1. ଆଜି ବିଶ୍ୱ ହସ୍ତୀ ଦିବସ
ଆଜି ବିଶ୍ୱ ହସ୍ତୀ ଦିବସ। ବେଆଇନ ଶିକାର ବନ୍ଦ, ହାତୀଦାନ୍ତ କାରବାରକୁ ହତୋତ୍ସାହ କରିବା ଏବଂ ହାତୀଙ୍କ ଆବାସଗୁଡ଼ିତକୁ ସଂରକ୍ଷଣ କରିବା ଦିଗରେ ଏହି ଦିବସ ଏକ ଗୁରୁତ୍ୱପୂର୍ଣ୍ର ଭୂମିକା ଗ୍ରହଣ କରିଥାଏ। ବିଶ୍ୱବାସୀଙ୍କୁ ଏ ଦିଗରେ ସଚେତନତା ସୃଷ୍ଟି କରିବାଲାଗି ବିଭିନ୍ନ ସଂଗଠନ ସରକାର ଓ ସାଧାରଣ ନାଗରିକ ସଚେତନତା ଦିବସ ପାଳନ କରିଥାଆନ୍ତି।
2. ଡ୍ରପ ବକ୍ସ ଭିସା ବନ୍ଦ କରିବ ଆମେରିକା
ଭାରତୀୟଙ୍କ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଡ୍ରପ୍ ବକ୍ସ ଭିସା ବନ୍ଦ କରିବାକୁ ଯାଉଛି। ସେପ୍ଟେମ୍ବର ୨ ତାରିଖରୁ ଏହା ଲାଗୁ ହେବ। ଯୋଗ୍ୟ ବ୍ୟକ୍ତି, ଛାତ୍ର ଓ ଶ୍ରମିକଙ୍କୁ ବିନା କୌଣସି ଇଣ୍ଟରଭ୍ୟୁରେ ଭିସା ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ହେଉଛି ଡ୍ରପ୍ ବକ୍ସ ଭିସା। ନିର୍ଦ୍ଧାରିତ ଅଧିକାରୀଙ୍କ ପାଖରେ ନଥିପତ୍ର ଜମାକରିଲେ ଏହି ଭିସା ୁପଲବ୍ଧ ହୋଇଥାଏ।
3. ବଲୋଚ ମୁକ୍ତି ବାହିନୀକୁ ବେଆଇନ ଘୋଷଣା କଲା ଆମେରିକା
ପାକିସ୍ତାନରେ ବଲୋଚିସ୍ତାନକୁ ସ୍ୱାଧୀନ କରିବା ଲାଗି କାର୍ଯ୍ୟ କରୁଥିବା ବଲୋଚ ମୁକ୍ତି ବାହିନୀ ( ବିଏଲଏ)କୁ ବେଆଇନ ଘୋଷଣା କରିଛି ଆମେରିକା। ଏହାକୁ ବିଦେଶୀ ଆତଙ୍କବାଦୀ ସଂଗଠନର ଆଖ୍ୟା ଦେଇଛି। ୨୦୧୯ରେ ଆମେରିକା ଏହାକୁ ସ୍ୱତନ୍ତ୍ର ବିଶ୍ୱ ଆତଙ୍କବାଦୀ ସଂଗଠନ ଭାବେ ଚିହ୍ନିତ କରିଥିଲା।
4. ଜେଲେନସ୍କିଙ୍କ ସହ କଥା ହେଲେ ମୋଦୀ
ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗଲା ୪ ବର୍ଷ ହେଲା ଋଷ ବିପକ୍ଷରେ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ଶାନ୍ତିପୂର୍ଣ୍ଣ ଉପାୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଜେଲେନସ୍କି। ଭାରତ ଏ ଦିଗରେ ଯଥାସମ୍ଭବ ଅବଦାନ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୋଦି। ଏହାସହ ଦୁଇ ରାଷ୍ଟ୍ର ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ଶକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି। ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧକୁ ଅନ୍ତ କରିବା ପାଇଁ କୂଟନୀତିକ ହସ୍ତକ୍ଷେପକୁ ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କିତ ସମସ୍ତ ବିଷୟ ୟୁକ୍ରେନର ଭାଗିଦାରୀରେ ହିଁ ହୋଇପାରିବ ବୋଲି କହିଛନ୍ତି ଜେଲେନସ୍କି। ଋଷର ଅର୍ଥନୀତିକ ମେରୁଦଣ୍ଡକୁ ଦୁର୍ବଳ କରିବା ଲାଗି ତୈଳ ରପ୍ତାନୀ ସୀମିତ କରିବା ଦିଗରେ ପଦକ୍ଷେପ ନେବାକୁ ଜେଲେନସ୍କି ମୋଦୀଙ୍କ ଦୃଷ୍ଟି ଆକର୍ର୍ଷଣ କରିଥିବା ସେଶାଲ୍ ମିଡିଆରେ କହିଛନ୍ତି।
5. ଭାରତକୁ ପରମାଣୁ ଧମକ ଦେଲା ଅସୀମ ମୁନୀର
ଆମେରିକାରୁ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ୍ ଅସୀମ ମୁନୀରଙ୍କ ପରମାଣୁ ଧମକକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। ଭାରତ ଏପରି ଆଣବିକ ବ୍ଲାକମେଲ୍କୁ ଖତିର କରେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବାର୍ତ୍ତାରେ କୁହାଯାଇଛି। ଯଦି ଭାରତ ସିନ୍ଧୁ ନଦୀ ଉପରେ ବନ୍ଧ ନିର୍ମାଣ କରେ ତେବେ ପାକିସ୍ତାନ ଏହାକୁ ବିରୋଧ କରିବା ସହ ସମସ୍ତ ମୂଲ୍ୟ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ ମୁନୀର। ଏପରିକି ଏହି ବନ୍ଧକୁ ପାକିସ୍ତାନ ଉଡ଼ାଇ ଦେବ ବୋଲି ସେ କହିଥିଲେ।
6. ଭାରତୀୟ କୁଟନୀତିଜ୍ଞଙ୍କ ଉପରେ ଦାଉ ସାଧୁଛି ପାକିସ୍ତାନ
ପାକିସ୍ତାନରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଦାଉ ସାଧୁଛି ପାକିସ୍ତା। ଏଠାରେ ଥିବା ଦୂତାବାସ କର୍ମଚାରୀଙ୍କୁ ପାଣି, ଗ୍ୟାସ୍ ପାଇପ୍ ଲାଇନ୍ ଯୋଗାଣରେ ପ୍ରତିବନ୍ଧକ ଲଗାଯାଉଛି। ଏହି ଖବର ପ୍ରସାରିତ ହେବା ପରେ ଭାରତ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
7. ହାଇସ୍କୁଲ ପରୀକ୍ଷା ଢାଞ୍ଚାରେ ବଡ଼ ପରିବର୍ତ୍ତନ କରିବ ସିବିଏସଇ
କେନ୍ଦ୍ରୀୟ ମାଧ୍ୟମିକ ପରୀକ୍ଷା ବୋର୍ଡ ସିବିଏସ୍ଇ ଆସନ୍ତା ବର୍ଷଠାରୁ ହାଇସ୍କୁଲ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହିକ୍ରମରେ ‘ଓପନ୍ ଏକଜାମ’ ବା ମୁକ୍ତ ପରୀକ୍ଷା ଢାଞ୍ଚାକୁ ଲାଗୁ କରିବ ବୋର୍ଡ। ଏହି ଢାଞ୍ଚାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ବହି ବା ନୋଟ୍ ଦେଖିବାକୁ ସୁଯୋଗ ମିଳିବ। ହେଲେ ଉତ୍ତର ତାଙ୍କ ସୃଜନଶୀଳତା ଉପରେ ନିର୍ଭର କରିବ। ଆସନ୍ତା ବର୍ଷ ନବମ ଶ୍ରେଣୀରେ ଏହି ବ୍ୟବସ୍ଥା ଲାଗୁ ହେବାର ସମ୍ଭାବନା ରହିଛି।
8. ୱାସିଂଟନ ଡିସିକୁ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ
ଦିଲ୍ଲୀରୁ ଓ୍ୱାସିଂଟନ୍ ଡିସିକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଚଳାଚଳକୁ ନିଲମ୍ବନ କରାଯିବ। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୧ ତାରିଖରୁ ଏହି ଉଡ଼ାଣ ବନ୍ଦ ରହିବ ବୋଲି ଏକ ପ୍ରେସ ବାର୍ତ୍ତାରେ ସୂଚନା ଦିଆଯାଇଛି। ପାକିସ୍ତାନୀ ଆକାଶ ମାର୍ଗ ବନ୍ଦ ରହିବା ଏବଂ ବୋଇଂ ବିମାନର ଉପଲବ୍ଧତା ଅଭାବରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
9. ନୂଆଦିଲ୍ଲୀରେ କଂଗ୍ରେସର ଶୋଭାଯାତ୍ରା
ଭୋଟ ଚୋରି ଅଭିଯୋଗକୁ କେନ୍ଦ୍ରକରି କଂଗ୍ରେସ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସଂସଦ ଭବନଠାରୁ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟାଳୟ ଯାଏ ଏହି ଶୋଭାଯାତ୍ରା ହେବାରେ ଥିଲେ ମଧ୍ୟ ପୁଲିସ ତାଙ୍କୁ ଅଧାରୁ ଅଟକାଇଥିଲା। ୩୦ ସାଂସଦଙ୍କୁ ନିର୍ବାଚନ କମିଶନଙ୍କୁ ଭେଟିବା ଲାଗି ଅନୁମତି ଥିବାବେଳେ ୨୦୦ ସାଂସଦ ନେଇ ଶୋଭାଯାତ୍ରା ଆଗକୁ ବଢ଼ୁଥିବାରୁ ଏପରି ପଦକ୍ଷେପ ନେବାକୁ ପଡ଼ିଥିବା ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି।
10. ଗୃହରେ କଂଗ୍ରେସର ହଟ୍ଟଗୋଳ
ଶୋଭାଯାତ୍ରାକୁ ଯିବା ପୂର୍ବରୁ କଂଗ୍ରେସ ଓ ଅନ୍ୟ ସମର୍ଥିତ ଦଳମାନେ ସଂସଦର ଉଭୟ ଗୃହକୁ ଚଳାଇବାକୁ ଦେଇ ନଥିଲେ। ଫଳରେ ବାଚସ୍ପତି ଏହାକୁ ମୁଲତବୀ କରିଥିଲେ। ଅପରାହ୍ଣ ୨ଟା ବେଳେ ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଗୃହ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଗୃହରେ ସଂଶୋଧିକ ଆୟକର ବିଧେୟକ- ୨୦୨୫କୁ ଉପସ୍ଥାପନ କରାଯାଇ ପାରିତ କରାଯାଇଥିଲା। ସେହିପରି କ୍ରୀଡ଼ା ପ୍ରଶାସନ ଆଇନ ଏବଂ ଡୋପିଂ ନିରୋଧ ବିଧେୟକ ୨୦୨୫କୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଏହି ଦୁଇ ବିଧେୟକ ମଧ୍ୟ ପାରିତ ହୋଇଛି।