିଗ୍ରୀ ସେଲସିୟସ୍ । ଝାରସୁଗୁଡ଼ା ଏବଂ ସମ୍ବଲପୁର ତାପମାତ୍ରା ଥିଲା ୩୯ ଡିଗ୍ରୀ ସେଲସିୟସ୍ । ବାଲେଶ୍ବର ଏବଂ ହୀରାକୁଦରେ ତାପମାତ୍ରା ଥିଲା ୩୮.୪ ଡିଗ୍ରୀ ସେଲସିୟସ୍ । ଚାନ୍ଦବାଲିରେ ୩୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ରାଉରକେଲାରେ ୩୭.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

Read More
{}{}