Home >>Top 10 News

Top 10 News Today:ଅନ୍ତର୍ଜାତୀୟ ଯୋଗ ଦିବସ, ୨୪ରୁ ପ୍ରବଳ ବର୍ଷା ଆଶଙ୍କା ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today:ଅନ୍ତର୍ଜାତୀୟ ଯୋଗ ଦିବସ, ୨୪ରୁ ପ୍ରବଳ ବର୍ଷା ଆଶଙ୍କା ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Jun 21, 2025, 08:27 AM IST
Share

୨୦୪୭ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ଲକ୍ଷ୍ୟ
ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଓଡ଼ିଶା ଭିଜନ ପୁସ୍ତକ ଉନ୍ମୋଚିତ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୩୬ ସୁଦ୍ଧା ଓଡ଼ିଶାକୁ ସଂପୂର୍ଣ୍ଣ ବିକଶିତ ଓଡ଼ିଶା ଭାବେ ଗଢ଼ିବାକୁ ଏଥିରେ ରଣନୀତି ପ୍ରସ୍ତୁତ କରାଯାଇଛି । ସେହିପରି ୨୦୪୭ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ସହ ଦେଶରେ ବିକାଶରେ କର୍ଣ୍ଣଧାର ସାଜିବ ସେଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କାମ ଆରମ୍ଭ କରିଛନ୍ତି ମୋହନ ସରକାର । ସଭାକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ଭିଜନ ଓଡ଼ିଶା ସଂପର୍କରେ କହିଛନ୍ତି, ଓଡ଼ିଶାକୁ ସଂପୂର୍ଣ୍ଣ ବିକଶିତ କରିବା ପାଇଁ ମୋହନ ସରକାର ପୂରା ଶକ୍ତି ଲଗାଇ କାମ କରୁଛନ୍ତି । ଓଡ଼ିଶାର ପ୍ରତିଭାବାନ ଯୁବକଙ୍କୁ ନେଇ ସେହି ସ୍ୱପ୍ନକୁ ଆମେ ସମସ୍ତେ ସଂପୂର୍ଣ୍ଣ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  

ମହାପ୍ରଭୁଙ୍କ ପାଇଁ ଦଶମୂଳ ମୋଦକ
ସ୍ନାନପୂର୍ଣ୍ଣିମା ପରଠାରୁ ଜ୍ବରରେ ପଡିଥିବା ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଦଶମୂଳ ମୋଦକ । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତି ସହ ରାଜବୈଦ୍ୟ ମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶମୂଳାରିଷ୍ଟ। ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟମାନେ ପ୍ରସ୍ତୁତ କରି  ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିଛନ୍ତି ।  

ଅନ୍ତର୍ଜାତୀୟ ଯୋଗ ଦିବସ: ମାନସିକ ରୋଗରୁ ମୁକ୍ତି ଦିଏ ଯୋଗ
ସୁସ୍ଥ ଜୀବନ ପାଇଁ ଦରକାର ଯୋଗ । କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ । ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁର । ଆଜି କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୧ ବର୍ଷରେ ପହଞ୍ଚିଛି । 

ବଢିଲା ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ
 IAS ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି କାରଣ ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ ହୋଇଯାଇଛି । ପୂର୍ବରୁ ଓଡ଼ିଶା ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲାଞ୍ଚ ମାମଲାରେ ୧୦ ଲକ୍ଷ ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ବାସଭବନରେ ରେଡ୍‌ CBI ପକ୍ଷରୁ ରେଡ୍ କରାଯାଇଥିଲା । CBI ରେଡ୍‌କୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଷ୍ଣୁପଦ ସେଠୀ । ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ । ଏଥିସହ ଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଇଥିଲେ ହାଇକୋର୍ଟ । ଅନ୍ତରୀଣ ଅଙ୍କୁଶ ହଟିଥିବାରୁ ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ବଢ଼ିଛି ।

ହାଇକୋର୍ଟର ଦ୍ୱାରସ୍ଥ ହେଲେ ଧିମନ ଚକମା
ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି IAS ଧିମନ ଚକମା । ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଜାମିନ ଖାରଜ ହେବାପରେ ଚକମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଲାଞ୍ଚ ନେବା ମାମଲାରେ ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଚକମା । ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଚକମା ୧୦ ଲକ୍ଷ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଗିରଫ ହୋଇ ଜେଲ୍‌ ଯିବା ପରେ ଚକମା ନିଲମ୍ୱିତ ହୋଇଥିଲେ ।

