Home >>Top 10 News

Top 10 News: ରଥ ଉପରକୁ ମୋବାଇଲ୍ ମନା, ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଏବଂ ଅନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top 10 News: ରଥ ଉପରକୁ ମୋବାଇଲ୍ ମନା, ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଏବଂ ଅନ୍ୟ ଅପଡେଟ୍
Soubhagya Ranjan Mishra|Updated: May 26, 2025, 09:57 PM IST
Share

Top 10 News Today

Headlines 01- ଗୁଜରାଟର ଭୁଜରେ ଆୟୋଜିତ ସାଧାରଣ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖି ଆତଙ୍କବାଦ ବିରୋଧରେ ଆମର ଜିରୋ ଟଲେରାନ୍ସ ପଲିସି ବୋଲି କହିଛନ୍ତି । କେନ୍ଦ୍ରରେ NDA ସରକାରକୁ ଆଜି ପୂରିଲା ୧୧ ବର୍ଷ ପୁରିଲା । ୨୦୧୪ ମେ ୨୬ ତାରିଖରେ ପ୍ରଥମେ କ୍ଷମତାକୁ ଆସିଥିଲା NDA । 'ପ୍ରଥମେ ଗୁଜରାଟବାସୀ ମୋତେ ଆଶୀର୍ବାଦ ଦେଇଥିଲେ ଏବଂ ତା ପରେ କୋଟି କୋଟି ଦେଶବାସୀଙ୍କ ସମର୍ଥନ ମିଳିଛି । 'ସାଂପ୍ରତିକ ବର୍ଷଗୁଡ଼ିକରେ ଦେଶ ଅନେକ ଅକଳ୍ପନୀୟ, ଅଦ୍ଭୂତପୂର୍ବ ନିଷ୍ପତ୍ତି ନେଇଛି' । '୧୪୦ କୋଟି ଭାରତୀୟ ଦେଶକୁ ବିକଶିତ କରିବାକୁ କାମ କରୁଛନ୍ତି' ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Headlines 02- ବରିଷ୍ଠ ନେତା ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ଆଜି ଗଣମାଧ୍ୟମ ଜରିଆରେ ପରିବାରର ଗୁମର ଖୋଲିଛନ୍ତି । ଲାଲୁଙ୍କ ପରିବାର ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଐଶ୍ୱର୍ଯ୍ୟା । ଗଣମାଧ୍ୟମ ଜରିଆରେ ତେଜ ପ୍ରତାପଙ୍କ ସହିତ ସେ ଲାଲୁ ଯାଦବଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଐଶ୍ୱର୍ଯ୍ୟା ରାୟ କହିଛନ୍ତି ଯେ, ଯେତେବେଳେ ମୋତେ ମାଡ଼ ମରାଯାଇଥିଲା, ସେତେବେଳେ ସାମାଜିକ ନ୍ୟାୟ ବ୍ୟବସ୍ଥା କେଉଁଠି ଥିଲା? ଏବେ ଯେଉଁ ସାମାଜିକ ନ୍ୟାୟର କଥା କୁହାଯାଉଛି ତାହା କେଉଁଠି ଥିଲା? ଐଶ୍ୱର୍ଯ୍ୟା ରାୟ ଏକଥା କହିଛନ୍ତି ଯେ, ପୁଅ ତେଜ ପ୍ରତାପଙ୍କ ଭୁଲକୁ ଲୁଚାଇବା ପାଇଁ ପରିବାର ସଦସ୍ୟ ମୋ ଉପରେ ସମସ୍ତ ଦୋଷ ଲଦି ଦେଇଥିଲେ। ମୋତେ ପରିବାରରେ ଦୁର୍ବ୍ୟବହାର କରାଯାଇଥିଲା । ମୋ ବିରୁଦ୍ଧରେ ଅନେକ ପ୍ରକାରର ଅଭିଯୋଗ ଆଣିଥିଲେ ପରିବାର ଲୋକେ।

Headlines 03- ବର୍ଷକ ପାଇଁ DRDO ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏହକୁ ଅନୁମୋଦନ କରିଛି କ୍ୟାବିନେଟ୍‌ ଆପଏଣ୍ଟମେଣ୍ଟ କମିଟି । ଜୁନ୍‌ ୧ରେ ଅବସର ନେଇଥାନ୍ତେ ବର୍ତ୍ତମାନ ଏହାକୁ ବଢାଇ ୨୦୨୬ ମେ ୩୧ ପର୍ଯ୍ୟନ୍ତ ଅବସର ସମୟ ରଖାଯାଇଛି ।

Headlines 04- ଲଗାଣ ବର୍ଷାରେ ଭୁଷୁଡି ପଡିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ। ଟନେଲ ନମ୍ବର ୪, ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଉପରେ ସ୍ପଷ୍ଟୀକରଣ ଦେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲଗାତାର ବର୍ଷା କାରଣରୁ ଆଜି ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ୪ ନମ୍ବର ସୁଡଙ୍ଗରେ ଏକ ଛୋଟ ମାଟି ଧସି ପଡ଼ିଥିଲା । ଏଥିପାଇଁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଯୋଜନା ଅନୁଯାୟୀ କାମ ଜାରି ରହିଛି। ତେବେ ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଛି ।

Headlines 05- ପାକିସ୍ତାନ ସରକାରଙ୍କ ଗୁଇନ୍ଦା ସଂସ୍ଥାକୁ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ଦେଉଥିଲେ ଜଣେ ସିଆର୍‍ପିଏଫ୍‍ ଯବାନ। ଆଉ ଏହି ଅଭିଯୋଗରେ ଜାତୀୟ ସୁରକ୍ଷା ଏଜେନ୍ସୀ ଏନ୍‍ଆଇଏ ତାଙ୍କୁ ଦିଲ୍ଲୀରୁ ଗିରଫ କରିଛନ୍ତି। ତାଙ୍କ ସୂଚନା ବଦଳରେ ପାକିସ୍ତାନ ଗୁଇନ୍ଦା ପକ୍ଷରୁ ବିଭିନ୍ନ ସୂତ୍ରରୁ ମୋଟା ଅଙ୍କ ପ୍ରଦାନ କରାଯାଉଥିବା ଏନ୍‍ଆଇଏ କହିଛି। ସୂଚନା ଅନୁସାରେ, ଏହି ଯବାନଙ୍କ ନାମ ହେଉଛି ମୋତିରାମ ଜଟ୍‍। ସେ ୨୦୨୩ ମସିହାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲା। ତାଙ୍କୁ ଏନ୍‍ଆଇଏ ଗିରଫ କରି ପଟିଆଲା ହାଉସ୍‍ କୋର୍ଟରେ ଦାଖଲ କରିଛନ୍ତି। କୋର୍ଟଙ୍କ ଅନୁମତିକ୍ରମେ ତାଙ୍କୁ ରିମେଣ୍ଡରେ ନିଆଯାଇଛି। ସେ ୬ ଜୁନ୍‍ ଯାଏ ଏନ୍‍ଆଇଏ ହେପାଜତରେ ରହିବେ ବୋଲି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି। 

Headlines 06- ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କୁହାଯାଇପାରିବ ନାହିଁ । କେମିତି 'ଧାମ' ନାଁ ହଟିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ଦେଶ ବିଦେଶରେ ଅନେକ ଜଗନ୍ନାଥ ମନ୍ଦିର ରହିଛି କିନ୍ତୁ କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅବଗତ କରି ସାରିଛନ୍ତି । କେମିତି ଦୀଘାରୁ ଜଗନ୍ନାଥ ଧାମ ନାମ ହଟିବ ତାହା ରାଜ୍ୟ ସରକାର କରନ୍ତୁ କାରଣ ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାର ନିଜେ ଟ୍ରଷ୍ଟ ଗଠନ କରିଛନ୍ତି । କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରି ନାହାନ୍ତି ବୋଲି ଗଜପତି ମହାରାଜା କହିଛନ୍ତି ।

Headlines 07- ରଥଯାତ୍ରାରେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡ଼ା ଟିପ୍ପଣୀ ଦେଇଛନ୍ତି । ଘୋଷଯାତ୍ରା ସମୟରେ କୌଣସି ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେନି । କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ସମସ୍ତଙ୍କୁ ରଥ ଉପରେ ମୋବାଇଲ୍‌ ବ୍ୟବହାର ନେଇ ବାରଣ କରାଯାଇଛି । ନିୟମ ଉଲଙ୍ଘନ କଲେ କେବଳ କେବଳ ମୋବାଇଲ୍‌ ସିଜ୍‌ ନୁହେଁ ଫୌଜଦାରୀ ମାମଲା ମଧ୍ୟ ହେବ । ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ ବଡ଼ ଅଟ୍ଟାଳିକା ଗଢ଼ି ଉଠୁଛି ଏବଂ ସେମାନେ ନିଜସ୍ବ ଢ଼ଙ୍ଗରେ ଅଟ୍ଟାଳିକା ଗୁଡିକ ନିର୍ମାଣ କରୁଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ବି ବଡ଼ ବଡ଼ ଅଟ୍ଟାଳିକା ହେଉଛି । ସେହି ଅଟ୍ଟାଳିକାଗୁଡ଼ିକର ନିର୍ଦ୍ଦିଷ୍ଟ ଭାବେ ଢ଼ାଞ୍ଚା ସ୍ଥିର ହେବା ଦରକାର । ଆମେ ଏନେଇ ନଗର ଉନ୍ନୟନ ବିଭାଗକୁ ଅବଗତ କରିବୁ ଏବଂ ଅଟ୍ଟାଳିକାଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ଲେଖିବୁ ।

Headlines 08- ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ। ବକେୟା ଟଙ୍କାକୁ ନେଇ ଅଭିନେତ୍ରୀ ମାମୁନୀ ଷଡ଼ଙ୍ଗୀଙ୍କୁ ଲୋକ ଲଗେଇ ନାଣ୍ଡୁ ବାବୁ ଆକ୍ରମଣ କରିଥିବାର ଅଭିଯୋଗ ଆସିଛି । ଭଦ୍ରକ ବାଲିଆପାଳରେ ଘଟିଥିବା ଏ ଘଟଣା ଉପରେ ମାମୁନୀ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମାମୁନୀଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ କହି ତାଙ୍କ ଉପରେ ବି ପାଲଟା ଅଭିଯୋଗ ଆଣିଛନ୍ତି ନାଣ୍ଡୁ ବାବୁ। ଯାତ୍ରା ଅଭିନେତା ବାପି ପଣ୍ଡା ମଧ୍ୟ ନାଣ୍ଡୁଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି ଯେ, ବକେୟା ପାଉଣା ନାଣ୍ଡୁ ବାବୁ ଦେଉନାହାଁନ୍ତି ! 

Headlines 09- ଦିଲ୍ଲୀ ଗସ୍ତ ଅବସରରେ ପୁରୀ ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି । ନିମନ୍ତ୍ରଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Headlines 10- ବଲାଙ୍ଗୀର ପୁଇଁତଳା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ଆଜି ଭୋର୍ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି । ଆଉ ଯିଏ ବି ଏହି ଘଟଣାରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ କହିଛନ୍ତି। 

Read More
{}{}