Top 10 News Today
Headlines 01- ଆଜି ରାଜ୍ୟ କ୍ୟାବିନେଟର ୨୩ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ମୋଟ ୪ ଟି ବିଭାଗର ୦୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲ । ଜଳସମ୍ପଦ ବିଭାଗର ଗୋଟିଏ, ଟି, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ( MSME) ବିଭାଗର ୧ ଟି, ଵିଧି (ଆଇନ) ବିଭାଗର ୨ଟି ଏବଂ ଅର୍ଥ ବିଭାଗର ୧ ଟି ପ୍ରସ୍ତାଵ ଗୃହୀତ ହୋଇଥିଲା ।
Headlines 02- ଆଜି ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର 'ପୁଷ୍କରା'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ କରାଯାଇଛି । ତରଙ୍ଗ ସିନେ ପ୍ରଡକସନ୍ସର ସିନେମା 'ପୁଷ୍କରା' ନିର୍ମାଣ ହୋଇଥିଲା । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା' ଶେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ପୁରା ଟିମ୍ । ଅନ୍ୟପଟେ, 'ମିସେସ୍ ଚାଟାର୍ଜୀ VS ନରୱେ' ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ରାଣୀ ମୁଖାର୍ଜୀ ହୋଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ । ସେହିପରି 'ଯବାନ' ପାଇଁ ଶାହରୁଖ ଖାନ୍ ଶ୍ରେଷ୍ଠ ଅଭିନେତା ଏବଂ 12th ଫେଲ୍ ପାଇଁ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଛି । ବିଧୁ ବିନୋଦ ଚୋପ୍ରା ପ୍ରଯୋଜିତ '12th ଫେଲ୍'ରେ IPS ମନୋଜ ଶର୍ମାଙ୍କ ସଂଘର୍ଷମୟ ଯାତ୍ରାକୁ ନେଇ ନିର୍ମାଣ କରାଯାଇଥିଲା । 'ରକି ଔର ରାନୀ କି ପ୍ରେମ୍ କାହାନୀ'କୁ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଭାବେ ମନୋନୀତ କରାଯାଇଛି ।
Headlines 03- ସେପ୍ଟେମ୍ବର ୯ ତାରିଖ ଦିନ ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ୭ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ବୋଲି ସୂଚନା ପ୍ରକାଶ ପାଇଛି । ସେପ୍ଟେମ୍ବର ୯ରେ ସକାଳ ୧୦ରୁ ସଂଧ୍ୟା ୫ ଯାଏଁ ଭୋଟ୍ ଗ୍ରହଣ ହୋଇପାରେ ବୋଲି ସୂଚନା ମିଳିଛି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ବର୍ତ୍ତମାନ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦବୀ ।
Headlines 04- ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ଚିଠି ଜାରି କରାଯାଇଛି । ଯେଉଁଥିରେ, ପ୍ରତି ଜିଲ୍ଲାରେ ପାଞ୍ଚ ଜଣ ବିଶିଷ୍ଟ ମହିଳା ବୃତ୍ତିଗତଙ୍କୁ ଚିହ୍ନଟ କରିବାକୁ ପ୍ରସ୍ତାବ ଦିଆଯାଇଛି । ଉକ୍ତ ଚିହ୍ନଟ ମହିଳାଙ୍କୁ "ଶକ୍ତି ଆପା" ଭାବରେ ନାମିତ କରାଯିବ। ଏହି ପରାମର୍ଶଦାତାମାନେ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଯୁବ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ପ୍ରତ୍ୟେକ ଶକ୍ତି ଆପାଙ୍କୁ ସମ୍ପୃକ୍ତ ଜିଲ୍ଲା କଲେକ୍ଟରଙ୍କ ଦ୍ୱାରା ଚୟନ କରାଯିବ । ଶକ୍ତି ଅପା ପ୍ରତି ତିନି ମାସରେ ଥରେ ଛାତ୍ରଛାତ୍ରୀମାନଙ୍କ ସହିତ ପାରସ୍ପରିକ କ୍ରିୟା ଏବଂ ପରାମର୍ଶ ଦେବା ପାଇଁ ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନଗୁଡ଼ିକୁ ପରିଦର୍ଶନ କରିବେ। ଶକ୍ତି ଅପାଙ୍କୁ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ (HELs) ପରିଦର୍ଶନ ପାଇଁ ଯାତ୍ରା ଏବଂ ଦୈନିକ ଭତ୍ତା (TA/DA) ସମ୍ପୃକ୍ତ HELs ଦ୍ୱାରା ବହନ କରାଯିବ।
Headlines 05- ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମ୍ ବ୍ରାଞ୍ଚ। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବର୍ତ୍ତମାନ ୭କୁ ବୃଦ୍ଧି ପାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି, କଳାହାଣ୍ଡି ଜିଲ୍ଲାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀ। ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
Headlines 06- RPF ଡିଜି ଭାବେ ଦାୟିତ୍ବ ନେଇଛନ୍ତି IPS ସୋନାଲି ମିଶ୍ର । ୧୯୯୩ ବ୍ୟାଚ୍ ମଧ୍ୟପ୍ରଦେଶ କ୍ୟାଡର ହେଉଛନ୍ତି IPS ସୋନାଲି । ସେ ପ୍ରଥମ ମହିଳା ଭାବେ RPF ଡିଜି ଭାବେ ଯୋଗ ଦେଇଛନ୍ତି ।
Headlines 07- OAS ସ୍ବାମୀ ସାର୍ଥକଙ୍କ ସଙ୍ଗୀନ ଅଭିଯୋଗ ପରେ ପତ୍ନୀ ଅର୍ଚ୍ଚନା ପ୍ରେସମିଟ୍ କରିଛନ୍ତି । ଅର୍ଚ୍ଚନା କହିଛନ୍ତି ଯେ, ଡିଭୋର୍ସ ନୋଟିସ୍ ପାଇନି, ମୁଁ ତାଙ୍କ ଘରେ ରହୁଥିଲି, ମୁଁ କେମିତି ନିର୍ଯାତନା ଦେବି ? ମୋତେ ଓ ମୋ ଛୁଆକୁ ହସ୍ପିଟାଲରେ ଏକୁଟିଆ ଛାଡ଼ି ସେ ଚାଲି ଆସିଲେ । ହସ୍ପିଟାଲ ପେମେଣ୍ଟ ସେ ଦେଇନାହାନ୍ତି ଯାହାର ସବୁ ପ୍ରମାଣ ମୋ ପାଖରେ ଅଛି । ମୋ ଶାଶୁଙ୍କ ସେବା କରିଛି, ବୋହୂର ସବୁ କର୍ତ୍ତବ୍ୟ କରିଛି । ମୁଁ ସମାଧାନ ଚାହୁଁଛି, ଗତ ୯୦ ଦିନ ଧରି ସବୁ ଚେଷ୍ଟା କଲି ଶେଷରେ ଅନ୍ୟ ଉପାୟ ନ ପାଇ ମୁଁ ଥାନାକୁ ଗଲି ବୋଲି ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି ।
Headlines 08- ଟ୍ବିନ୍ ସିଟିରୁ ବିପୁଳ କଫ୍ ସିରପ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ବାଦାମବାଡ଼ି, ମଞ୍ଚେଶ୍ବରରୁ ୨୬ ହଜାର ୬୫୮ ବୋତଲ କଫ୍ ସିରପ ଜବତ ହୋଇଛି । ରେଡ୍ ସମୟରେ ଅଭିଯୁକ୍ତର ଘରୁ ମିଳିଛି ନଗଦ ୨୫ ଲକ୍ଷ ୪୧ ହଜାର ଟଙ୍କା ଜବତ ହୋଇଛି । ଅଭିଯୁକ୍ତ ଜଣକ କୋରିଅରରେ ବିପୁଳ ପରିମାଣର କଫ୍ ସିରପ ମଗାଇଥିଲା । ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ସେପଟେ, ସମ୍ବଲପୁରରୁ ଜବତ ହେଲା ବିପୁଳ କଫ୍ ସିରପ ଓ ନିଶା ଇଞ୍ଜେକସନ । ୮୪୦ ବୋତଲ କଫ୍ ସିରପ ଓ ୧ ହଜାର ନିଶା ଇଞ୍ଜେକସନ୍ ଜବତ କରିଛି ବୁର୍ଲା ଥାନା ପୋଲିସ । ୩ ଯୁବକ ଓ ଜଣେ ମହିଳା ଗିରଫ ହୋଇଛନ୍ତି ।
Headlines 09- ଓଭାଲ୍ ଟେଷ୍ଟରେ ମାତ୍ର ୨୨୪ ରନରେ ଅଲଆଉଟ୍ ହେବା କାରଣରୁ ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ବଢିଛି । ଏହି ପିଚ୍ ରେ ଅତି କମରେ ୩୦୦ ସ୍କୋର କରିବା ଆବଶ୍ୟକ ଥିଲା କିନ୍ତୁ ଭାରତୀୟ ଖେଳାଳୀ ପ୍ରଶଂସକଙ୍କୁ ନିରାଶ କରିଥିଲେ । କେଏଲ ରାହୁଲ ପ୍ରଥମ ଇନିଂସରେ ୪୦ ବଲ୍ ଖେଳି ମାତ୍ର ୧୪ ରନ୍ ସଂଗ୍ରହ କରିବା ପରେ ଆଉଟ ହୋଇଥିଲେ। ଅଧିନାୟକ ଗିଲ୍ ୩୪ ବଲ୍ ରେ ୨୧ ରନ୍ ହାସଲ କରିଥିଲେ । କିନ୍ତୁ ଗିଲ୍ ୩୫ତମ ବଲ୍ ରେ ରନ୍ ଆଉଟ୍ ହୋଇଯାଇଥିଲେ। ସାଇ ସୁଦର୍ଶନ ୧୦୮ ବଲ୍ ବୋଲିଂ କରି ୩୮ ରନ୍ ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ। ଜୁରେଲ୍ ଏବଂ ସୁନ୍ଦର ମଧ୍ୟ ସେଟ୍ ହେବା ପରେ ଆଉଟ୍ ହୋଇଥିଲେ। ଟିମ୍ ଇଣ୍ଡିଆର ଶେଷ ତିନି ଜଣ ବ୍ୟାଟ୍ସମ୍ୟାନ୍ ନିଜ ସ୍କୋର୍ ଖାତା ଖୋଲି ପାରିନଥିଲେ।
Headlines 10- ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ଚିଠି ଲେଖିଛନ୍ତି ସରକାର । RBI ୨ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି ଏବଂ ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ । କମିଟି ଅନୁମତିରେ ରତ୍ନ ସବୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ସେ ପ୍ରକ୍ରିୟା ସରିବା ପରେ RBI ଅଧିକାରୀଙ୍କୁ ତାରିଖ ଜଣାଯିବ ଏହାପରେ ଏକ୍ସପର୍ଟ ଆସି ଗଣତିମଣତି କରିବେ ।