୨୪ରୁ ପ୍ରବଳ ବର୍ଷା ଆଶଙ୍କା
ଝାଡ଼ଖଣ୍ଡ ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୨୪ ଘଣ୍ଟାରେ ଲଘୁଚାପ ଆହୁରି ଦୁର୍ବଳ ହେବ। ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ସ୍ଥାନେ ସ୍ଥାନେ ୨୪ରୁ ପ୍ରବଳ ବର୍ଷା ଆଶଙ୍କା ଅଛି। ୨୬ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।

ଫେରିଲେ ଆଉ ୨୯୦ ଭାରତୀୟ
ଭାରତ ସରକାରଙ୍କ ଅପରେସନ ସିନ୍ଧୁ ଅଧୀନରେ ଶୁକ୍ରବାର ରାତିରେ ୨୯୦ ଜଣ ଭାରତୀୟ ନାଗରିକଙ୍କୁ ଇରାନରୁ ଭାରତକୁ ସୁରକ୍ଷିତ ଭାବରେ ଫେରାଇ ଅଣାଯାଇଥିଲା। ଶନିବାର ଭୋର ପ୍ରାୟ ସାଢେ ୩ ଟାରେ ୫୬ ଜଣ ଭାରତୀୟଙ୍କୁ ନେଇ ଆଉ ଏକ ବିମାନ ଜିଦାହରୁ ଦିଲ୍ଲୀରେ ପହଞ୍ଚିଥିଲା। ଏହି ଲୋକମାନେ ଏବଂ ସେମାନଙ୍କ ପରିବାର ସୁରକ୍ଷିତ ଭାବରେ ନିଜ ଜନ୍ମଭୂମିକୁ ଫେରିବା ପାଇଁ ବହୁତ ଖୁସି ବ୍ୟକ୍ତ କରିଛନ୍ତି। 

ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ପାଇଁ ପାକିସ୍ତାନର ସମର୍ଥନ
ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦାବି କରିଛନ୍ତି। ଅସୀମ ମୁନିର ଆନୁଷ୍ଠାନିକ ଭାବରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଅସୀମ ମୁନିର କହିଛନ୍ତି ଯେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବାରେ ତାଙ୍କର ଭୂମିକା ପାଇଁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉଚିତ। 

ସୁବର୍ଣ୍ଣରେଖାରେ ବନ୍ୟା
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି । ଫଳରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ନଦୀରେ ଜଳ ସ୍ତର ବଢିବା ପରେ ଗାଁର ୧୦୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ପାଣି ଘେରରେ ଅଛନ୍ତି । ଜଳ ବନ୍ଦୀ ଭିତରେ ରହିଛନ୍ତି ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳ ସାରସକଣା ବ୍ଲକର ନେଦା ଗାଁ । ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି  ଗ୍ରାମକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟା ମୁକାବିଲା ପାଇଁ ଏନଡିଆରଏଫ୍, ଓଡରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ପାଣି ଘେର ଭିତରେ ଥିବା ଲୋକଙ୍କୁ ସକାଳେ ରିଲିଫରେ ଶୁଖିଲା ଖାଦ୍ୟ ଦିଆଯାଇଛି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଇତିହାସ ରଚିଲେ ଯଶସ୍ୱୀ ଓ ଶୁବମନ
ଲିଡ୍ସ ଟେଷ୍ଟରେ ଭାରତୀୟ ଦଳ ଫ୍ରଣ୍ଟ ଫୁଟରେ ରହିଛି। ପ୍ରଥମ ଦିନରେ ଭାରତୀୟ ବ୍ୟାଟସମ୍ୟାନମାନେ ଇଂଲଣ୍ଡ ବୋଲରଙ୍କ ଉପରେ ଭାରି ପଡିଥିଲେ। ପ୍ରଥମ ଦିନରେ ଯଶସ୍ୱୀ ଜୟସ୍ୱାଲ ଏବଂ ଅଧିନାୟକ ଶୁଭମନ ଗିଲ ଶତକ ହାସଲ କରିଥିଲେ। ଯଶସ୍ଵୀ ଜୟସ୍ୱାଲ 101 ରନ କରି ଆଉଟ ହୋଇଥିଲେ। ଗିଲ 127 ରନ କରି ଏପର୍ଯ୍ୟନ୍ତ କ୍ରିଜରେ ଅପରାଜିତ ଅଛନ୍ତି। ଗିଲ ଏବଂ ଜୟସ୍ୱାଲ ପ୍ରଥମ ଦିନରେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ଯେ ଇଂଲଣ୍ଡ ମାଟିରେ ପ୍ରଥମ ଦିନରେ 2 ଜଣ ଭାରତୀୟ ଖେଳାଳି ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ମାଟିରେ କୌଣସି 2 ଜଣ ଭାରତୀୟ ଖେଳାଳି ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଶତକ ହାସଲ କରିପାରି ନଥିଲେ।

Read More
{}{}