1. ଋଷରୁ ତୈଳ କିଣିବା ବନ୍ଦ କଲା ଭାରତ
ଋଷରୁ ତୈଳ କିଣିବା ବନ୍ଦ କରିଛନ୍ତି ଭାରତୀୟ କମ୍ପାନୀ। ଗଲା ସପ୍ତାହରେ କୌଣସି ଅଶୋଧିତ ତୈଳ ସରକାରୀ କମ୍ପାନୀମାନେ କିଣି ନଥିବା ନେଇ ଏକ ଖବର ରଏଟର ପ୍ରକାଶ କରିଛି। ଏଥିରେ କୁହାଯାଇଚଇ ଯେ, ବିଶ୍ୱର ତୃତୀୟ ବୃହତ ତୈଳ ଆମଦାନକାରୀ ରାଷ୍ଟ୍ର ଭାରତ ଏବେ ଋଷରୁ ତୈଳ ଆମଦାନୀ କରିବା ବନ୍ଦ କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଏପରି କରାଯାଇଥିବା ନେଇ ଆଲୋଚନା ହେଉଛି।
2. ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦାବି
ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ତାଙ୍କୁ ଏଥିଲାଗି ନୋବେଲ୍ ଶାନ୍ତି ପୁରସ୍କାର ମିଳିବା ଉଚିତ ବୋଲି ଆମେରିକୀୟ ପ୍ରେସ ଅଧିକାରୀ କହିଛନ୍ତି। ଗଲା ୬ ମାସ ହେଲା ମାସକୁ ଗୋଟିଏ ଯୁଦ୍ଧ ବନ୍ଦ କରୁଛନ୍ତି ରାଷ୍ଟ୍ରପତି ବୋଲି ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କ୍ୟାରୋଲିନ୍ ଲେଭିଟ୍ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ଉଦ୍ୟମରେ ଇସ୍ରାଏଲ୍-ଇରାନ, ଥାଇଲାଣ୍ଡ-କାମ୍ବୋଡିଆ, ରାଓ୍ୱାଣ୍ଡା କଙ୍ଗୋ, ସର୍ବିୟା-କୋସୋଭୋ, ଇଜିପ୍ଟ-ଇଥିଓପିଆ ଏବଂ ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ବନ୍ଦ ହୋଇଛି।
3. ଆମଦାନୀ ଶୁଳ୍କକୁ ହ୍ରାସ କରିଛନ୍ତି ଟ୍ରମ୍ପ
ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ଉପରେ ଆମଦାନୀ ଶୁଳ୍କକୁ ହ୍ରାସ କରିଛନ୍ତି ଟ୍ରମ୍ପ। ନୂଆ ଘୋଷଣା ଅନୁସାରେ ଏହି ଦୁଇ ଦେଶ ଉପରେ ୩୬ ପ୍ରତିଶତ ଟିକସ ଘୋଷଣା କରାଯାଇଥିଲା। ଯେତେବଳେ ଦୁଇ ଦେଶ ଲଢ଼େଇ କରିଥିଲେ ସେତେବେଳେ ଟ୍ରମ୍ପ ଯୁଦ୍ଧ ଶେଷ ନକଲେ ଏ ଦୁଇ ଦେଶ ସହ ବାଣିଜ୍ୟ ଚୁକ୍ତିକୁ ବନ୍ଦ କରିଦିଆଯିବ ବୋଲି ଆମେରିକା ଧମକ ଦେଇଥିଲା। ଏବେ ଦୁଇ ଦେଶ ଯୁଦ୍ଧ ବିରତି କରିଥିବାରୁ ଏହି ଟିକସ ପରିମାଣକୁ ହ୍ରାସ କରାଯାଇଛି।
4. ଲାଗୁ ହେଲା ଟ୍ରମ୍ପଙ୍କ ନୂଆ ଆମଦାନୀ ଶୁଳ୍କ
ଟ୍ରମ୍ପଙ୍କ ନୂଆ ଆମଦାନୀ ଶୁଳ୍କ ଆଜିଠାରୁ ଲାଗୁ ହୋଇଚି। ଅର୍ଥାତ୍ ଆଜିଠାରୁ ଆମେରିକାକୁ ପ୍ରବେଶ କରୁଥିବା ବିଭିନ୍ନ ଦେଶର ସାମଗ୍ରୀ ଉପରେ ଟିକସ ପରିମାଣ ନୂଆ ଧାର୍ଯ୍ୟ ଅନୁସାରେ ଆଦାୟ ହେବ। ଏହିକ୍ରମରେ ବ୍ରାଜିଲ ଉପରେ ସର୍ବାଧିକ ୫୦%, ଶୁଳ୍କ ରହିଥିବାବେଳେ, ସ୍ୱିଜରଲାଣ୍ଡ ଉତ୍ପାଦ ଉପରେ ୩୯%, କାନାଡ଼ା ଉପରେ ୩୫%, ଭାରତ ଉପରେ ୨୫%, ତାଇଓ୍ୱାନ ଉତ୍ପାଦରେ ୨୦% ଶୁଳ୍କ ଲାଗୁ ହେବ।
5. ରାତାରାତି ସୁଧୁରିବନି ବାଣିଜ୍ୟ ସମ୍ପର୍କ
ଭାରତ ସହ ଆମେରିକାର ବାଣିଜ୍ୟ ସମ୍ପର୍କ ରାତାରାତି ବଦଳିଯିବ ନାହିଁ। ଏଥିରେ ସୁଧାର ପାଇଁ ସମୟ ଲାଗିବ। ଏ ସମ୍ପର୍କରେ ଅନେକ ଜଟିଳ ବିଷୟ ରହିଛି। ଏଥିଲାଗି ସମୟ ଲାଗିବ ବୋଲି କହିଛନ୍ତି ହ୍ୱାଇଟ୍ ହାଉସ୍ କର୍ମକର୍ତ୍ତା। ଅପରପକ୍ଷେ ଇରାନୀୟ ପେଟ୍ରୋ କେମିକାଲ୍ ଉତ୍ପାଦ ବିକ୍ରି ଅଭିଯୋଗରେ ୬ ଭାରତୀୟ କମ୍ପାନୀ ଉପରେ କଟକଣା ଲଗାଇଛି ଆମେରିକା।
6. ସ୍ୱାର୍ଥ ରକ୍ଷା ଲାଗି ଆବଶ୍ୟକ ପଦକ୍ଷେପ ନେବ ଭାରତ: ପିୟୁଷ ଗୋଏଲ
ଦେଶର ସ୍ୱର୍ଥ ରକ୍ଷା ଲାଗି ଭାରତର ସରକାର ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ଲୋକସଭାରେ ଟ୍ରମ୍ପଙ୍କ ନୂଆ ଶୁଳ୍କ ଘୋଷଣା ପ୍ରତିବାଦରେ ସେ ଏହା କହିଛନ୍ତି।
7. କନସଲଟାଣ୍ଟ ନିଯୁକ୍ତି ପୂର୍ବରୁ ଅନୁମତି ଲୋଡା
ଏଣିକି କୌଣସି ସରକାରୀ କାର୍ଯ୍ୟାଳୟରେ କନ୍ସଲଟାଣ୍ଟ ନିଯୁକ୍ତି କରିବାକୁ ହେଲେ ପୂର୍ବରରୁ ଅର୍ଥ ବିଭାଗର ଅନୁମତି ନେବାକୁ ହେବ। ନହେଲେ ସେମାନଙ୍କୁ ଦରମା ମିଳିବ ନାହିଁ। ଏପରି ଏକ ଆଦେଶ କରିଛନ୍ତି ରାଜ୍ୟ ସରକାର। କାର୍ଯ୍ୟାଳୟରେ ଉପଯୁକ୍ତ ବ୍ୟକ୍ତି ନିଯୁକ୍ତ ଥାଇ ମଧ୍ୟ କନ୍ସଲଟାଣ୍ଟ ଭାବେ ବାହାର ପ୍ରଫେସନାଲ୍କୁ ନିଯୁକ୍ତି କ୍ଷେତ୍ରରେ କଟକଣା ଦେବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି। ଏଣୁ ୨୦୨୬ ଏପଅିଲ ପହିଲାରେ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ତାଙ୍କର କେତେ କନ୍ସଲଟାଣ୍ଟ ଆବଶ୍ୟକ ସେ ବାବଦରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
8. ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଦଳାଚକଟା ରିପୋର୍ଟ ହସ୍ତାନ୍ତର କଲେ ଅନୁ
ପୁରୀ ରଥଯାତ୍ରା ସମୟରେ ଦଳଚକଟା ଜନିତ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଅଧିକାରୀ ଅନୁଗର୍ଗଙ୍କ ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିଛନ୍ତି। ଏ ଘଟଣାରେ କିଏ ଦାୟୀ, କେଉଁଟି ତ୍ରୁଟି ଆସିଥିଲା ସେ ବାବଦରେ ତଦନ୍ତ କରି ଏକ ମାସ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନଙ୍କୁ ଦାୟିତ୍ୱ ଦେଇଥିଲେ। ଆଜି ସମୟ ଅନୁସାରେ ଶ୍ରୀମତୀ ଗର୍ଗ ନିଜ ରିପୋର୍ଟ ଉପସ୍ଥାପନ କରିଛନ୍ତି।
9. ଆଇଏଏସ ଧୀମାନ ଚକମାଙ୍କୁ ମିଳିଲା ଜାମିନ
୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଘଟଣାରେ ଗିରଫ ହୋଇଥିବା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଜାମିନ ମିଳିଛି। କିନ୍ତୁ ସେ ପ୍ରତିଟି କୋର୍ଟ ତାରିଖରେ ହାଜର ହେବେ ଏବଂ ବିନା ଅନୁମତିରେ ନିଜର ବ୍ୟକ୍ତିଗତ ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ପରିବର୍ତ୍ତନ କରିପାରିବେ ନାହିଁ କି ବିଦେଶ ଯାତ୍ରା କରି ନପାରିବାର ସର୍ତ୍ତ ରଖିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଜୁନ୍ ୮ ତାରିଖରୁ ସେ ଭବାନୀପାଟଣା ଜେଲରେ ବନ୍ଦୀ ଥିଲେ।
10. ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ଭିତରକନିକା ଜାତୀୟ ଉଦ୍ୟାନକୁ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି। ମେ ୧ ତାରିଖରୁ ନିର୍ଦ୍ଧାରିତ ସମୟ ଯାଏ ଏହି ଉଦ୍ୟାନ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରଯାଇ ଥାଏ। କୁମ୍ଭୀରଙ୍କ ପ୍ରଜନନ ଋତୁ ହୋଇଥିବାରୁ ଏହି ସମୟରେ କୌଣସି ପର୍ଯ୍ୟଟକ ଭିତରକନିକା ପରିଦର୍ଶନ କରିପାରିବେ ନାହିଁ। ଏବେ ୪ଟି ଗେଟ୍ ଦେଇ ଭିତରକନିକାରେ ପ୍ରବେଶ କରି ହେବ। ଏଥିପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି।