Home >>Top 10 News

Top 10 News: ବର୍ଷା ନେଇ ରେଡ୍ ଆଲର୍ଟ, ଏଫଏମ କଲେଜ ଘଟଣା ଅପଡେଟ୍ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top 10 News: ବର୍ଷା ନେଇ ରେଡ୍ ଆଲର୍ଟ, ଏଫଏମ କଲେଜ ଘଟଣା ଅପଡେଟ୍ ଓ ଅନ୍ୟ ଖବର
Soubhagya Ranjan Mishra|Updated: Jul 14, 2025, 03:58 PM IST
Share

Top 10 News Today

Headlines 01- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ରାଜ୍ୟପାଳ ଏବଂ ଜଣେ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ଅସିମ କୁମାର ଘୋଷଙ୍କୁ ହରିୟାଣା ରାଜ୍ୟପାଳ ଭାବେ ଦାୟୀତ୍ୱ ମିଳିଛି । ପି. ଆଶୋକ ଗଜପତି ରାଜୁ ଗୋଆ ରାଜ୍ୟପାଳ ହୋଇଛନ୍ତି । ସେହିପରି କବିନ୍ଦର ଗୁପ୍ତା ହେଲେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଉପରାଜ୍ୟପାଳ । ଲଦାଖ ଉପରାଜ୍ୟପାଳ ଥିବା ବିଡି ମିଶ୍ରଙ୍କ ଇସ୍ତଫା ଗୃହିତ ହୋଇଛି ।

Headlines 02- ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ଼ ଉସୁର ଥାନା ଧନଗୋଲ ଗାଁରେ ଅଘଟଣ ଘଟିଛି । ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଆହତଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି । ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

Headlines 03- ବାଲେଶ୍ବର ଏଫଏମ କଲେଜ୍ ଘଟଣାରେ ତିନି ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସହ ବୈଠକ ହୋଇଛି । ବିଭାଗୀୟ ସଚିବଙ୍କଠାରୁ ସବିଶେଷ ତଥ୍ୟ ନେଇଥିବା ସୂଚନା ମିଳିଛି । ପରେ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ମଧ୍ୟ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ । ଆଜି ପୁଣି FM କଲେଜରେ କ୍ରାଇମ୍‌ବ୍ରାଞ୍ଚର CAW & CWର ୨ ଜଣିଆ ଟିମ୍‌ ପହଞ୍ଚିଛନ୍ତି । ଲଗାତାର ଦ୍ବିତୀୟ ଦିନ ପାଇଁ କଲେଜରେ ପହଞ୍ଚି ପଚରାଉଚରା କରିଛନ୍ତି ଟିମ୍ । DSP ଓ ଅତିରିକ୍ତ SPଙ୍କୁ ନେଇ ଦୁଇ ଜଣିଆ ଟିମ୍‌ର ତନାଘନା ।

Headlines 04- କଂଗ୍ରେସର ଦିଲ୍ଲୀ ପ୍ରେସମିଟ୍‌କୁ ଟାର୍ଗେଟ୍‌ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ‘X’ରେ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି । ଯୋଗାଯୋଗରେ ରହି ନିଜେ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି । ବୋଧହୁଏ ମହିଳା ନିର୍ଯାତନା ନେଇ କଂଗ୍ରେସର କଳା ଇତିହାସ ଜଣା ନାହିଁ ସରକାର ଅଭିଯୁକ୍ତ ଉପରେ ନା ନରମ ହେବ ନା ଖସିଯିବାର ସୁଯୋଗ ଦେବ । କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରୁ ବୋଲି ପ୍ରଭାତି କବିଛନ୍ତି ।

Headlines 05- କାଲି ଭଳି ଆଜି ମଧ୍ୟ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଓ ଗୁରୁତର ରହିଛି ବୋଲି କହିଛନ୍ତି ଏମ୍ସ ଅଧିକ୍ଷକ ଦିଲ୍ଲୀପ କୁମାର ପରିଡ଼ା । ୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ବିଶେଷଜ୍ଞ ଦଳ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ଉନ୍ନତି ଘଟିଛି ବୋଲି କୁହାଯାଇ ପାରିବ ନାହିଁ । ଆଜି ଟିକେ ଟେମ୍ପରେଚର ଆସିଥିଲା, ଆଣ୍ଟିବାଓଟିକ୍ସ ଚାଲିଛି । ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଏହି ଘଟଣାରେ ସେ ଜିଲ୍ଲାପାଳ, ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ଆଶଙ୍କା କରିଛନ୍ତି। ଏଣୁ ଘଟଣାର ସିବିଆଇ ବା ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ। ଏନେଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ଦେବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଥିବା ଶ୍ରୀ ଜେନା କହିଛନ୍ତି। 

Headlines 06- ବାଲେଶ୍ୱର ଏଫଏମ କଲେଜ୍ ଘଟଣାକୁ ଉଦବେଗଜନକ କହିବା ସହ ଏ ବିଷୟରେ ମୋର ବି ଦାୟିତ୍ୱ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେଉଁ ଘଟଣା ଘଟିଲା ତାହାକୁ ଏକ ଦୁର୍ଘଟଣା ବୋଲି ଅଭିହିତ କରି ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଏଥିପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ମୁଁ ତାହାକୁ ଦୃଢ଼ ସମର୍ଥନ କରୁଛି। ହେଲେ ଏବେ ରାଜନୀତି କରିବାର ସମୟ ନୁହେଁ। ଏଣୁ ରାଜନୀତିକ ବୟାନବାଜୀ ସମ୍ପର୍କରେ ସେ କିଛି କହିବାକୁ ଚାହୁନାହାନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

Headlines 07- ରାଜ୍ୟରେ ଶିଶୁ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଅନାଥ ଶିଶୁ ସର୍ଭେ ଆରମ୍ଭ ହୋଇଛି। ଜୁଲାଇ ୧୧ରୁ ସାରା ରାଜ୍ୟରେ ଏହି ସର୍ଭେ ଆରମ୍ଭ ହୋଇଥିବା ବେଳେ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ଜୁଲାଇ ୨୧ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ ଏଥିରେ ଉଭୟ ପିତାମାତାଙ୍କୁ ହରାଇ ଥିବା ଶିଶୁ ପିତାଙ୍କୁ ହରାଇ ମାତାଙ୍କ ସହିତ କିମ୍ବା ମାତାଙ୍କୁ ହରାଇ ୪୦%ରୁ ଅଧିକ ଭିନ୍ନକ୍ଷମ। ଦୁରାରୋଗ୍ୟ ବ୍ୟାଧିଗ୍ରସ୍ତ କାରଣରୁ ରୋଜଗାରହୀନ ପିତାଙ୍କ ସହିତ ରହୁଥିବା ଶିଶୁମାନଙ୍କୁ ଚିହ୍ନଟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। 

Headlines 08- ଯୁବକଯୁବତୀଙ୍କୁ କଙ୍ଗାରୁ କୋର୍ଟରେ ବଳଦ ଦଣ୍ଡ ଘଟଣାରେ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ନାରାୟଣପାଟଣା ପୋଲିସ । ପେଦା ଇଟିଗି ଗାଁରୁ ଏକାଧିକ ଲୋକଙ୍କୁ ପୋଲିସ ଉଠାଇନେଇ ପଚରା ଉଚରା କରୁଛି । ଘଟଣାରେ ଆଇନମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯୁବକଯୁବତୀଙ୍କୁ କଙ୍ଗାରୁକୋର୍ଟକୁ ଟାଣିବା ଅତ୍ୟନ୍ତ ଅନୈତିକ କାମ ତେଣୁ ଆଇନ ହାତକୁ ନେଲେ ଦଣ୍ଡିତ ହେବେ । ଗାଁର କିଛି ପ୍ରଭାବଶାଳୀ ଲୋକ ଏଭଳି କାମ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Headlines 09- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ରାତିରୁ ଅନେକ ଶୈବାଳୟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ପାଣି ଢାଳିବାକୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି କାଉଡିଆମାନେ ଠିଆ ହୋଇଛନ୍ତି। ବଣାଇ ବଣେଶ୍ୱର ମନ୍ଦିର, ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ସମେତ ରାଜ୍ୟର ଅନେକ ଶୈବ ପୀଠକୁ ଦୂରଦୂରାନ୍ତରୁ କାଉଡିଆମାନେ ଜଳ ଭାର ନେଇ ଆସିଛନ୍ତି। 

Headlines 10- ବଙ୍ଗୋପ ସାଗରରେ ଏବେ ସକ୍ରିୟ ହୋଇଛି ଯୋଡ଼ା ଲଘୁଚାପ। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି। କେବଳ ଓଡ଼ିଶା ନୁହେଁ, ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଆଜି ସୋମବାର ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ଲଘୁଚାପ । ଓଡ଼ିଶାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।

Read More
{}{}