ଶରଧା ବାଲିରେ ଲାଗିଲା ତିନି ରଥ
ଆଜି ଶରଧା ବାଲିରେ ଲାଗିଛି ତିନି ରଥ। ଗତକାଲି ବିଳମ୍ବ ହେତୁ ରଥ ଟଣା ହୋଇପାରିନଥିଲା। ବଳଭଦ୍ରଙ୍କ ରଥ କିଛି ବାଟ ଯାଇ ରହିଯାଇଥିବା ବେଳେ ନନ୍ଦିଘୋଷ ରଥ ଟଣା ହୋଇପାରିନଥିଲା। ଫଳରେ ଆଜି ସକାଳ ପ୍ରାୟ ୯ଟାରୁ ରଥଟଣା ଆରମ୍ଭ ହୋଇଥିଲା। ଯାହା ଦିନ ପ୍ରାୟ ସାଢେ ଗୋଟାଏରୁ ୨ଟା ମଧ୍ୟରେ ଶରଧାବାଲିରେ ତିନି ରଥ ଲାଗିଥିଲା। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ଶରଧାବାଲି। ସମସ୍ତ ତିନୋଟି ରଥ ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଶରଧାବାଲିରେ ଅଟକି ରହିଛି। ତାଳଧ୍ୱଜ ଓ ଦର୍ପଦଳନ ପରେ ଶରଧାବାଲିରେ ପହଞ୍ଚିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ।
ରଥଯାତ୍ରା ବିଳମ୍ବ ନେଇ ନବୀନଙ୍କ ଉଦବେଗ
ରଥଯାତ୍ରା ପରିଚାଳନା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ରଥଟଣା ବିଳମ୍ବକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେ, ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବ ପାଇଁ ଆମେ ପ୍ରଶାସନକୁ ଆଙ୍ଗୁଳି ଦେଖାଉନୁ ବରଂ ଏଥିପାଇଁ ଆମେ ସମସ୍ତେ ଚିନ୍ତିତ ଅଛୁ। ବିଶ୍ଵପ୍ରସିଦ୍ଧ ତଥା ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ରଥଯାତ୍ରା। ସେଥିପାଇଁ ସେ ଗମ୍ଭୀର ଚିନ୍ତିତ ଥିବା କହିଛନ୍ତି। ଗତବର୍ଷର ଆଡପ ବିଜେ ପହଣ୍ଡି ସମୟର ଅଘଟଣ ଭୁଲିବା କଷ୍ଟକର ବୋଲି ନବୀନ କହିଛନ୍ତି। କାଲି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସିଂହଦ୍ୱାରରେ ନନ୍ଦିଘୋଷ ରହିଥିଲା। ଦିନ ଶେଷ ହେବା ପୂର୍ବରୁ କେବଳ କିଛି ମିଟର ଆଗକୁ ବଢିଥିଲା। କାହିଁକି ଏତେ ବିଳମ୍ବ ହେଲା ବୋଲି ସେ କହିଛନ୍ତି।
୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା
ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ଏବଂ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଭୁବନେଶ୍ୱର ଏବଂ କଟକ ସହର ପାଇଁ ମଧ୍ୟ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଆଇଏମଡିର ବିଜ୍ଞପ୍ତି ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କଟକ, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଅନୁଗୁଳ, ବରଗଡ଼ ଏବଂ ସୁନ୍ଦରଗଡ଼କୁ ଅରେଞ୍ଜ ସତର୍କତା ଜାରି କରାଯାଇଛି।
ପୁରୀରେ ଗୌତମ ଅଦାନୀ
ଓଡ଼ିଶା ଗସ୍ତରେ ରହିଛନ୍ତି ଶିଳ୍ପପତି ତଥା ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ। ସେ ପୁରୀ ଗସ୍ତରେ ଯାଇ ପତ୍ନୀ ପ୍ରୀତି ଆଦାନୀ ଏବଂ ପୁଅ କରଣ ଆଦାନୀଙ୍କ ସହିତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ସହିତ ସେ ରଥକୁ ପ୍ରଣାମ କରିଥିଲେ ଏବଂ ରଥକୁ ସ୍ପର୍ଶ କରି ଭଗବାନଙ୍କ ଆଶୀର୍ବାଦ ନେଇଥିଲେ। ଏହା ପରେ, ସେ ଇସ୍କନର ରୋଷେଇ ଘରକୁ ମଧ୍ୟ ଗସ୍ତ କରିଥିଲେ। ମହାପ୍ରସାଦ ସେବା କରିଥିଲେ। ପ୍ରବଳ ବର୍ଷା ମଧ୍ୟରେ ପରିବାର ସହିତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପହଞ୍ଚିବା ଦ୍ୱାରା ଆଦାନୀ ଗ୍ରୁପ୍ ଅଧ୍ୟକ୍ଷଙ୍କ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଅନୁମାନ କରାଯାଇପାରେ।
ସୋମବାର ଶୁଣାଣୀ କରିବେ ମୁଖ୍ୟମନ୍ତ୍ରୀ
ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ହେବ। ଏଥିଲାଗି ଆଜି ଦିନ ୧୨ଟାରୁ ପଞ୍ଜିକରଣ ଆରମ୍ଭ ହେବ। ୧୦୦୦ ଜଣଙ୍କ ଆବେଦନକୁ ହିଁ ଜନ ଶୁଣାଣୀରେ ଗ୍ରହଣ କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।
ହୃଦଘାତରେ 'କାଣ୍ଟା ଲାଗା' ଗାର୍ଲଙ୍କ ମୃତ୍ୟୁ
ବିଗବସ ଫେମ ତଥା ‘କାଣ୍ଟା ଲଗା ଗାର୍ଲ’ ଭାବରେ ଜଣାଶୁଣା ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ହୋଇଛି। ଏହି ଖବର ଏଣ୍ଟରଟେନମେଣ୍ଟ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ଅନେକ ସେଲିବ୍ରିଟି ଏବଂ ଶେଫାଲିଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଅଭିନେତ୍ରୀଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ପ୍ରକାଶ କରାଯାଇଛି। ତେବେ ମାତ୍ର ୪୨ ବର୍ଷ ବୟସରେ ଶେଫାଲିଙ୍କ ଦେହାନ୍ତ ହୋଇଛି।
ପରାଗ ଜୈନ RAWର ମୁଖ୍ୟ ନିଯୁକ୍ତ
ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’କୁ ମିଳିଲା ନୂଆ ବସ୍। ପରାଗ ଜୈନଙ୍କୁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ ’ର’ ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ପରାଗ ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର। ‘ର’ ଚିଫ୍ ଭାବରେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷର ରହିବ। ସେ ରବି ସିହ୍ନାଙ୍କ ସ୍ଥାନ ନେବେ, ତାଙ୍କ କାର୍ଯ୍ୟକାଳ ୩୦ ଜୁନ୍ରେ ଶେଷ ହେବାକୁ ଯାଉଛି। ପରାଗ ବର୍ତ୍ତମାନ ବିମାନ ଅନୁସନ୍ଧାନ କେନ୍ଦ୍ରର ନେତୃତ୍ବ ନେଉଛନ୍ତି। ଏହି ରିସର୍ଚ୍ଚ ସେଣ୍ଟରରେ ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନୀ ସଶସ୍ତ୍ର ବାହିନୀ ବିଷୟରେ ଗୁଇନ୍ଦା ସୂଚନା ଏକାଠି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପରାଗ। ତାଙ୍କୁ ପାକିସ୍ତାନ ମାମଲାର ବିଶେଷଜ୍ଞ ଭାବରେ ମଧ୍ୟ ଜଣାଯାଏ।
ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ୍ ଯବାନ ମୃତ
ଉତ୍ତରପଶ୍ଚିମ ପାକିସ୍ତାନରେ ଶନିବାର ଆତ୍ମଘାତୀ ବିସ୍ଫୋରଣରେ ୧୩ ପାକ୍ ଯବାନଙ୍କ ମୃତ୍ୟୁ ଘଟିଛି । ଖାଇବର ପଖଟୁଙ୍ଖୱା ଉତ୍ତର ୱାଜିରିସ୍ତାନରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି । ୧୩ ପାକ୍ ଯବାନଙ୍କ ମୃତ୍ୟୁ ହେବା ସହ ଆଉ ୧୦ ଜଣ ଯବାନ ଗୁରୁତର ହୋଇଛନ୍ତି । ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଛନ୍ତି । ସେନା ଗାଡିକୁ ଟାର୍ଗେଟ୍ କରି ବିସ୍ଫୋରକ ଭର୍ତ୍ତି ଗାଡି ଧକ୍କା ଦେବାରୁ ଏହା ଘଟିଛି । ବିସ୍ଫୋରଣ କାରଣରୁୁ ଅନେକ ଘରର ଛାତ ଉଡି ଯାଇଛି । ଆହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।
ବାଂଲାଦେଶରେ ଦୁର୍ଗା ମନ୍ଦିର ଭାଙ୍ଗିଲେ ଚରମପନ୍ଥୀ
ବାଂଲାଦେଶ ରାଜଧାନୀ ଢାକାର ଖିଲଖେଟରେ ଏକ ଦୁର୍ଗା ମନ୍ଦିରକୁ ଇସ୍ଲାମିକ ଚରମପନ୍ଥୀମାନେ ଭାଙ୍ଗି ଦେଇଛନ୍ତି। ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ୍ କରି ଏଭଳି ମନ୍ଦିର ଭଙ୍ଗାଯିବା ଘଟଣାକୁ ଭାରତ କଡ଼ା ନିନ୍ଦା କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ଆମେ ଜାଣୁ ଯେ ଖିଲଖେଟରେ ଦୁର୍ଗା ମନ୍ଦିର ଭାଙ୍ଗିବାପାଇଁ ଚରମପନ୍ଥୀମାନେ ଘୋଷଣା କରିଥିଲେ। କିନ୍ତୁ ମହମ୍ମଦ ୟୁନୁସ୍ଙ୍କ ଅନ୍ତରୀଣ ସରକାର ମନ୍ଦିରକୁ ସୁରକ୍ଷା ଦେବା ବଦଳରେ ଏହି ମାମଲାରେ ଚରମପନ୍ଥୀଙ୍କ ପକ୍ଷ ନେଇଛନ୍ତି।
କୋଲକାତା ଗଣଦୁଷ୍କର୍ମ ମାମଲା: ସୁରକ୍ଷାକର୍ମୀ ଗିରଫ
କଲେଜ ପରିସରରେ ଜଣେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଶନିବାର ଦିନ କୋଲକାତା ପୁଲିସ ଦକ୍ଷିଣ କୋଲକାତା ଆଇନ କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ଏହା ହେଉଛି ଏହି ମାମଲାର ଚତୁର୍ଥ ଗିରଫ। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଥିବା ଜଣେ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇସାରିଛି।